ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ ଏବଂ ବିଜ୍ଞାନ ପାର୍କ ଉଦଘାଟନ ତିନିବର୍ଷ ବିତିଲା, ରକ୍ଷଣାବେକ୍ଷଣ ଅଭାବରୁ ବାସ୍ତବ ରୂପ ହରାଇବାକୁ ଯାଉଛି

ବୁର୍ଲା: ବୁର୍ଲା ଠାରେ ରାଜ୍ୟ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ପକ୍ଷରୁ ରାଜ୍ୟର ଦ୍ୱିତୀୟ ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ ଓ ସାଇନ୍ସ ଏବଂ ଇଭୋଲ୍ୟୁସନ ପାର୍କକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ସେପ୍ଟେମ୍ବର ମାସ ୨୨ ତାରିଖ ୨୦୧୭ ମସିହାରେ ଆସି ଉଦଘାଟନ କରିଥିଲେ। ମାତ୍ର ଅବସାଦର ବିଷୟ ହେଲା ଏହି ପ୍ଲାନେଟୋରିୟମ ବର୍ତ୍ତମାନ ଗତ ତିନିବର୍ଷ କାଳ ଗ୍ରୀଷ୍ମ, ବର୍ଷା ଏବଂ ଶୀତର ପ୍ରକୋପରେ ଫିକା ପଡ଼ିଯାଇଛି। ଏପରିକି କହିବାକୁ ଗଲେ ଏହା ତାର ଅସଲ ସୁନ୍ଦରତା ହରାଇବାକୁ ଯାଉଛି ଏବଂ ଏହା ସହିତ ଇଭୋଲ୍ୟୁସନ ପାର୍କର ଅନେକ ମଡ଼େଲ ଭାଙ୍ଗିରୁଜି ଗଲାଣି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏହା ଅତ୍ୟନ୍ତ ଦୟନୀୟ ସ୍ଥିତିକୁ ଚାଲି ଆସିଛି।

ସୂଚନା ଥାଉକି, ପ୍ଲାନେଟୋରିୟମ ମଧ୍ୟରେ ଉନ୍ନତ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ଗ୍ୟାଲେକ୍ସି ତଥା ବ୍ରହ୍ମାଣ୍ଡର ଦୃଶ୍ୟ ରହିବା ସହିତ ବିଭିନ୍ନ ଭାଷାରେ ଦର୍ଶକ ଏହାକୁ ଉପଭୋଗ କରୁଛନ୍ତି। ଏପରିକି ସମ୍ବଲପୁରୀ ଭାଷାରେ ମଧ୍ୟ ଶୋ ହେବାକୁ ଯାଉଛି। ଅବଦୁଲ କଲାମ ପ୍ଲାନେଟୋରିୟମ ପର୍ୟ୍ୟଟକଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଆସୁଛି। ମାନବ ସଭ୍ୟତାର ଉତ୍ପତି, ମହାକାଶରେ ତାରାମଣ୍ଡଳର ଗଠନ ଓ ସ୍ଥିତି ବାବଦରେ ଏହି ଦୁଇ ପ୍ରକଳ୍ପରୁ ଅଧ୍ୟୟନ କରାଯାଇ ପାରିବ। ସାଇନ୍ସ ପାର୍କରେ ଜୁରାସିକ୍‍ ଏବଂ ଏଭୋଲ୍ୟୁସନ ବାବଦରେ ବ୍ୟବସ୍ଥା ରହିଛି। ୧୨୬ ପ୍ରକାରର ମୋଡ଼େଲ ରହିଥିଲା। ପ୍ରବେଶ ଦ୍ୱାରରେ ଏକ ଡାଇନସର ରହିଛି ବେଳେ ଡାଇନସରର ଚିତ୍କାର ମଧ୍ୟ ଶୁଣାଯାଉଥିଲା। ଏଥିସହିତ ମାଧ୍ୟାକର୍ଷଣ ଶକ୍ତି ଆଧାରିତ ମୋଡ଼େଲମାନ ମଧ୍ୟ ରହିଛି। ମାତ୍ର ଗତ ୩ ବର୍ଷ କାଳ ହେବ ଉଭୟ ପ୍ଲାନେଟୋରିୟମ ଏବଂ ଇଭୋଲ୍ୟୁସନ ପାର୍କରୁ ବେସ ରୋଜଗାର ମଧ୍ୟ ହୋଇସାରିଛି। ପ୍ଲାନେଟୋରିୟମକୁ ଭୁବନେଶ୍ୱର ପ୍ଲାନେଟୋରିୟମ ତରଫରୁ ଏହାର ପରିଚାଳନା ବ୍ୟବସ୍ତା ତ୍ୱରାନ୍ନିତ କରାଯାଉଥିବା ବେଳେ ପାର୍କକୁ ସମ୍ବଲପୁର ମହାନଗର ନିଗମ ଶାଖା ତରଫରୁ ଟିକଟ ବ୍ୟବସ୍ତା କରାଯାଇ ପରିଚାଳନା ବ୍ୟବସ୍ତା ତ୍ୱରାନ୍ନିତ କରାଯାଉଛି। ମାତ୍ର ଏହି ତିନିବର୍ଷ ମଧ୍ୟରେ ପ୍ଲାନେଟୋରିୟମର ସୌନ୍ଦର୍ୟ୍ୟ ଫିକା ପଡ଼ିଗଲାଣି। ଯାହାକି ଓଡ଼ିଶାର ଦ୍ୱିତୀୟତମ ପ୍ଲାନେଟୋରିୟମ ପ୍ରତି ଲଜ୍ଜାଜନକ ବିଷୟ ସଦୃଶ ହୋଇଛି। ଏପରିକି ଏହି ପ୍ଲାନେଟୋରିୟମରୁ କୋଟି କୋଟି ଟଙ୍କା ଆୟ ମଧ୍ୟ ହୋଇଥିବାର ଦୃଷ୍ଟାନ୍ତ ରହିଛି ମାତ୍ର ଉକ୍ତ ପ୍ଲାନୋଟୋରିୟମକୁ ନୁତନତ୍ୱ ପ୍ରଦାନ କରିବା ଦିଗରେ କୌଣସି ଦୃଷ୍ଟି ଦିଆଯାଉ ନାହିଁ। ଫଳରେ ପ୍ଲାନେଟୋରିୟମର ଉପରି ଭାବରେ ରଙ୍ଗବିହିନ ମଧ୍ୟ ହୋଇଗଲାଣି ଏହାପ୍ରତି ତିଳେ ମାତ୍ର ଦୃଷ୍ଟି ଦିଆଯାଉ ନାହିଁ। ହଜାର ହଜାର ମାତ୍ରାରେ ଦର୍ଶକ ପ୍ଲାନେଟୋରିୟମକୁ ଧାଇଁ ଆସୁଥିଲେ। ସେପଟେ ମହାନଗର ନିଗମ ଶାଖା ତରଫରୁ ମଧ୍ୟ ପାର୍କର ଉଚିତ ରକ୍ଷଣବେକ୍ଷଣ କରାଯାଉ ନାହିଁ। ଏପରିକି ପାର୍କର ବିଭିନ୍ନ ମଡ଼େଲ ମଧ୍ୟ ଭାଙ୍ଗିରୁଜି ଗଲାଣି ତାକୁ ସଜାଡ଼ିବା ପାଇଁ କୌଣସି ପଦକ୍ଷେପ ନିଆ ଯାଉନାହିଁ। ଫଳରେ ଏହି ପଶ୍ଚିମ ଓଡ଼ିଶାର ଗୌରବ ସାଜିଥିବା ପ୍ଲାନେଟୋରିୟମ ଏବଂ ଇଭୋଲ୍ୟୁସନ ପାର୍କର ଦୁରାବସ୍ତା ସହଜେ ଗ୍ରହଣ କରାଯାଇ ପାରୁ ନାହିଁ। ବର୍ତ୍ତମାନ କରୋନା ସ୍ତିତିକୁ ଆଖିଆଗରେ ରଖି ଗତ ପ୍ରାୟ ଛଅମାସରୁ ଊର୍ଦ୍ଧ୍ବ କାଳ ହେବ ଏହାକୁ ବନ୍ଦ କରି ରଖାଯାଇଛି। ଏହା ମଧ୍ୟରେ ଏହାର ରକ୍ଷଣବେକ୍ଷଣ କାମ କରାଯିବା ପାଇଁ ଯଥେଷ୍ଟ ମାତ୍ରାରେ ସମୟ ମଧ୍ୟ ମିଳିଥିଲା, ମାତ୍ର ସେପରି କିଛି ଆଖିଦୃଶିଆ ପଦକ୍ଷେପ ନିଆଗଲା ନାହିଁ।

ସୂଚନା ଥାଉକି, ୫ ଏକଡ଼ ୬୦ ଡିସିମିଲ ଜମିରେ ୧୩ କୋଟି ଟଙ୍କାରେ ଏହି ପ୍ଲାନେଟୋରିୟମ ଓ ୨ କୋଟି ୫୯ ଲକ୍ଷ ଟଙ୍କାରେ ସାଇନ୍ସ ଓ ଇଭୋଲ୍ୟୁସନ ପାର୍କ କରାଯାଇଛି। ଜାତୀୟ ରାଜପଥରୁ ବୁର୍ଲାକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୁର୍ଣ୍ଣ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖ ଦେଇ ହଜାର ହଜାର ମାତ୍ରାରେ ପର୍ୟ୍ୟଟକମାନେ ଏହାକୁ ଉାପଭୋଗ କରି ଆସୁଥିଲେ। ସେମାନଙ୍କ ପାଇଁ ଏହି ପ୍ଲାନେଟୋରିୟମ, ସାଇନ୍ସ ଓ ଇଭୋଲ୍ୟୁସନ ପାର୍କ ଆକର୍ଷଣର ଅନ୍ୟ ଏକ କେନ୍ଦ୍ର ସାଜିଛି। ଦୈନିକ ଶହ ଶହ ମାତ୍ରାରେ ଲୋକେ ତଥା ପର୍ୟ୍ୟଟକଙ୍କ ସୁଅ ପ୍ଲାନେଟୋରିୟମ ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ଆସୁଥିଲେ ମାତ୍ର ଏଭଳି ଭାବରେ ରକ୍ଷଣବେକ୍ଷଣ ଅଭାବରୁ ଏହାର ଦୁରାବସ୍ଥା ଧିରେ ଧିରେ ପର୍ୟ୍ୟଟକମାନଙ୍କୁ ଏଠାରୁ ଦୁରେଇ ନେବା ସମ୍ଭାବନା ସୃଷ୍ଟି ହୋଇଛି। ତେବେ ପଶ୍ଚିମ ଓଡ଼ିଶାର ଏହି ଗୌରବକୁ ଉଚିତ ଭାବରେ ରକ୍ଷଣବେକ୍ଷଣ କରଯାଇ ପୁନଃଜୀବନ୍ତ କରାଯିବା ପାଇଁ ପର୍ୟ୍ୟାଟକ ମହଲରେ ଦାବୀ ହେଉଛି। ଏହି ପ୍ଲାନେଟୋରିୟମ ସହିତ ହୀରାକୁଦ ବନ୍ଧ, ଜବାହାର ମିନାର, ଡେବ୍ରୀଗଡ଼ ଅଭୟାରଣ୍ୟ ମଧ୍ୟ ବୁର୍ଲା ସହରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି।

Comments are closed.