ଦାଦନ ମୁକ୍ତ ଗାଁ କରିବାକୁ ପଣ କରିଛନ୍ତି ଗ୍ରାମବାସୀ

ଅନୁଗୋଳ: ଅନୁଗୋଳ ଜିଲା କିଶୋରନଗର ବ୍ଲକ ପ୍ରତାପପୁର ଗ୍ରାମବାସୀଙ୍କ ଚିନ୍ତାଧାରା ନିଆରା। ପରପାଖରେ ଦାଦନ ନ ଖଟି ନିଜେ ନିଜ ପାଇଁ ରୋଜଗାର କରିବାକୁ ମନସ୍ଥ କରି ପୁରୁଷ ପୁରୁଷ ଧରି ନିଜ ଜମିରେ ଚାଷ କରୁଛନ୍ତି ଏବଂ ସଫଳ ହୋଇଛନ୍ତି। କେବଳ କୋବିଚାଷ କରି ସାରାରାଜ୍ୟରେ ପରିଚିତ ହୋଇପାରିଛନ୍ତି। ଗୋଟିଏ ଗୋଟିଏ ପରିବାର ବାର୍ଷିକ ପ୍ରାୟ ୫ରୁ ୮ଲକ୍ଷ ଟଙ୍କା ଏଥିରୁ ରୋଜଗାର ହେଉଥିବା ବେଳେ ସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଉଦେଶ୍ୟ ହେଉଛି ଗାଁର କେହି ପରପାଖରେ ମୂଲ ଲାଗିବେ ନାହିଁ କି ଚାକିରୀ କରିବେ ନାହିଁ।

ପ୍ରତାପପୁର ଗାଁରେ ବାସ କରନ୍ତି ୧୦୦ରୁ ଅଧିକ ପରିବାର। ସମସ୍ତଙ୍କର ନିଶା ଓ ପେସା ହେଉଛି ଚାଷ। ବିଶେଷ କରି କୋବି ଚାଷ ହେଉଛି ଲୋକଙ୍କର ମୁଖ୍ୟ ଫସଲ। ପ୍ରାୟ ୪ଶହ ଏକରରୁ ଅଧିକ ଜମିରେ ସେମାନେ କୋବି ଚାଷ କରନ୍ତି। କୋବିଚାଷ କରି ସେମାନେ ରାଜ୍ୟରେ ଖ୍ୟାତି ଅର୍ଜନ କରି ପାରିଛନ୍ତି। ରାତିପାହିଲେ ପ୍ର​‌େ​‌ତ୍ୟକ ପରିବାରର ପିଲାଛୁଆ, ପୁରୁଷ, ମହିଳା, ଯୁବକ ଯୁବତୀ ଓ ବୁଢ଼ାବୁଢ଼ୀ ସମସ୍ତେ ବାହାରି ପଡନ୍ତି କୋବି ବଗିଚାକୁ। ଅକ୍ଲାନ୍ତ ପରିଶ୍ରମ କରି ଭଲ କିଶମର କୋବି ଉତ୍ପନ କରୁଛନ୍ତି। ବଡ଼ କଥା ହେଲା ଗାଁରେ କେହି ଚାକିରୀ ଏପରିକି ସରକାରୀ ଚାକିରୀ କରିବା କିମ୍ବା ବାହାରକୁ ପେଟ ପୋଷିବାକୁ ଯାଆନ୍ତି ନାହିଁ। ଜିଲାର ଆଠମଲ୍ଲିକ ଓ କିଶୋରନଗର ବ୍ଲକର ଅଧିକାଂଶ ଯୁବକ ବାହାରକୁ ଦାଦନ ଖଟିବାକୁ ଯାଆନ୍ତି। କିନ୍ତୁ ପ୍ରତାପପୁର ଗାଁରେ ଏହା ଦେଖିବାକୁ ମିଳେ ନାହିଁ। ଏହି ଗ୍ରାମର କୋବିର ଚାହିଦା ବାହାରେ ବହୁତ । କୋବି ଚାଷ ସମୟରେ ବାହାର ଜିଲା ଲୋକଙ୍କର କୋବି କିଣାବିକା ପାଇଁ ଲାଗିଯାଏ ଗହଳି। ଦେଖିବାକୁ ମିଳେ ବିଭିନ୍ନ ପ୍ରକାର ଗାଡି । ବିଭିନ୍ନ ଜିଲା ତଥା ରାଜ୍ୟ ବାହାରକୁ କୋବି ଚାଲାଣ କରି ଭଲ ଅର୍ଥ ରୋଜଗାର କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଗ୍ରାମବାସୀ ।

ଚାଷରେ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ସମୟରେ ଜଙ୍ଗଲୀ ଜୀବଜନ୍ତୁ ହାତୀ, ମାଙ୍କଡ଼ ଫସଲ ଉଜାଡିବାର ନଜିର ମଧ୍ୟ ରହିଛି। ଏହା ଉପରେ ପ୍ରଶାସନିକ ନଜର ସହ ସରକାରସ୍ତରରେ ଉତ୍ତମ ମାନର ସାର ଓ ବିହନ ଯୋଗାଇ ଦିଆଯାଇପାରିଲେ ଗ୍ରାମବାସୀ ଅଧିକ ସଫଳ ହୋଇପାରନ୍ତେ। ଗାଁର ବାଳକୃଷ୍ଣ ପ୍ରଧାନ, ମନୋଜ ସାହୁ, ପାଣ୍ଡବ ପ୍ରଧାନ, କୁନା ପ୍ରଧାନ ଓ ସଞ୍ଜୟକୁମାର ସାହୁଙ୍କ ସମେତ ବହୁ ଗ୍ରାମବାସୀ କୁହନ୍ତି ଆମ ଅଞ୍ଚଳରେ ବହୁ ଯୁବକ ପେଟ ପାଇଁ ବହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଗ୍ରାମବାସୀ ନିଷ୍ପତ୍ତି ନେଇଛୁ ଆମ ବାପ ଅଜା ଅମଳର ଯେଉଁ ଜମି ଅଛି ପରିଶ୍ରମ ସେଥିରେ ସୁନା ଫଳାଇବୁ। ଗାଁର କେହି ବାହାରକୁ ଯିବେ ନାହିଁ। ବିଗତ ୩୦/୪୦ବର୍ଷ ଧରି ଏମିତି ଚାଲିଛି। ଏହା ଆମକୁ ଆତ୍ମସନ୍ତୋଷ ଦେଉଛି।

Comments are closed.