ସଡ଼କ ଦେଲା ସ୍ୱତନ୍ତ୍ର ପରିଚୟ, ୟୁପିରେ ଚାହିଦା ସାତକୋଶିଆ କନ୍ଦମୂଳ

ଅନୁଗୋଳ/ବନ୍ତଳା: ଏକଦା ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳ ଭାବେ ଜିଲାରେ ପରିଚିତ ଥିବା ସାତକୋଶିଆ ଏବେ ସୃଷ୍ଟି କରିଛି ସ୍ୱତନ୍ତ୍ର ପରିଚୟ। ସାତକୋଶିଆର ମାଟିରେ ଉତ୍ପାଦିତ ହେଉଥିବା କନ୍ଦମୂଳ ବା ସାକରକନ୍ଦ ଏବେ ଓଡ଼ିଶା ତଥା ରାଜ୍ୟ ବାହାରେ ଲୋକଙ୍କ ମନ ଜିଣୁଛି। ଆଉ ସଡ଼କ ଯୋଗାଯୋଗ ପାଇଁ ଏହି ସବୁ ସମ୍ଭବ ହୋଇପାରିଛି।
ସାତକୋଶିଆ ଅଞ୍ଚଳଟି ଜଙ୍ଗଲ ଘେରା। ଏଠାକାର ଜମି ବହୁତ ଉର୍ବର ଓ ଚାଷ ଉପଯୋଗୀ। ତେଣୁ ଅଞ୍ଚଳର ପ୍ରାୟତଃ ଲୋକ ଚାଷ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ମୁଖ୍ୟତଃ ସେମାନେ ଚାଷ ଉପରେ ନିର୍ଭର କରୁଥିଲେ ହେଁ ସଠିକ୍ ସଡ଼କ ସଂଯୋଗ ଏବଂ ବିପଣନ ବ୍ୟବସ୍ଥା ଅଭାବରୁ ଉତ୍ପାଦିତ ଫସଲର ଭଲ ମୂଲ୍ୟ ପାଇବାରେ ଅସମର୍ଥ ହୋଇଥାନ୍ତି।
ଅଞ୍ଚଳର ଜମି ଉର୍ବର ଏବଂ ବାଲୁକା। ମିଠା ଆଳୁଚାଷ ପାଇଁ ଏହା ଉପଯୁକ୍ତ। ଅଞ୍ଚଳର ୨୦ରୁ ଊର୍ଦ୍ଧ୍ବ ଗାଁ କନ୍ଦମୂଳ ଚାଷକୁ ନିଜର ମୁଖ୍ୟ ବେଉସା ଭାବେ ଗ୍ରହଣ କରିଛନ୍ତି। ପୂର୍ବରୁ ଯାହା କନ୍ଦମୂଳ ଅମଳ ହେଉଥିଲା ତାହା କେବଳ ଆଞ୍ଚଳିକ ବଜାରରେ ବିକ୍ରି କରିବାକୁ ବାଧ୍ୟ ହେଉଥିଲେ। ୬୦ରୁ ୭୦ କିଲୋମିଟର ଯାଇ ଅଞ୍ଚଳର ଚାଷୀମାନେ ଅନୁଗୋଳର ସାପ୍ତାହିକ ହାଟରେ ବିକ୍ରି କରୁଥିଲେ।

କ୍ଷେତରୁ ଉତ୍ପାଦିତ କନ୍ଦମୂଳକୁ ଭଡାଗାଡିରେ ପରିବହନ କରି ସ୍ଥାନୀୟ ବ୍ୟବସାୟୀଙ୍କୁ କିଲୋଗ୍ରାମ ପିଛା ୩ରୁ ୪ଟଙ୍କା ମୂଲ୍ୟରେ ବିକ୍ରୟ କରି ପରିଶ୍ରମ ଅନୁଯାୟୀ ଲାଭ ପାଉ ନଥିଲେ। ଏହାର ମୁଖ୍ୟ କାରଣ ଥିଲା ଗାଁରୁ ଗାଁକୁ ଓ ଗାଁରୁ ସହରକୁ ସଡ଼କ ଯୋଗାଯୋଗର ଅଭାବ। ୨୦୧୯ରେ ସାତକୋଶିଆ ଅଞ୍ଚଳର ଟାଇଁସି ଗ୍ରାମବାସୀ ଅଞ୍ଚଳରେ ସଡ଼କ ସଂଯୋଗ ସମସ୍ୟାର ସମାଧାନ ପାଇଁ ତତ୍କାଳୀନ ପୂର୍ତ୍ତସଚିବ ନଳୀନକାନ୍ତ ପ୍ରଧାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ନିର୍ଦେଶ ପରେ ରାସ୍ତା ନିର୍ମାଣ ହୋଇଥିଲା। ତାର ଫଳସ୍ବରୂପ ଆଜି ଏଠାରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଟାଇଁସି-କୋଠଭୂଇଁ ଭାୟା କଦଳୀବେରେଣୀ, ଟାଇଁସି-ବଡତଇଳା, ହିଞ୍ଜାଗୋଳା-କଦଳୀବେରେଣୀ ଭାୟା ଦଣ୍ଡସିଂହା, କୋଠଭୂଇଁ-ଜୟନ୍ତୀନଗର ଭାୟା ସଂକ୍ରିଡା, ପୁରୁଣାଗଡ଼-ଜଗନ୍ନାଥପୁର ଭାୟା ମାଣିକଯୋଡି, ବଡକ୍ଷେତା-ସାଲର, କରଡାପଡା-ଗଇଁଦି ଆଦି ଗାଁକୁ ରାସ୍ତା ସଂଯୋଗ ହୋଇପାରିଛି।
ଚଳିତବର୍ଷ ଅଞ୍ଚଳରୁ ୪୦୦ ଟନ୍‌ରୁ ଅଧିକ ମିଠା ଆଳୁ (କନ୍ଦମୂଳ) ଉତ୍ତରପ୍ରଦେଶର ଅଯୋଧ୍ୟା, ସୁଲତାନପୁର ଏବଂ ଲକ୍ଷ୍ନୌକୁ ଯୋଗାଣ କରାଯାଇଛି। ତାହା ସହ ୩୦୦ ଟନ୍ ମିଠା ଆଳୁ ଭଦ୍ରକ, କଟକ, ଭୁବନେଶ୍ୱର ଓ ପୁରୀର ବଜାରଗୁଡିକରେ ବିକ୍ରି ହୋଇଛି।
ପୂର୍ବରୁ ଯେଉଁ କନ୍ଦମୂଳକୁ ୫ରୁ ୬ ଟଙ୍କା କେଜି ପ୍ରତି ସେମାନେ ବିକ୍ରି କରୁଥିଲେ ବର୍ତ୍ତମାନ ଉତ୍ପାଦିତ ଫସଲକୁ ନିଜ ଘର ମୁହଁରେ ପ୍ରାୟ ୨୧ ଟଙ୍କା କିଲୋଗ୍ରାମରେ ବିକ୍ରି କରୁଛନ୍ତି ା ବ୍ୟବସାୟୀମାନେ ଆସନ୍ତାବର୍ଷର ଫସଲ ପାଇଁ ଚାଷୀଙ୍କୁ ଅଗ୍ରୀମ ଟଙ୍କା ଦେଇଥିବା ଜଣାଯାଇଛି।

Comments are closed.