ପୁଣି ଏକ ବ୍ୟାଙ୍କ ଋଣ ଘୋଟାଲା: ଜାମ୍ମୁ ଓ କାଶ୍ମୀର ବ୍ୟାଙ୍କରେ ୧୧୦୦ କୋଟିର ଠକେଇ

ଜାମ୍ମୁ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି), ପଞ୍ଜାବ ମହାରାଷ୍ଟ୍ର କୋ-ଅପରେଟିଭ ବ୍ୟାଙ୍କ ପରେ ଏବେ ଦେଶର ଆଉ ଏକ ବ୍ୟାଙ୍କ ଜମ୍ମୁ ଓ କଶ୍ମୀର ବ୍ୟାଙ୍କରେ ବଡ଼ ଧରଣର ଋଣ ଠକେଇ ଘଟଣାର ପର୍ଦାଫାସ ହୋଇଛି। ରାଇସ ଏକ୍ସପୋର୍ଟସ ଇଣ୍ଡିଆ (ଆରଇଆଇ) ଆଗ୍ରୋ ଲିମିଟେଡକୁ ଋଣ ଯୋଗାଣ କ୍ଷେତ୍ରରେ ଅନିୟମିତତା କରିଥିବା ଜଣାପଡ଼ିଛି। ତେ​‌ବେ ଋଣ ପ୍ରଦାନ କ୍ଷେତ୍ରରେ ୧୧୦୦ କୋଟିରୁ ଅଧିକ ଟଙ୍କାର ଏହି ଠକେଇ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଘଟଣା ଉପରେ ମାମଲା ରୁଜୁ କରି ଏବେ ତଦନ୍ତ ଚଳାଇଛି। ଏ ସମ୍ପର୍କରେ ଏସିବିର ଜଣେ ଅଧିକାରୀ କହିଛନ୍ତି ପ୍ରାଥମିକ ଭାବରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ବିଭିନ୍ନ ଟିମ୍ ଏବେ ଦେଶର ୧୬ଟି ସ୍ଥାନରେ ଚଡଉ କରୁଛି। ଜମ୍ମୁ ଓ କଶ୍ମୀର ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ମୁସ୍ତାକ୍ ଅହମ୍ମଦ ଶେଖ୍‌ଙ୍କ ବାସଗୃହ କଶ୍ମୀରର ୯ଟି, ଜମ୍ମୁର ୪ଟି ଏବଂ ଦିଲ୍ଲୀର ୩ଟି ସ୍ଥାନରେ ଏହି ଚଢଉ କରାଯାଇଛି । ସେ ଆହୁରି କହିଛନ୍ତି ଆରଇଆଇ ଆଗ୍ରୋର ଅଧ୍ୟକ୍ଷ ସଞ୍ଜୟ ଝୁନଝୁନୱାଲା ଏବଂ ଉପାଧ୍ୟକ୍ଷ ସନ୍ଦୀପ ଝୁନଝୁନୱାଲାଙ୍କ ଦିଲ୍ଲୀ ସ୍ଥିତ ଘରେ ମଧ୍ୟ ତିନୋଟି ଟିମ୍ ଚଢଉ କରୁଛି। ମାମଲାର ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଏଜେନ୍ସିର ପ୍ରବକ୍ତା କହିଛନ୍ତି ।
ପ୍ରାଥମିକ ତଦନ୍ତବେଳେ ଜଣାପଡିଛି ଯେ, ମୁମ୍ୱଇ ଏବଂ ଦିଲ୍ଲୀ ସ୍ଥିତ ବସନ୍ତ ବିହାର ଅଂଶଲ ପ୍ଲାଜାରେ ଜେକେ ବ୍ୟାଙ୍କ ଶାଖା ରହିଛି। ଏହି ଦୁଇ ଶାଖାରୁ ୨୦୧୧ରୁ ୨୦୧୩ ମଧ୍ୟରେ ବ୍ୟାଙ୍କ ଅଧିକାରୀ ଆରଇଆଇ ଆଗ୍ରୋ କମ୍ପାନୀର ଜାଲ କାଗଜପତ୍ରକୁ ପାଖରେ ରଖି ୮୦୦ କୋଟି ଟଙ୍କାର ଋଣ ଦେଇଥିଲେ। ଆରଇଆଇ ଆଗ୍ରୋ ଏହି ଋଣ ପ୍ରଦାନବେଳେ ବ୍ୟାଙ୍କ ଆବଶ୍ୟକ ନିୟମ ଅନୁପାଳନ କରି ନ ଥିବା ଜଣାପଡ଼ିଛି। ୨୦୧୪ ବେଳକୁ ଏହି ଋଣକୁ ଅଣକାର୍ଯ୍ୟକାରୀ ସମ୍ପତ୍ତିି(ଏନପିଏ)ରେ ପରିଣତ କରାଯାଇଥିଲା। ଋଣ ନେବା ସମୟରେ ଆରଇଆଇ ଆଗ୍ରୋ କଲକାତାରେ ମୁଖ୍ୟ କାର୍ଯ୍ୟାଳୟ, ଦିଲ୍ଲୀରେ କର୍ପୋରେଟ ଅଫିସ, ମୁମ୍ୱଇରେ ଶାଖା ଅଫିସ ରହିଛି ବୋଲି ଜେକେ ବ୍ୟାଙ୍କକୁ ଦେଇଥିବା କାଗଜପତ୍ରରେ ଦର୍ଶାଇଥିଲା। ପରବର୍ତ୍ତୀ ସମୟରେ ଆରଇଆଇର ମୁମ୍ୱଇରେ କୌଣସି ଶାଖା ଅଫିସ ନ ଥିବା ଜଣାପଡ଼ିଥିଲା। ତେବେ ଏଭଳି ଜାଲ କାଗଜପତ୍ର ଦର୍ଶାଇ ଜମ୍ମୁ ଓ କଶ୍ମୀର ବ୍ୟାଙ୍କର ମୁମ୍ୱାଇ ଶାଖାରୁ ଆରଇଆଇ ୫୫୦ କୋଟି ଟଙ୍କାର ଋଣ ପାଇବାରେ ସଫଳ ହୋଇଥିଲା। ସେହିପରି ଆରଇଆଇ ଦିଲ୍ଲୀର ବସନ୍ତ ବିହାର ଅଂଶଲ ପ୍ଲାଜା ଶାଖାରୁ ୧୩୯ କୋଟି ଟଙ୍କାର ଋଣ ହାସଲ କରି​‌ନେଇଥିଲା।
ସୂଚନାଯୋଗ୍ୟ, ଚଳିତବର୍ଷ ଜୁନରେ ଜମ୍ମୁ କଶ୍ମୀର ସରକାର ଜମ୍ମୁ କଶ୍ମୀର ବ୍ୟାଙ୍କର ଅଧ୍ୟକ୍ଷ ପରଭେଜ ଅହମ୍ମଦଙ୍କୁ ହଟାଇ ଦେଇଥିଲେ। ଅହମ୍ମଦ ୨୦୧୬ରେ ବ୍ୟାଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିଲେ। ପରଭେଜଙ୍କୁ ହଟାଯିବା ପରେ ରାଜ୍ୟର ଭିଜିଲାନ୍ସ ବ୍ୟୁରୋ ଶନିବାର ଶ୍ରୀନଗର ମୁଖ୍ୟ କାର୍ଯ୍ୟାଳୟରେ ଚଢଉ କରିଥିଲେ। ଏହି ସମୟରେ ଭିଜିଲାନ୍ସ ବ୍ୟାଙ୍କର ୧୨୦୦ ନିଯୁକ୍ତପତ୍ର ବାବଦରେ ତଦନ୍ତ କରିଥିଲା।

Comments are closed.