ପଶ୍ଚିମବଙ୍ଗ ବିଧାନସଭାରେ ସିଏଏ ବିରୋଧୀ ସଂକଳ୍ପ ଗୃହୀତ

କୋଲକତା: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର କେତେକ ଅଞ୍ଚଳରେ ବିରୋଧ ପଦର୍ଶନ ଜାରୀ ରହିଛି। ଏସବୁ ମଧ୍ୟରେ ରାଜସ୍ଥାନ, ପଞ୍ଜାବ ଏବଂ କେରଳ ଭଳି ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ନାଗରିକତା ସଂଶୋଧନ ଆଇନ ବିରୋଧରେ ସଂକଳ୍ପ ଗୃହୀତ ହୋଇଛି। ପଶ୍ଚିମବଙ୍ଗର ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜି ସିଏଏ ବିରୋଧରେ ପ୍ରସ୍ତାବ ରଖିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ ବିରୋଧୀ ଦଳ କଂଗ୍ରେସ ଏବଂ ବାମଦଳକୁ ଅନୁରୋଧ କରି ସଂକୀର୍ଣ୍ଣ ରାଜନୌତିକ ମତଭେଦରୁ ଦୂରରେ କେନ୍ଦ୍ରର ‘ଫାଶିବାଦୀ ବିଜେପି ସରକାର’ ବିରୋଧରେ ଏକ ସଙ୍ଗରେ ଲଢିବାକୁ ଆହ୍ବାନ ଦେଇଥିଲେ। ମମତା ଏନପିଆର,ଏନଆରସି ଏବଂ ସିଏଏ ସମ୍ପର୍କରେ ମତାମତ ଦେଇ କହିଥିଲେ ନାଗରିକତା ସଂଶୋଧନ ଆଇନ ଜନବିରୋଧି ଏବଂ ଦେଶର ସମ୍ବିଧାନ ବିରୋଧୀ ଅଟେ। ଏଣୁ ଏହି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ଆବଶ୍ୟକ ବୋଲି ମମତା କହିଛନ୍ତି।

ସୂଚନାଯୋଗ୍ୟ ସିଏଏ ନିୟମ ଅନୁଯାୟୀ, ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତକୁ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣ ମୁସଲିମ ନାଗରିକଙ୍କୁ ଭାରତୀୟ ନାଗରିକତା ମିଳିବ। ଏହାକୁ ନେଇ ବିରୋଧୀ ଆପତ୍ତି ଉଠାଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ନାଗରିକତା ସଂଶୋଧନ ଆଇନ ବିରୋଧରେ ସଂକଳ୍ପ ଗୃହୀତ ହେବା ପୂର୍ବରୁ ରାଜସ୍ଥାନ ଏବଂ ପଞ୍ଜାବ ଏବଂ କେରଳ ବିଧାନସଭାରେ ସିଏଏ ବିରୋଧରେ ସଂକଳ୍ପ  ଗୃହୀତ ହୋଇସାରିଛି।

Comments are closed.