ପଶୁଙ୍କୁ ବରଦାନ ବ୍ରହ୍ମପୁର​‌ ଆନ୍ଥ୍ରାକ୍ସ ଟିକା

ବାର୍ଷିକ ୩୫ ଲକ୍ଷ ଟିକା ଉତ୍ପାଦନ, ସ୍ଥାୟୀ କର୍ମଚାରୀ, ଅତ୍ୟାଧୁନିକ ଜିଏମପି ଲ୍ୟାବ୍ କେବେ ?

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଥିବା ଆନ୍ଥ୍ରାକ୍ସ ଓ  ଏଣ୍ଟ୍ରୋଟକ୍ସିମିଆ ଟିକା ଉତ୍ପାଦନ କେନ୍ଦ୍ର ରାଜ୍ୟ ତଥା ବାହାର ରାଜ୍ୟର ଗୃହପାଳିତ ପଶୁ ସହ ବନ୍ୟଜନ୍ତୁଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଛି। ଏହି କେନ୍ଦ୍ରରେ ବାର୍ଷିକ ୩୫ ଲକ୍ଷ ଟିକା ଉତ୍ପାଦନ ହେଉଛି। ହେଲେ ରାଜ୍ୟର ଲକ୍ଷ ଲକ୍ଷ ପଶୁଙ୍କୁ ରୋଗ ଦାଉରୁ ରକ୍ଷା କରୁଥିବା ଏହି କେନ୍ଦ୍ରରେ ଅବଶ୍ୟକୀୟ କର୍ମଚାରୀ ନାହାନ୍ତି।ସେହିପରି ଏଠାରେ ଅତ୍ୟାଧୁନିକ ଜିଏମପି ଲ୍ୟାବ୍ରୋଟାରୀ କେବେ ନିର୍ମାଣ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।
ଭୁବନେଶ୍ବରରେ ଥିବା ଓଡ଼ିଶା ବାୟୋଲୋଜିକାଲ ପ୍ରଡକ୍ଟସ ଇନଷ୍ଟିଚ୍ୟୁଟ (ରାଜ୍ୟ ଟିକା ଉତ୍କାଦନ ପ୍ରତିଷ୍ଠାନ)ର ଏକ ଉପକେନ୍ଦ୍ର ଭାବେ ୧୯୯୨ରେ ବ୍ରହ୍ମପୁରର ଆସିକା ରୋଡ ନିକଟସ୍ଥ ବଙ୍ଗାଳି ସାହିରେ ଏହି ଟିକା ଉତ୍ପାଦନ କେନ୍ଦ୍ର ସ୍ଥାପନ ହୋଇଥିଲା। ପ୍ରାଣୀ ପାଳନ ଓ ପ୍ରାଣୀଚିକିତ୍ସା ବିଭାଗ ଦ୍ବାରା ପରିଚାଳିତ ଏହି କେନ୍ଦ୍ରରେ ସେତେବେଳେ କେବଳ ଦକ୍ଷିଣ ଓଡ଼ିଶାର ଗାଈ-ଗୋରୁଙ୍କ ପାଇଁ ବିଭିନ୍ନ ଟିକା ଉତ୍ପାଦନ ହେଉଥିଲା।  ୧୯୯୭ ପରେ ଏହି ଉପକେନ୍ଦ୍ରରେ ଟିକାର ବ୍ୟାବସାୟିକ ଉତ୍ପାଦନ ଆରମ୍ଭ ହୋଇଥିଲା। ମାତ୍ର ୨୦୦୬ରେ ବିଭାଗର ନିର୍ଦେଶ ପ୍ରକାରେ ଏଠାରେ ଆନ୍ଥ୍ରାକ୍ସ ଓ ଏଣ୍ଟ୍ରୋଟକ୍ସିମିଆ ଟିକା ଉତ୍ପାଦନ କରାଯାଉଛି। ପ୍ରତିବର୍ଷ କେତେ ଟିକା ଉତ୍ପାଦନ ହେବ ବିଭାଗ ପକ୍ଷରୁ ଏହି କେନ୍ଦ୍ରକୁ ଟାର୍ଗେ​‌ର୍ଗଟ ଦିଆଯାଉଛି। ସେହିକ୍ରମରେ ଏହି କେନ୍ଦ୍ରରେ ବାର୍ଷିକ ୨୦ ଲକ୍ଷ ଆନ୍ଥ୍ରାକ୍ସ ଟିକା ଓ ୧୫ ଲକ୍ଷ ଏଣ୍ଟ୍ରୋଟକ୍ସିମିଆ ଟିକା ଉତ୍ପାଦନ ହେଉଛି।
୨୦୦୬ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୫ କୋଟି ଟିକା ପ୍ରସ୍ତୁତ କରାଯାଇ ସାରିଥିବା ବେଳେ ରାଜ୍ୟର କୋରାପୁଟ, ସୁନ୍ଦରଗଡ, କଟକ ଭଳି ବିଭିନ୍ନ ଜିଲାର ଚାହିଦା ପୂରଣ କରାଯାଇପାରୁଛି। ସେହିପରି ଏଠାରେ ପ୍ରସ୍ତୁତ ଟିକା ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ପଠାଯାଇଥିବା ନଜିର ରହିଛି। ଆନ୍ଥ୍ରାକ୍ସ ରୋଗ ସାଧାରଣତଃ ଗାଈ, ଗୋରୁ, ଛେଳି, ମେଣ୍ଡା, ମଇଁଷି, ସହ ବାଘ, ଘୋଡା ଭଳି ବନ୍ୟ ଜନ୍ତୁଙ୍କଠାରେ ଦେଖାଯାଇଥାଏ। ଏହି ରୋଗ ହେଲେ ପଶୁ ରକ୍ତ ଝାଡା ଓ ବାନ୍ତି କରି ନିଶ୍ଚିତ ମୃତ୍ୟୁମୁଖରେ ପଡନ୍ତି। ଆଉ ସେହି ମୃତ ପଶୁଙ୍କ ମାଂସ ଖାଉଥିବା ମଣିଷକୁ ଆନ୍ଥ୍ରାକ୍ସ ରୋଗ ବ୍ୟାପିଥାଏ ​ବୋଲି ଉପକେନ୍ଦ୍ରର ଗବେଷଣା ଅଧିକାରୀ ଡା. ମନୋଜ କୁମାର ସାହୁ କହିଛନ୍ତି। ୨୦୧୫ରେ କୋରାପୁଟରେ ମାରାତ୍ମକ ଆନ୍ଥ୍ରକ୍ସ ରୋଗ ବ୍ୟାପିଥିଲା। ଯାହା ସେତେବେଳେ ଚିନ୍ତାର ବିଷୟ ପାଲଟିଥିଲା। ରୋଗ ବ୍ୟାପିବା ପରେ ସେହି ଅଞ୍ଚଳର ପଶୁଙ୍କୁ ଆଜି ପର୍ଯ୍ୟନ୍ତ ପ୍ରତିବର୍ଷ ଆନ୍ଥ୍ରାକ୍ସ ଟିକା ଦିଆଯାଉଛି। ଯେଉଁ ଅଞ୍ଚଳରେ ଆନ୍ଥ୍ରାକ୍ସ ଦେଖିବାକୁ ମିଳେ ସେହି ଅଞ୍ଚଳର ୧୦ କିମି ପରିଧିରେ ରହୁଥିବା ଗାଈ-ଗୋରୁ ସହ ବନ୍ୟ ଜନ୍ତୁଙ୍କୁ ବର୍ଷ ବର୍ଷ ଧରି ଏହି ଟିକା ଦେବାକୁ ପଡ଼ୁଛି ବୋଲି ଉପକେନ୍ଦ୍ରର ଯୁଗ୍ମନିର୍ଦେଶକ ଭାବେ ଦାୟିତ୍ବ ତୁଲାଉଥିବା ଡା. ରଞ୍ଜିତ କୁମାର ନନ୍ଦ କହିଛନ୍ତି। ପରିତାପର ବିଷୟ ହେଉଛି ଏହି କେନ୍ଦ୍ର ରାଜ୍ୟର ପ୍ରାଣୀଧନ ସୁରକ୍ଷା ପାଇଁ ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ଟିକା ଉତ୍ପାଦନ କରୁଥିଲେ ମଧ୍ୟ ଏଠାରେ ନିୟମିତ କର୍ମଚାରୀ ନାହାନ୍ତି। ନିର୍ଦେଶକଠାରୁ ଆରମ୍ଭ କରି ଗବେଷଣା ଅଧିକାରୀ ଏପରିକି କିରାଣୀ ଓ ପିଅନ ମଧ୍ୟ ଡେପୁଟେସନରେ ଆସିଛନ୍ତି। ଏପଟେ ଆଜକୁ ୨୮ ବର୍ଷ ତଳେ ନିର୍ମାଣ ହୋଇଥିବା କେନ୍ଦ୍ରର ପୁରାତନ ଲାବ୍ରୋଟାରୀକୁ ଅତ୍ୟାଧୁନିକ ରୂପ ଦେବାରେ ବିଳମ୍ବ ହେବାରେ ଲାଗିଛି। ଆବଶ୍ୟକତା ଓ ଗୁରୁତ୍ବକୁ ଦେଖି ବ୍ରହ୍ମପୁରରେ ୩୬ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଜିଏମପି ଲ୍ୟାବ୍ରୋଟାରୀ ନିର୍ମାଣ ପାଇଁ ​ସରକାରଙ୍କ ପକ୍ଷରୁ ​ଯୋଜନା ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ପାଇଁ ଆଜି ପର୍ଯ୍ୟନ୍ତ ଟେଣ୍ଡର ହୋଇପାରିନଥିବା ଜଣାପଡ଼ିଛି।

Comments
Loading...