ଓଡ଼ିଶା ସୀମାରେ ଆନ୍ଧ୍ର ପୁଲିସର ପଇଁତରା

ସୀମାରେ ଉତ୍ତେଜନା ; ଗ୍ରାମବାସୀ ଆତଙ୍କିତ

ରାୟଗଡ(ଗଜପତି) : ଗଜପତି ଜିଲା ରାୟଗଡ ବ୍ଲକ ଓଡିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଓଡ଼ିଶାର ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଆନ୍ଧ୍ରର ଦାଦାଗିରି ଜାରି ରହିଛି। ଓଡ଼ିଶା ସୀମାରେ ଆନ୍ଧ୍ର ପୁଲିସ ଏବେ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ମାଣିକପାଟଣା ଗ୍ରାମରେ ଆନ୍ଧ୍ର ପକ୍ଷରୁ ଖୋଲାଯାଇଥିବା ଅଙ୍ଗନବାଡି କେନ୍ଦ୍ରକୁ ଏବେ ଆନ୍ଧ୍ର ପୁଲିସ ଜଗି ରହିଛି। ଆନ୍ଧ୍ରର ସାଦା ପୁଲିସ ଉକ୍ତ କେନ୍ଦ୍ରରେ କଡ଼ା ପହରା ଦେଉଛନ୍ତି। ଏହାକୁ ନେଇ ଗାଁରେ ଆତଙ୍କିତ ପରିସ୍ଥିତି ସୃଷ୍ଟି ହୋଇଛି।
ମାଣିକପାଟଣା ଗ୍ରାମରେ ଆନ୍ଧ୍ର ପକ୍ଷରୁ ​‌େ​‌ବଆଇନ ଭାବେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇଥିଲା। ଏହା ଜାଣିବା ପରେ ଗଜପତି ଜିଲା ପ୍ରଶାସନ ପକ୍ଷରୁ ଉକ୍ତ କେନ୍ଦ୍ରକୁ ସିଲ୍‌ କରିଦିଆଯାଇଥିଲା। ଏହି ଘଟଣାକୁ ନେଇ ଗତ ୯ ତାରିଖରେ ଆନ୍ଧ୍ର ପ୍ରଦେଶ ପଲାସା ବିଧାୟକ ତଥା ମନ୍ତ୍ରୀ ଏସ.ଆପଲ ରାଜୁ ନିଜ ସମର୍ଥକ,ପୁଲିସ ଓ ପ୍ରଶାସନ ସହ ମାଣିକପାଟଣା ଆସି ସିଲ୍‌ ହୋଇଥିବା ଆନ୍ଧ୍ର ଅଙ୍ଗନବାଡି କେନ୍ଦ୍ରର ତାଲା ଭାଙ୍ଗି ପିଲାଙ୍କୁ ଅଣ୍ଡା ଓ ଛତୁଆ ବଣ୍ଟନ କରିଥିଲେ। ଏହି ସମୟରେ ସେଠାକୁ ସ୍ଥିତି ପରଖି ବାକୁ ଯାଇଥିବା ଗଜପତି ଜିଲା ଅତିରିକ୍ତ ଜିଲାପାଳଙ୍କୁ ଆନ୍ଧ୍ର ମନ୍ତ୍ରୀ ନାଲି ଆଖି ଦେଖାଇବା ସହିତ ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ତାଙ୍କ ଅଙ୍ଗନବାଡ଼ି କେନ୍ଦ୍ରକୁ କିଏ ବନ୍ଦ କଲା ବୋଲି ଆପଲରାଜୁ ପ୍ରଶ୍ନ କରିବା ସହିତ ଯଦି ଆଉ ଥରେ ଏପରି କିଏ କରିବ ତାହାହେଲେ ତୁମ(ଓଡ଼ିଶା) କେନ୍ଦ୍ର ଭାଙ୍ଗି ଦେବୁ ବୋଲି କହି ଧମକ ଦେଇଥିଲେ। ଏହାସହିତ ଗଜପତି ପ୍ରଶାସନକୁ ଗିରଫ କରିବାକୁ ତାଙ୍କ ପୁଲିସକୁ ଆନ୍ଧ୍ରମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏହା ପରେ ଆନ୍ଧ୍ରର ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ସାଧା ପୋଷାକରେ ପୁଲିସ ଜଗୁଥିବା ଦେଖିବାକୁ ମେଳୁଛି। ଏହା ସହ ଯଦି କେହି ଆନ୍ଧ୍ରକୁ ବିରୋଧ କରିବ ତାହେଲେ ତାକୁ ଗୁଳି କରିଦେବାକୁ ମନ୍ତ୍ରୀ ଆଦେଶ ଦେଇଥିବା ପୁଲିସ ଅଧିକାରୀମାନେ କହୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। .ଆନ୍ଧ୍ର ପୁଲିସ ଦିନକୁ ଚାରି ଥର ପୁଲିସ ଗାଡ଼ିରେ ମାଣିକପାଟଣାରେ ପଇଁତରା ମାରୁଛି। ମିଳିଥିବା ସୂଚନା ଅନୁସାରେ ଏହି ଗ୍ରାମରେ ମୋଟ ୪୪ ଆଦିବାସୀ ପରିବାର ବସବାସ କରନ୍ତି। ସେଥିରୁ ୧୮ପରିବାର ଆନ୍ଧ୍ର ସପକ୍ଷରେ ରହିଛନ୍ତି। ସେମାନଙ୍କ ପରିବାରର ୭ଜଣ ପିଲା ଆନ୍ଧ୍ର କେନ୍ଦ୍ରକୁ ଯାଉଛନ୍ତି। ତେବେ ଏହି ୧୮ ପରିବାରର ସଦସ୍ୟମାନେ ଓଡିଶାର ସମସ୍ତ ଯୋଜନାରେ ଲାଭ ପାଉଛନ୍ତି। ତିତିଲି ବାତ୍ୟା ବେଳେ ଘର ଭଙ୍ଗା ବାବଦକୁ ସେମାନେ ୧,୦୫୭୦୦ ଏବଂ ଘର ତିଆରି ସକାଶେ ବିଜୁ ପକ୍କାଘର ବାବଦରେ ୧,୩୦,୦୦୦ଟଙ୍କା ପାଇଛନ୍ତି। ଏହା ସହ ଉକ୍ତ ପରିବାରର ଆନ୍ଧ୍ରରେ ବି ପଡିକାର୍ଡ(ରେସନକାର୍ଡ) ରହିଥିବାରୁ ସେମାନେ ଭତ୍ତା ପାଉଛନ୍ତି। ଏପରି ସମସ୍ୟା ଯୋଗୁ ଗାଁର ଅନ୍ୟ ପରିବାର ଭୟଭୀତ ହୋଇ ରହୁଛନ୍ତି। ଯଦି କିଏ ପାଟିଖୋଲେ ତା’ ଉପରେ ଆନ୍ଧ୍ର ପୁଲିସ ବିଭିନ୍ନ ମିଥ୍ୟା ମାମଲା ଲଗାଇ ତାକୁ ଗିରଫ କରୁଛି ବୋଲି ଗଙ୍ଗବାଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ କହିଛନ୍ତି। ତେଣୁ ବର୍ତ୍ତମାନ କିଛି ବ୍ୟକ୍ତି ଗିରଫ ଭୟରେ ଲୁଚି ରହିଛନ୍ତି। ଏହି ସବୁ ଭୟ ଯୋଗୁ ଓଡିଶାର ସମର୍ଥକ ମାନେ ଚୁପ୍‌ ହୋଇ ରହୁଥିବା ଦେଖିବାକୁ ମିଳୁଛି।

Comments are closed.