ଭୁଶୁଡ଼ିଲା ନିର୍ମାଣାଧୀନ ପୋଖରୀ ହୁଡ଼ା

ଅନୁଗୋଳ: ବନ୍ତଳା ଥାନା ଅନ୍ତର୍ଗତ ପାଣ୍ଡୁରୁଶୁଣିଠାରେ ଏକ ପୋଖରୀର ହୁଡ଼ା ନିର୍ମାଣାଧୀନ ଅବସ୍ଥାରେ ଭୁଶୁଡ଼ି ଯାଇଛି। ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ରହିଥିବା ଏହି ପୋଖରୀ ହୁଡ଼ା ଭାଙ୍ଗିବା ଘଟଣା ଯେତିକି ସମ୍ବେଦନଶୀଳ ନୁହେଁ ବରଂ ଗଣମାଧ୍ୟମ ନଜରରୁ ଏହାକୁ ଦୂରେଇ ରଖିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦ୍ୟମ ଆଲୋଚନାର ପ୍ରସଙ୍ଗ ସାଜିଛି।
ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗଦ୍ବାରା ଉକ୍ତ ପୋଖରୀର ଖନନ କାର୍ଯ୍ୟ କନିଷ୍ଠଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ଖନନ କରାଯାଇଥିଲା। ପରବର୍ତ୍ତୀ ସମୟରେ ତଳ ପାର୍ଶ୍ବରେ ପ୍ରବାହିତ ଜଳସ୍ରୋତରୁ ହୁଡ଼ାକୁ ରକ୍ଷା କରାଯିବା ଲାଗି ସେଠାରେ ପାଚେରି ନିର୍ମାଣ କରାଯାଉଥିଲା ଯାହା ଭାଙ୍ଗିଯାଇଥିବା ପ୍ରକାଶ। କେବଳ ନିମ୍ନମାନର କାର୍ଯ୍ୟ କାରଣରୁ ଏପରି ଅବସ୍ଥା ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବାରଗୌଣିଆ ପଞ୍ଚାୟତର ପାଣ୍ଡୁରୁଶୁଣି ମନ୍ଦିରଠାରେ ନିର୍ମାଣାଧୀନ ରହିଥିବା ଗ୍ରାମୀଣ ଉଦ୍ୟାନ ପୋଖରୀର ଏହି ଭଙ୍ଗା ଚିତ୍ର ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ହୁଡ଼ା ଭାଙ୍ଗିଯିବା ପରେ ପ୍ରଶାସନିକ ଅଧିକାରୀ ମାନେ ବାରମ୍ବାର ସେଠାରେ ପହଞ୍ଚିବା ଏବଂ ଖବର ଯେପରି ଗଣମାଧ୍ୟମକୁ ନ ଯାଏ ସେ ଦିଗରେ ଆପ୍ରାଣ ଉଦ୍ୟମ କରିଥିବା ପ୍ରକାଶ।

ଜିଲାରେ ପର୍ଯ୍ୟଟନର ବିକାଶ ଲାଗି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ଅର୍ଥ ବିନିଯୋଗ କରାଯାଇ ବିଭିନ୍ନ ପଞ୍ଚାୟତସ୍ତରରେ ରହିଥିବା ମଠ, ମନ୍ଦିର ତଥା ଦର୍ଶନୀୟ ସ୍ଥାନଗୁଡିକରେ କାର୍ଯ୍ୟ କରାଯାଉଛି। ପର୍ଯ୍ୟଟନର ବିକାଶ ସହ ଉକ୍ତ ଅଞ୍ଚଳଗୁଡିକର ଏହାଦ୍ବାରା ବିକାଶ ହୋଇପାରିବାର ଲକ୍ଷ୍ୟ ରଖାଯାଇଛି। ଏ ସଂକ୍ରାନ୍ତରେ ଯୋଗାଯୋଗ କରାଯିବାରେ ଅନୁଗୋଳ ବ୍ଲକର ସହକାରୀ ଯନ୍ତ୍ରୀ ହୃଦାନନ୍ଦ ବେହେରା ସୂଚନା ଦେଇଛନ୍ତି ଯେ କାର୍ଯ୍ୟଗୁଡିକ ମନରେଗା ଅର୍ଥରେ କରାଯାଉଛି। ଭାଙ୍ଗିଯାଇଥିବା ପୋଖରୀ ହୁଡ଼ା କାର୍ଯ୍ୟ କାହାକୁ, କେତେ ଟଙ୍କାରେ କରିବା ଲାଗି ପ୍ରଦାନ କରାଯାଇଥିଲା ବୋଲି ପଚରାଯିବାରେ ସେ ତା’ର ସଠିକ୍‌ ଉତ୍ତର ଦେଇପାରି ନଥିଲେ। ଏ ସଂକ୍ରାନ୍ତରେ ଆମେ ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ୍‌ ଉଠାଇ ନଥିବାରୁ ତାଙ୍କ ମତାମତ ନିଆଯାଇପାରି ନାହିଁ। ଅପରପକ୍ଷରେ ଏହି ପ୍ରସଙ୍ଗରେ ବାରଗୌଣିଆ ପଞ୍ଚାୟତବାସୀ ଆସନ୍ତାକାଲି ଜିଲାପାଳଙ୍କୁ ଭେଟି ଅଭିଯୋଗ କରିବାର ଯୋଜନା କରିଥିବା ସୂଚନା ମିଳିଛି।

Comments are closed.