ଅପହଁଚ ଇଲାକା : ଜମି ଥାଇ ମଧ୍ୟ ବାସ୍ତୁହରା ଜୀବନ ଜୀଉଛନ୍ତି ଦେଚୁଆଁ ଗ୍ରାମବାସୀ

ବରଗଡ (ବାଲାଜୀ ବିଭୁରଂଜନ ତରାସିଆ): ସ୍ୱାଧୀନ ଭାରତରେ ଦୀର୍ଘ ୭୨ ବର୍ଷ ହେଲା ସ୍ୱାଧୀନ ଜୀବନ ଜୀଉଁଥିଲେ ମଧ୍ୟ ଆଜିଯାଏଁ ସେମାନେ ସ୍ୱାଧୀନ ପ୍ରଜା ଭାବେ ମାନ୍ୟତା ପାଇନାହାନ୍ତି। ଇଂରେଜ ଅମଳରୁ ଗୋଟିଏ ସ୍ଥାନରେ ଚାଷବାସ କରି ଜୀବିକା ନିର୍ବାହ କରୁଥିଲେ ମଧ୍ୟ ସେମାନଙ୍କୁ ନା ମିଳିଛି ବଂଚିବାର ଅଧିକାର ନା ଜମିର ମାଲିକାନା। ଏମିତି ଏକ ଅଭିଶପ୍ତ ଗାଁ ହେଉଛି ବରଗଡ଼ ଜିଲା ଅମ୍ବାଭୋନା ବ୍ଳକ କର୍ଲା ପଂଚାୟତ ଦେଚୁଆଁ ଗାଁ। ଦେଚୁଆଁ ଗାଁ ପାହାଡ଼ ଉପରେ ରହିଥିବା ଏକ  ଜନବସତି। ଉନବିଂଶ ଶତାଦ୍ଦୀରେ ଇଂରେଜମାନେ ସମ୍ବଲପୁର ଦଖଲ କଲାପରେ ବାରପାହାଡର ପାଦ ଦେଶରେ ଥିବା ଏହି ଉଚ୍ଚ ସ୍ଥାନରେ ଏକ ଶୈଳନିବାସ ନିର୍ମାଣ କରିଥିଲେ। ଯାହାକୁ କି ସାଧାରଣ ଲୋକେ ଡାକବଙ୍ଗଳା ଭାବେ ଜାଣୁଥିଲେ। ଇଂରେଜ  ସରକାରଙ୍କ ଅଫିସରମାନେ ଏଠାରେ ରହୁଥିବା ଯୋଗୁଁ ସେମାନଙ୍କ ସେବା କରିବା ପାଇଁ ପ୍ରଥମେ ୯ଟି ପରିବାରକୁ ଏଠାରେ ବସତି ସ୍ଥାପନ କରିବା ପାଇଁ ଅଣି ଦେଚୁଆଁ ଗାଁରେ ରଖିଥିଲେ। ଇଂରେଜ ଅଫିସର ମାନଙ୍କ ବ୍ୟତୀତ ସୋନପୁର, ପାଟଣା, ବାମଣ୍ଡା, କଳାହାଣ୍ଡିର ରାଜାମାନେ ମଧ୍ୟ ଏହି ସ୍ଥାନକୁ ଚିତ୍ତ ବିନୋଦନ ପାଇଁ ଆସୁଥିଲେ। ବନ୍ୟଜନ୍ତୁ ଶିକାର କରିବା ସହ ବଣଜଙ୍ଗଲରେ ବୁଲିବା ପାଇଁ ଉକ୍ତ ସ୍ଥାନଟି ବେଶ୍‌ ମନୋରମ ଥିଲା। ରାଜା ମହାରାଜା ମାନଙ୍କ ସେବା କରିବା ପାଇଁ ଗାଁରେ ଆସି ରହିଥିବା ଲୋକଙ୍କୁ ଉକ୍ତ ସ୍ଥାନରେ ଜମି ଚାଷ କରିବା ପାଇଁ ମଧ୍ୟ ଦିଆଯାଇଥିଲା। ରାଜରାଜୁଡା  ସମୟରେ ବେଶ୍‌ ହସଖୁସୀରେ ଚଳୁଥିବା ଉକ୍ତ ଗ୍ରାମବାସୀ ଏବେ କିନ୍ତୁ ସରକାରଙ୍କ ସାବତ ପୁଅ ଭଳି ଜୀବନ ବଂଚୁଛନ୍ତି। ଗାଁରେ ଏବେ ୬୫ଟି ପରିବାର ରହିଛନ୍ତି।  ଜନସଂଖ୍ୟା ୩୧୦ରହିଛି। ଏମାନଙ୍କ ମଧ୍ୟରୁ ଭୋଟର ହେଉଛନ୍ତି ୨୦୦ ଜଣ।  ଗ୍ରାମବାସୀଙ୍କୁ ଭୋଟର କରାଇବା ପାଇଁ ଭୋଟର କାର୍ଡ ପ୍ରଦାନ କରାଯାଇଛି ମାତ୍ର ସେମାନଙ୍କ ସୁବିଧା ପାଇଁ ଅନ୍ୟ ପ୍ରକାର ସୁବିଧାସୁଯୋଗ ସରକାରୀ ସ୍ତରରେ ହୋଇ ନାହିଁ। ଗ୍ରାମରେ ରହୁଥିବା ଅଧିବାସୀମାନେ ଦେଢ଼ଶହରୁ ଊର୍ଦ୍ଧ୍ବ କାଳ ହେଲା ଉକ୍ତ ଗାଁରେ ରହୁଥିଲେ ମଧ୍ୟ ସେମାନଙ୍କ ପାଖରେ ସରକାରୀ ଚିହ୍ନ ସ୍ୱରୂପ କିଛିନାହିଁ। ଯେଉଁ ଜାଗାରେ ରହୁଛନ୍ତି ସେମାନଙ୍କ ନାଁରେ ପଟ୍ଟା ନାହିଁ। ଯେଉଁ ଜମିରେ ଚାଷ କରୁଛନ୍ତି ସେମାନଙ୍କ  ଜମିର ମାଲିକାନା ନାହିଁ। ଯେହେତୁ ଜମିର ମାଲିକାନା ନାହିଁ ତେଣୁ ସରକାରଙ୍କ କୌଣସି ଯୋଜନାରେ ଏମାନେ ସାମିଲ ହୋଇପାରୁ ନାହାନ୍ତି। ଗ୍ରାମବାସୀଙ୍କ ଏକମାତ୍ର ଉପାର୍ଜନର ମାଧ୍ୟମ ଚାଷ ହୋଇଥିବା ବେଳେ ଚାଷୀ କୌଣସି ପ୍ରକାର ସୁବିଧା ପାଉନାହାନ୍ତି। ସରକାରଙ୍କ ପକ୍ଷରୁ ଋଣ କରିପାରୁ ନାହାନ୍ତି। ଜମିରେ କିଛି ଟଙ୍କା ଖଟାଇ ପାରୁନାହାନ୍ତି।  ଫସଲରେ ପୋକ ଲାଗିଲେ କିମ୍ବା  କିଛି ପ୍ରାକୃତିକ ଦୁର୍ବିପାକ ହେଲେ ଜମିର ମାଲିକାନା ନଥିବାରୁ ଦେଚୁଆଁ ଗ୍ରାମବାସୀ କୌଣସି ପ୍ରକାର କ୍ଷତିପୂରଣ ପାଉନାହାନ୍ତି। ଗ୍ରାମର ଚାଷୀମାନଙ୍କ ମଧ୍ୟରେ ପ୍ରାୟତଃ ସମସ୍ତଙ୍କ ଜମି ରହିଛି। ମାତ୍ର ସମସ୍ତେ ନାମ ମାତ୍ର ଚାଷୀ। ୫ଏକରରୁ ଅଧିକ ଜମି ଜଣକର ବି ନାହିଁ। ଗ୍ରାମର ଚକାନନ ବାଗଙ୍କ ୩ଏକର ଜମି, ବୀର ବାଗଙ୍କର ୩ ଏକର, ଗଣେଶ ଧରୁଆଙ୍କ ୩.୪୧ଏକର, ଫୁଲଚନ ଭୁଏଙ୍କ ୫ ଏକର ଜମି ରହିଛି। ଦେଚୁଆଁ ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ଜମି ପଟ୍ଟା। ଗାଁର  ପ୍ରାୟତଃ ୩ଶହ ଏକର ଜମି ଜଙ୍ଗଲ ଜମି କିସମରେ ଯାଉଥିବା ବେଳେ ଦୀର୍ଘ ଦେଢ଼ ଶହ ବର୍ଷ ହେଲା ଏମାନେ କୃଷି କାର୍ୟ୍ୟକରି ବଂଚିଛନ୍ତି। କୃଷି କାର୍ଯ୍ୟ କରି ଚଳୁଥିଲେ ମଧ୍ୟ ସେମାନଙ୍କୁ ଜମି ପଟ୍ଟା ମିଳୁନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲାଯେ ଉକ୍ତ ଜମିର ମାଲିକାନା ନଥାଇ ମଧ୍ୟ ଏମାନେ  ଜଙ୍ଗଲ ଟେକ୍ସ ଦେଉଛନ୍ତି। କେବଳ ଏକ ପ୍ରାଥମିକ ବିଦ୍ୟାଳୟ ବ୍ୟତୀତ ଗାଁରେ ଆଉ କୌଣସି ସୁବିଧା ନାହିଁ। ବର୍ଷ ସାରା ପାନୀୟ ଜଳର ଅଭାବରେ ଗ୍ରାମବାସୀ ସନ୍ତୁଳିତ ହେଉଛନ୍ତି। ଗ୍ରାମରେ ପାନୀୟ ଜଳର ଘୋର ଅଭାବ ଥିବା ଯୋଗୁଁ ଲୋକେ ମାଇଲ ମାଇଲ ବାଟ ପାଣି ଆଣିବା ପାଇଁ ଯାଉଛନ୍ତି।  ବର୍ଷ ବର୍ଷ ଧରି ପ୍ରଶାସନକୁ ଗ୍ରାମବାସୀ ଗୁହାରୀ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳ ନାହିଁ। ଉକ୍ତ ଗ୍ରାମ ରାଜସ୍ୱ ଗ୍ରାମ ହୋଇନଥିବାରୁ ପ୍ରଶାସନ କିଛି କରିପାରୁ ନାହିଁ। ଅନ୍ୟପକ୍ଷରେ ଜଙ୍ଗଲ ଜମିରେ ଦୀର୍ଘଦିନ ଧରି ଚାଷବାସ ତଥା ଘର କରି ରହିଥିଲେ ମଧ୍ୟ ଜଙ୍ଗଲ ଅଧିକାର ଆଇନ ବଳରେ ସେମାନଙ୍କୁ କୌଣସି ପ୍ରକାର ସରକାରୀ ସୁବିଧା ମିଳୁ ନାହିଁ। ଗ୍ରାମରେ ପଞ୍ଚମ ଶ୍ରେଣୀ ଯାଏଁ ଶିକ୍ଷା ବ୍ୟବସ୍ଥା ଥିବା ଯୋଗୁଁ ଗ୍ରାମର ଅଧିକାଂଶ ଯୁବକ ସହରକୁ ଯାଇ ଆଉ ପାଠ ପଢ଼ି ପାରୁନାହାନ୍ତି। ଅନ୍ୟପକ୍ଷରେ  ସେମାନଙ୍କ ପାଖରେ ଜମି ବା ଘରର କିଛି ସରକାରୀ କାଗଜପତ୍ର ନ ଥିବାରୁ ପାଠ ପଢ଼ିବା ପାଇଁ କିମ୍ବା କୌଣସି ସାର୍ଟିଫିକେଟ ପ୍ରସ୍ତୁତ କରିବା ପାଇଁ କୌଣସି ପ୍ରକାର ସାଧନ ନାହିଁ।  ଏ ବିଷୟରେ ଜିଲା ପ୍ରଶାସନକୁ ପଚାରିଲେ ସେମାନେ  ଜଙ୍ଗଲ  ଜମି କିସମ ଥିବାରୁ କିଛି କରାଯାଇ ପାରୁନାହିଁ ବୋଲି କହୁଛନ୍ତି। ଅନ୍ୟପକ୍ଷରେ ଜଙ୍ଗଲ ବିଭାଗର ଅଧିକାରୀ ମାନଙ୍କୁ ପଚାରିଲେ ସେମାନେ ଉକ୍ତ ଜନବସତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି କହୁଛନ୍ତି। ପୀଢ଼ି ପରେ ପୀଢ଼ି ପ୍ରକୃତି କୋଳରେ ବଞ୍ଜି ଆସିଥିବା  ଲୋକଙ୍କ ଏବେ ଭିଟାମାଟି ଛାଡିବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି। ମାତ୍ର ଏ ନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି କିମ୍ବା ନିଷ୍ପତ୍ତି ହୋଇନାହିଁ। ଜନମଙ୍ଗଳ ରାଷ୍ଟ୍ରରେ  ଏମିତି ଦୋଛକିରେ ଏବେବି ଜୀବନ ଜୀଉଁଥିବା ମଣିଷ ମାନଙ୍କ ପାଇଁ କୌଣସି ପ୍ରକାର ସୁବିଧା ନହେବା ବାସ୍ତବିକ୍‌ ବିଡମ୍ବନାର ବିଷୟ।

Comments
Loading...