ଆନ୍ଧ୍ର-ଓଡ଼ିଶା ବିବାଦ : ଆଶା ଆଣିଛି ଆଲୋଚନା

୧୯୬୧ରେ ବିଧାନସଭାରେ ଉଠିଥିଲା କୋଟିଆ ପ୍ରସଙ୍ଗ

ଭୁବନେଶ୍ୱର : ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ସୀମା ଓ ଜଳ ବିବାଦକୁ ନେଇ ଉତ୍ତେଜନା ଦେଖାଦେବା ପରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏସବୁର ସମାଧାନ ପାଇଁ ଆଲୋଚନା କରିଛନ୍ତି। ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଗତ ୬୦ ବର୍ଷଧରି ବଂଶଧାରାରେ ନେରେଡି ପ୍ରକଳ୍ପ ଓ କୋଟିଆ ପୁଞ୍ଜକୁ ନେଇ ବିବାଦ ଲାଗିରହିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‍ ଜଗନ ମୋହନ ରେଡ୍ଡୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତ ଓ ବିବାଦ ସମ୍ପର୍କରେ ଆଲୋଚନା ସମାଧାନର ବାଟ ଫିଟାଇବ ବୋଲି ଓଡ଼ିଶାବାସୀ ଆଶାବାଦୀ। ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା ଆସିବା ପଛରେ ତାଙ୍କ ରାଜ୍ୟର ସ୍ୱାର୍ଥନିହିତ ରହିଛି।
ବଂଶଧାରା ନଦୀ ଉପରେ ନେରେଡି ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ଆନ୍ଧ୍ରର ଅନେକ ଅଞ୍ଚଳ ଜଳସେଚନ ହେବ। କେବଳ ନେରେଡି ନୁହେଁ କୋରାପୁଟର ଝଞ୍ଜାବତି ଓ ମାଲକାନଗିରି ସୀମାରେ ପୋଲାଭରମ ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଛି। ପାଚିପେଣ୍ଟା ଜମିଦାରଙ୍କ କୋଟିଆ ଅଞ୍ଚଳର ୬ଟି ଗ୍ରାମକୁ ଜୟପୁର ମହାରାଜା ୧୯୦୮ମସିହା ମେ ୨ରେ ନିଲାମ ଧରିଥିଲେ। ଜମିଦାରଙ୍କ ଉତ୍ତରାଧିକାରୀମାନେ ଏହି ଜମି ଫେରିପାଇବା ପାଇଁ ବିଶାଖାପାଟଣା ଜିଲା ଜଜ୍‍ଙ୍କ ଅଦାଲତରେ ମାମଲା ଦାଏର କରିଥିଲେ ମଧ୍ୟ ୧୯୪୨ରେ ମାମଲାଟି ଖାରଜ ହୋଇଯାଇଥିଲା। ମାଡ୍ରାସ ଜମିଦାର ଆଇନ ୧୯୦୪ ଅନୁସାରେ ଜୟପୁର ଓ ପାଚିପେଣ୍ଟା ପାଇଁ ଅଲଗା ଅଲଗା ସୀମା ଓ କ୍ଷମତା ନିରୂପଣ କରାଯାଇଥିଲା। ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୫୨ ଅନୁସାରେ ପାଚିପେଣ୍ଟା, ଜୟପୁର ଓ କୋଟମ୍‍ ତିନି ଜମିଦାରଙ୍କ ଅଧୀନରେ ଥିବା ଗ୍ରାମଗୁଡିକ ଓଡ଼ିଶା ଶାସନରେ ମିଶିଥିଲା। ୧୯୫୩ରେ ଆନ୍ଧ୍ରକୁ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିଥିଲା। ୧୯୫୮ରେ କୋରାପୁଟରେ ବନ୍ଦୋବସ୍ତ କାର୍ଯ୍ୟ ଚାଲିଥିବା ବେଳେ ସୀମା ନିର୍ଦ୍ଧାରଣ ହୋଇଥିଲା। ସୀମା ଚିହ୍ନଟ ବେଳେ ପଥରରେ ଓ/ଏମ ବଦଳରେ ଓଡ଼ିଶା ଆନ୍ଧ୍ର ବା ଓ/ଏ ନୂଆପଥର ସ୍ଥାପନ ହୋଇଥିଲା। ପୁରୁଣା ପଥର ଅବସ୍ଥିତିକୁ ଠିକ୍‍ ଭାବେ ତର୍ଜମା ନହେବାରୁ ବିବାଦର ମୂଳଦୁଆ ପଡିଥିଲା। ଏହିି ସବୁ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ପରସ୍ପର ମଧ୍ୟରେ ଆଲୋଚନା କରିବା ପରିବର୍ତ୍ତେ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି।
ବିବାଦୀୟ କୋଟିଆ ପ୍ରସଙ୍ଗରେ ସମାଧାନ ସର୍ବୋଚ୍ଚ ନ୍ୟାୟାଳୟ ୧୯୮୫ରେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ମଧ୍ୟବର୍ତ୍ତୀକାଳୀନ ରାୟ ଦେଇଥିଲେ। ଇତିମଧ୍ୟରେ ଏହି ପ୍ରସଙ୍ଗ ଉପରେ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ବିଚାର ଚାଲିଛି। ଭାରତ ସୀମାନ୍ତରେ ଅନୁପ୍ରବେଶ ରୋକିବା ଭଳି କୋଟିଆରେ ଅନୁରୂପ ପରିସ୍ଥିତି ଦେଖାଦେଇଛି। ପ୍ରତିଦିନ ଆନ୍ଧ୍ର ସରକାରଙ୍କ ଅଧିକାରୀମାନେ ଓଡ଼ିଶା ଭିତରକୁ ଆସି ଗ୍ରାମବାସୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ଯେଉଁଥିପାଇଁ କୋରାପୁଟ ଜିଲା ପ୍ରଶାସନ କୋଟିଆ ଅଞ୍ଚଳରେ ପୁଲିସ ମୁତୟନ କରିଛି। ପୂର୍ବରୁ ମାଓବାଦୀଙ୍କୁ ଦମନ ପାଇଁ ଉଭୟ ରାଜ୍ୟର ପୁଲିସ ସମନ୍ୱୟ ରଖି କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ସୀମାବିବାଦ ଉଭୟ ରାଜ୍ୟର ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରିଛି। ୧୯୬୧ରୁ ନେରେଡି ପ୍ରକଳ୍ପ ନେଇ ଦୁଇ ରାଜ୍ୟ ମଧ୍ୟରେ ଚୁକ୍ତି ହୋଇଥିଲେ ମଧ୍ୟ ଗୁଣୁପର ଅଞ୍ଚଳର ବ୍ୟାପକ କ୍ଷତି ହେବା ଆଶଙ୍କାରେ ୯୦ ଦଶକରେ ସ୍ଥାନୀୟ ଲୋକେ ଆନ୍ଦୋଳନ ଆରମ୍ଭ କରିଥିଲେ। ଗୁଣୁପୁରର ବିପ୍ଳବୀ ନେତା ସ୍ୱର୍ଗତ ଡିଭିଏମ ପଟ୍ଟନାୟକ ନେରେଡି ପ୍ରସଙ୍ଗରେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସେହିଭଳି କୋଟିଆର ୨୧ ଖଣ୍ଡ ଗ୍ରାମକୁ ନେଇ ୧୯୬୧ରୁ ବିବାଦ ଆରମ୍ଭ ହୋଇଛି। ୧୯୬୧ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ପଟ୍ଟାଙ୍ଗି ବିଧାୟକ ସ୍ୱର୍ଗତ ପାଙ୍ଗି ମୁଷୁରି ସାଉଁତା କୋଟିଆ ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲେ। ୧୯୬୪ରେ ଉଭୟ ରାଜ୍ୟର ପୁଲିସ ସୀମାନ୍ତ ଅଞ୍ଚଳରେ ପଇନ୍ତରା (ଫ୍ଲାଗମାର୍ଚ୍ଚ) କରିଥିଲେ। ୧୯୬୭ରେ-୬୮ରେ ଓଡ଼ିଶା ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାର ପାଇଁ ଆବେଦନ କରିଥିଲେ। ମାମଲାଟି ସର୍ବୋଚ୍ଚ ଅଦାଲତରେ ଦୀର୍ଘଦିନ ପଡିରହିବା ପରେ କୋରାପୁଟ ଜିଲା ବିଚାରପତିଙ୍କୁ ଅନୁଧ୍ୟାନ କରି ବିବରଣୀ ଦେବାକୁ ଆଦେଶ ଦେଇଥିଲେ। ୨୦୦୧ରେ ଅନେକ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରି ମାମଲାଟିକୁ ସର୍ବୋଚ୍ଚ ଅଦାଲତକୁ ଫେରାଇ ଦେଇଥିଲେ। ପୁନଶ୍ଚ ସର୍ବୋଚ୍ଚ ଅଦାଲତ ମାମଲାକୁ ଖାରଜ କରି ଉଭୟ ପକ୍ଷ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦେଶ ଦେଇଛନ୍ତି।
ଚଳିତ ବର୍ଷ ଆନ୍ଧ୍ର ସରକାର ଉକ୍ତ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରାଇବାରୁ ବିବାଦ ପୁନର୍ବାର ମୁଣ୍ଡ ଟେକିଥିଲା। ଓଡ଼ିଶା ସରକାର ଏ ସମ୍ପର୍କରେ ସର୍ବୋଚ୍ଚ ଅଦାଲତରେ ଅଭିଯୋଗ ଦାଖଲ କରିଛନ୍ତି। ଆଇନଗତ ଲଢ଼େଇ ଅବ୍ୟାହତ ରହିଥିବା ବେଳେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସୀମାବିବାଦ, ଜଳ ବିବାଦ, ମାଓଦମନ ଓ ଭାଷା ସସ୍କୃତିର ସମୃଦ୍ଧି ପାଇଁ ସହମତି ପ୍ରକାଶ କରିଥିବାରୁ ସମାଧାନ ଦିଗରେ ନୂଆ ଆଶା ଦେଖାଦେଇଛି।

Comments are closed.