ପୋଲାଭରମ୍‍ ପାଇଁ ଓଡ଼ିଶା ଆସୁଛନ୍ତି ଜଗନ୍‌ : ଓଡ଼ିଶା ପଟରେ ହେବ ସୁରକ୍ଷା ପ୍ରାଚୀର

ନବୀନ କରନ୍ତୁ କୋଟିଆ ଆଲୋଚନା

ମାଲକାନଗିରି : ଆସନ୍ତା ୯ ତାରିଖରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓାଇ.ଏସ୍‍. ଜଗନମୋହନ ରେଡ୍ଡୀ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା କରିବେ। ଏହି ସମୟରେ ଓଡ଼ିଶା ପକ୍ଷରୁ ବଂଶଧାରା ନଦୀ ଜଳ ବିବାଦ ସହ ସଦ୍ୟ କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉଠାଯାଇପାରେ। ଏପରିକି ନିକଟରେ ଆନ୍ଧ୍ର କୋଟିଆରେ ପଶି କରିଥିବା ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଠାଇବା ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଜଗନ ମୁଖ୍ୟତଃ ପୋଲାଭରମ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ଓଡିଶାର ମାଲକାନଗିରି ଜିଲା ସାବେରୀ ଓ ସିଲେରୁ ନଦୀ ଉପରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ୩୨୫କୋଟି ଟଙ୍କାର କଂକ୍ରିଟ ସୁରକ୍ଷା ପ୍ରାଚୀର ବା କାନ୍ଥ ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିସ୍ତୃତ ଆଲୋଚନା କରିବେ ବୋଲି ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବଗତ କରାଯାଇଛି ା ତେବେ ଏହି ପ୍ରାଚୀର ନିର୍ମାଣ ହେଲେ ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡିଶାର ମାଲକାନଗିରି ଜିଲା କ୍ଷତିଗ୍ରସ୍ତ ହେବ ନାହିଁ। ସିଲେରୁ ଓ ସାବେରୀର ପଶ୍ଚାତ୍‌ପଦ ଜଳ (ବ୍ୟାକ୍‌ ୱାଟର) ଓଡ଼ିଶାର ଜନପଦକୁ ପ୍ରବେଶ କରି କ୍ଷତି ଘଟାଇବ ନାହିଁ ବୋଲି ଆନ୍ଧ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଓଡିଶା ସରକାର ପୋଲାଭରମ ଦ୍ୱାରା ମାଲକାନଗିରି ଜିଲା କ୍ଷତିଗ୍ରସ୍ତ ନେଇ ସର୍ବୋଚ୍ଚ ଅଦାଲତର ଦ୍ୱାରସ୍ଥ ହେବା ପରେ ସର୍ବୋଚ୍ଚ ଅଦାଲତର ନିର୍ଦେଶକ୍ରମେ କେନ୍ଦ୍ର ଜଳ ଆୟୋଗ ପକ୍ଷରୁ ଆନ୍ଧ୍ର ସରକାରଙ୍କୁ କଂକ୍ରିଟ ଆଡି ବନ୍ଧ ନିର୍ମାଣ ପାଇଁ ନିର୍ଦେଶ ଦେଇଥିଲେ। ସେହିପରି ଛତିଶଗଡରେ ମଧ୍ୟ ଏହି ଆଡିବନ୍ଧ ନିର୍ମାଣ ପାଇଁ ୨୬୫କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆନ୍ଧ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶଥାଉକି, ଆନ୍ଧ୍ର ସରକାର ୧୯୭୮ରେ ପୋଲାଭରମ୍‍ ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ତଃରାଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ଏହା ମଧ୍ୟରେ କେତେ ସରକାର ଗଲେଣି କିନ୍ତୁ କେହି ବି ଏହି ପ୍ରକଳ୍ପ ବିରୋଧରେ ସ୍ୱର ଉଠାଇବା ପାଇଁ ଇଛା ପ୍ରକାଶ କରି ନ ଥିଲା ଭଳି ମନେ ହେଉଛି। ପୋଲାଭରମ୍‍ ପ୍ରକଳ୍ପ ନିର୍ମାଣ ବିରୋଧରେ ସେ ସମୟରେ ରାଜ୍ୟ ସରକାର କୌଣସି ପ୍ରସ୍ତାବ ନ ରଖିବାରୁ କେନ୍ଦ୍ର ସରକାର ପ୍ରକଳ୍ପ ନିର୍ମାଣ ପାଇଁ ସ୍ୱୀକୃତି ଦେବାର ପରିସ୍ଥିତି ହୋଇଥିଲା। ଏହି ପ୍ରକଳ୍ପଟି ନିର୍ମାଣ ଶେଷ ହେଲେ ଜଳ ଭଣ୍ଡାରଟିି ଓଡିଶାରେ ରହିବ ଏବଂ ଜଳଭଣ୍ଡାର ନିର୍ମିତ ହେବ ଆନ୍ଧ୍ରରେ। ଏହି ଜଳଭଣ୍ଡାରରେ ୧୫୦ ରୁ ୧୮୨ ଫୁଟ ଜଳ ଅଟକି ରହିବ ବୋଲି ଆନ୍ଧ୍ର ସରକାର ୧୯୭୮ ଓ ୧୯୯୬ ମସିହାରେ ଦେଇଥିବା ପ୍ରସ୍ତାବରେ ଉଲ୍ଲେଖ ରହିଛି। ଯଦି ଏପରି ହୁଏ ମାଲକାନଗିରି ଜିଲାର ଅଧିକାଂଶ ଅଞ୍ଚଳ ବର୍ଷା ଦିନେ ବୁଡି ଯିବା ଏହା ସହ ପ୍ରକୃତିରେ ଭରପୁର ବହୁ ଘଞ୍ଚ ଜଙ୍ଗଲ ଜଳମଗ୍ନ ହେବ। ପ୍ରକଳ୍ପ ନିର୍ମାଣ ଶେଷ ହେବା ମାତ୍ରେ ଜିଲାର ମୋଟୁ, କାଲିମେଳା ଓ ପଡ଼ିଆ ବ୍ଲକର ପ୍ରାୟ ୨୮ଟି ଗ୍ରାମ ଜଳମଗ୍ନ ହେବ। ବହୁ ଆଞ୍ଚଳିକ ଆଦିବାସୀ ବିସ୍ଥାପିତ ହେବ। ନିରୀହ ଆଦିବାସୀଙ୍କ ଥଇଥାନ ପାଇଁ ଆନ୍ଧ୍ର ସରକାର କିମ୍ବା କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହେବ କି ନାହିଁ ତାହା ବି ସନ୍ଦେହ। ବଡ ବଡ ଯନ୍ତ୍ରୀମାନଙ୍କ ଜଳଭଣ୍ଡାର ଥିବା ଜଳସ୍ତରକୁ ଆଧାର କରି ବେସରକାରୀ ଭାବେ ଏକ ଆକଳନ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସାବେରୀ ନଦୀ ପାହାଡ଼ିଆ ନଦୀ ହୋଇଥିବା ସହ ଏହି ନଦୀରେ ବହୁ ଛୋଟଛୋଟ ନଦୀ ମିଶିଛି। ବର୍ଷା ଦିନେ ଏଥିରେ ଅଚାନକ ଭାବେ ଜଳସ୍ତର ବୃଦ୍ଧି ପାଇଥାଏ। କେବଳ ଏତିକି ନୁହେଁ ମୋଟୁ ତହସିଲର ସଂରକ୍ଷିତ ଜଙ୍ଗଲ ୬୭୫.୧୩୦୩ ହେକ୍ଟର, ପୋଲୁରୁ ସଂରକ୍ଷିତ ଜଙ୍ଗଲ ୪୦୧.୩୫୫୭ ହେକ୍ଟର, ତାଡିମେଟଲା ସଂରକ୍ଷିତ ଜଙ୍ଗଲର ୩୬୮୫.୧୪୭୭ ହେକ୍ଟର, ଗୁଡା ସଂରକ୍ଷିତ ଜଙ୍ଗଲର ୩୯୭୫.୪୬୭୪ ହେକ୍ଟର, କୁଟୁନିପାଲ୍ଲୀ ସଂରକ୍ଷିତ ଜଙ୍ଗଲର ୯୫୦.୦୩୧୯ ହେକ୍ଟର ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଆକଳନ କରାଯାଉଛି। ତେବେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପୋଲାଭରମ ପ୍ରକଳ୍ପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ନିଶ୍ଚିତ ଭାବେ ମାଲକାନଗିରି ଜିଲାରେ ପୋଲାଭରମ ପ୍ରକଳ୍ପକୁ ନେଇ ଉପୁଜୁଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ଜିଲାବାସୀ ଆଶାବାଦୀ ରହିଛନ୍ତି।

Comments are closed.