ଆଣ୍ଟାର୍କଟିକ୍‌କୁ ପଞ୍ଚମ ମହାସାଗର ମାନ୍ୟତା, ନୂଆ ନାମ ‘ଦକ୍ଷିଣ ମହାସାଗର’

ୱାଶିଂଟନ୍‌: ମାନଚିତ୍ରରେ ସ୍ଥାନ ପାଇଛି ପଞ୍ଚମ ମହାସାଗର। ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଆଟଲାଣ୍ଟିକ୍‌ ମହାସାଗର ଓ ଆର୍କଟିକ୍‌ ମହାସାଗର ନାମରେ ବିଶ୍ବ ମାନଚିତ୍ରରେ ଚାରିଟି ମହାସାଗର ଦୃଶ୍ୟମାନ ହେଉଥିବାବେଳେ ଯାହାକୁ ଆଣ୍ଟାର୍କଟିକ୍‌ ମହାସାଗର କୁହାଯାଉଥିଲା ତାହା ଏବେ ‘ଦକ୍ଷିଣ ମହାସାଗର’ ନାମରେ ବିଧିବଦ୍ଧ ସ୍ବୀକୃତି ପାଇଛି। ୧୯୧୫ରୁ ବିଶ୍ବ ମାନଚିତ୍ର ପ୍ରକାଶ କରିଆସୁଥିବା ନ୍ୟାସନାଲ ଜିଓଗ୍ରାଫିକ ସୋସାଇଟି ପକ୍ଷରୁ ଏହାକୁ ପଞ୍ଚମ ମହାସାଗର ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ଆମେରିକାର ବୋର୍ଡ ଅଫ୍‌ ଜିଓଗ୍ରାଫିକ୍ ମଧ୍ୟ ଏହାକୁ ସ୍ବୀକାର କରିଛି। ମୂଳରୁ ଆମେ ୫ଟି ମହାସାଗର ବିଷୟରେ ପଢ଼ୁଥିଲେ ମଧ୍ୟ ପଞ୍ଚମ ମହାସାଗରକୁ ମାନ୍ୟତା ମିଳି ନ ଥିଲା। ଜୁନ୍‌ ୮ ବିଶ୍ବ ମହାସାଗର ଦିବସ ପାଳନ ଅବସରରେ ପଞ୍ଚମ ମହାସାଗରକୁ ସ୍ବୀକୃତି ମିଳିଛି।

ଏହି ମହାସାଗର ଆଣ୍ଟାର୍କଟିକା ଉପକୂଳରେ ବିଦ୍ୟମାନ। ଏହି ଜଳଭାଗକୁ ମହାସାଗର ମାନ୍ୟତା ପ୍ରଦାନ ପାଇଁ ଦୀର୍ଘ କାଳ ଧରି ବିତର୍କ ଲାଗି ରହିଥିଲା। ଏହାର ସୀମା ନିର୍ଦ୍ଧାରଣ ସମ୍ପର୍କରେ ୨୦୦୦ ମସିହାରୁ ବିଭିନ୍ନ କ୍ଷେତ୍ରରୁ ପ୍ରସ୍ତାବ ଆସୁଥିଲା; କିନ୍ତୁ ଏଥିନେଇ ସମ୍ମତି ପ୍ରକାଶ ପାଇପାରୁ ନ ଥିଲା। ସମ୍ପ୍ରତି ଆନ୍ତର୍ଜାତିକ ଜଳଭାଗ (ହାଇଡ୍ରୋଗ୍ରାଫିକ) ସଂଗଠନ କୌଣସି ଚୂଡ଼ାନ୍ତ ନିଷ୍ପତ୍ତିରେ ଉପନୀତ ହୋଇପାରୁ ନ ଥିଲା। ଭୌଗୋଳିକଙ୍କ ମତରେ ଅନ୍ୟ ମହାସାଗରଗୁଡ଼ିକ ଏହାର ସଂଲଗ୍ନ ଭୂଭାଗ ଅନୁସାରେ ଚିହ୍ନିତ ହୋଇଥିଲାବେଳେ ଦକ୍ଷିଣ ମହାସାଗର ଏହାର ସ୍ରୋତ (ଆଣ୍ଟାର୍କଟିକ୍‌ ସର୍କୁମ୍‌ପୋଲାର କରେଣ୍ଟ ବା ଏସିସି) ଆଧାରରେ ଚିହ୍ନିତ ହେବା ହିଁ ଏହାର ବୈଶିଷ୍ଟ୍ୟ ବୋଲି ନ୍ୟାସନାଲ ଜିଓଗ୍ରାଫି ପକ୍ଷରୁ କୁହାଯାଇଛି।

ଦକ୍ଷିଣ ମହାସାଗର ଅକ୍ଷାଂଶର ୬୦ଡିଗ୍ରୀ ଦକ୍ଷିଣକୁ ରହିଛି। ଏହି ଅକ୍ଷାଂଶ ହିଁ ଉକ୍ତ ମହାସାଗରର ସୀମା ଧାର୍ଯ୍ୟ ହୋଇଛି। ଦକ୍ଷିଣ ସାଗରର ଜଳ ରାଶି ନୀଳ, ଶୀତଳ ଓ ସ୍ବଳ୍ପ ଲବଣଯୁକ୍ତ। ଏଠାରେ ବହୁ ପରିମାଣର ତୁଷାର ଖଣ୍ଡ ବିଦ୍ୟମାନ। ଆଟଲାଣ୍ଟିକ୍‌, ପ୍ରଶାନ୍ତ ଓ ଭାରତ ମହାସାଗରରୁ ସ୍ରୋତ (ଏସିସି) ଓ ବାୟୁ ମାଧ୍ୟମରେ ଜଳ ଟାଣି ହୋଇ ଏହାକୁ ସମୃଦ୍ଧ କରିଥାଏ। ପୃଥିବୀର ୭୧ପ୍ରତିଶତ ଜଳଭାଗ ଥିବାବେଳେ ଏହା ସମଗ୍ର ଭୂଭାଗକୁ ଘେରି ରହିଛି। ୩୪୦ ଲକ୍ଷ ବର୍ଷ ପୂର୍ବେ ଦକ୍ଷିଣ ଆମେରିକାରୁ ଅଲଗା ହୋଇ ଆଣ୍ଟାର୍କଟିକାର ଜଳ ରାଶି ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହେବା ସହ ୬୦ଡିଗ୍ରୀ ଅକ୍ଷାଂଶ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଆସିଥିବା ବୈଜ୍ଞାନିକମାନେ ମତ ଦିଅନ୍ତି। ଏଠାରେ ବହୁ ସଂଖ୍ୟାରେ ପେଙ୍ଗୁଇନ୍‌, ହ୍ବେଲ୍‌ ଓ ସିଲ୍‌ ଭଳି ଜୀବ ବସବାସ କରନ୍ତି। ସମ୍ପ୍ରତି ଏହି ମହାସାଗର ପ୍ରତି ଜଳବାୟୁ ପରିବର୍ତ୍ତନ ଜନିତ ବିପଦ ଘନେଇଛି।

Comments are closed.