ରାସ୍ତା ଉପରେ ନ୍ୟାୟ: ରୋଡ୍‌ ରୋମିଓଙ୍କୁ ୩୩ ସେକେଣ୍ଡରେ ୨୬ ଥର ଚପଲ ମାଡ଼

କାନପୁର: ରୋଡ୍‌ ରୋମିଓଙ୍କୁ ରାସ୍ତା ଉପରେ ମିଳିଛି ଶାସ୍ତି। ସ୍କୁଲ ଯାଉଥିବା ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ଏହି ରୋଡ୍‌ ରୋମିଓଙ୍କୁ ଜଣେ ମହିଳା ପୁଲିସ କର୍ମଚାରୀ ଚପଲରେ ପିଟିଛନ୍ତି। ୩୩ ସେକେଣ୍ଡ ମଧ୍ୟରେ ମହିଳା ପୁଲିସ ଜଣକ ଅଭିଯୁକ୍ତଙ୍କୁ ୨୬ ଥର ଚପଲରେ ପିଟିବା ସହିତ ଘଟଣାସ୍ଥଳରେ ହିଁ ଛାତ୍ରୀମାନଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁର ସହରରେ।

ବିଠୁର ଥାନା ଅଞ୍ଚଳରେ ଥିବା ଏକ ମହିଳା କଲେଜ ନିକଟରେ ଜଣେ ଯୁବକ ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଏ ନେଇ ଖବର ମିଳିବା ପରେ ଆଣ୍ଟି ରୋମିଓ ସ୍କ୍ବାଡ୍‌ର ପୁଲିସ ସେଠାରେ ପହଞ୍ଚି ଯାଇଥିଲେ। ସ୍କ୍ବାଡ୍‌ର ଜଣେ ମହିଳା କର୍ମଚାରୀ ସମ୍ପୃକ୍ତ ରୋଡ୍‌ ରୋମିଓଙ୍କୁ ଧରି ସେହିଠାରେ ଚପଲରେ ପିଟିଥିଲେ। ଆଇପିସି ଧାରା ୨୯୪ ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୂଚନା ଅନୁସାରେ ଉକ୍ତ କଲେଜ ନିକଟରେ ରୋଡ୍‌ ରୋମିଓଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କଲେଜ ଯାଉଥିବା ଛାତ୍ରୀମାନଙ୍କୁ ରୋଡ୍‌ ରୋମିଓମାନେ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି, ଯାହାକୁ ନେଇ ଅନେକ ଛାତ୍ରୀ ଥାନାରେ ଅଭିଯୋଗ କରିଆସୁଥିଲେ। ବାରମ୍ବାର ଅଭିଯୋଗ ମିଳିବା ପରେ ଆଣ୍ଟି ରୋମିଓ ସ୍କ୍ବାଡ୍‌ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେଇଛି। ମଙ୍ଗଳବାର ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ଜଣେ ରୋଡ୍‌ ରୋମିଓଙ୍କୁ ଧରି ଘଟଣାସ୍ଥଳରେ ହିଁ ଉତ୍ତମ ମଧ୍ୟମ ଦିଆଯାଇଛି।

Comments are closed.