ମନ ମୋହୁଛି ଅଂଶୁପା : ୭ ଦିନରେ ୬ହଜାର ୧୫୧ଜଣ ପର୍ଯ୍ୟଟକ, ନୂଆବର୍ଷରେ ୧୬୦୦

ବାଙ୍କୀ : କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀ ବ୍ଲକ ଅଧିନ ସରଣ୍ଡାଗଡ ପାଦ ଦେଶରେ ରହିଛି ମଧୁର ହ୍ରଦ ଅଂଶୁପା। ଐତିହ ଓ ଐତିହାସିକ ଖ୍ୟାତି ସମ୍ପର୍ଣ୍ଣ ପ୍ରାକୃତିକ ଶୋଭାରାଜିରେ ବିମଣ୍ଡିତ ମଧୁର ହ୍ରଦ ଅଂଶୁପା ଏବେ ଯୁବପିଢୀର ପର୍ଯ୍ୟଟକ ମାନଙ୍କୁ ବେଶ୍ ଆକୃଷ୍ଟ କରିବାରେ ଲାଗିଛି। ଦୀର୍ଘ ୯ମାସର କୋଭିଡ୍ କଟକଣାରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୌଦ୍ଧିକ ପରିପୂର୍ଣ୍ଣ ହ୍ରାସ କରିଥିଲା ବେଳେ ଅଂଶୁପାକୂଳ ଚଳଚଞ୍ଚଳ ପରି ମନେ ହୋଇଛି। ସ୍ଥାନୀୟ ସୁବର୍ଣ୍ଣପୁର ପଞ୍ଚାୟତର ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୫୦ସଦସ୍ୟା ଅଂଶୁପା କୂଳସ୍ଥ ପ୍ରାକୃତିକ ଉଦ୍ୟାନ, ନୌକା ବିହାର ସ୍ଥଳ ଓ ପ୍ରବେଶ ପଥ ପରିଚାଳନା ଦାୟିତ୍ୱକୁ ପରିଚାଳନା କରି ବେଶ୍ ୨ପଇସା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି।

ସୂଚନା ଅନୁଯାୟୀ, ଚିଲିକା ଡେଭଲପମେଣ୍ଟ ଅଥରିଟି(ସିଡିଏ) ସୌଜନ୍ୟତା ଓ ତତ୍ୱାବଧାନରେ ଅଂଶୁପା କୂଳର ପରିବର୍ଦ୍ଧିତ ସୌନ୍ଦର୍ଯ୍ୟୀକରଣ ଓ ନୌକା ବିହାର ପାଇଁ ବିବିଧ ବ୍ୟବସ୍ଥା ଉଚ୍ଚ ମାନର ହୋଇଥିବା ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ କହିଛନ୍ତି। ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ପରେବି ଯଥାଶୀଘ୍ର ସୌନ୍ଦର୍ଯ୍ୟ କରଣକୁ ତ୍ୱରାନ୍ୱିତ କରାଯାଇଥିବାରୁ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ଏହି ଋତୁରେ ବଢି ପର୍ଯ୍ୟଟକଙ୍କ ମନ ମୋହିପାରିଛି। ବଡଦିନ ଠାରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଦିନରେ(୭ଦିନରେ) ମୋଟ ୬ହଜାର ୧୫୧ଜଣ ପର୍ଯ୍ୟଟକ ଟିକେଟ କରି ପ୍ରାକୃତିକ ଉଦ୍ୟାନ ପରିଦର୍ଶନ କରିଥିବା ପ୍ରବେଶ ଦ୍ୱାରରୁ ସୂଚନା ମିଳିଛି। ଏହି ବାବଦରେ ୭ଦିନରେ ଗେଟରୁ ମୋଟ ୧ଲକ୍ଷ ୨୩ହଜାର ଟଙ୍କା ଆୟ କରାଯାଇଥିବା ବେଳେ ନୂଆବର୍ଷ ଅବସରରେ ୧୬୦୦ଜଣ ପର୍ଯ୍ୟଟକଙ୍କ ଠାରୁ ୩୨ହଜାର ଟଙ୍କା ପ୍ରବେଶ ଶୁଳ୍କ ଆଦାୟ କଲରାଯାଇଛି। ଆଠ ଦିନରେ ମୋଟ ୧ଲକ୍ଷ ୫୫ହଜାର ଟଙ୍କା ଆୟ କରାଯାଇଥିବା ଜଣାପଡିଛି। ଗତ ବଡଦିନ ଅବସରରେ ୧୨୪୩ଜଣ, ୨୭ତାରିଖରେ ୧୫୨୦ଜଣ ସର୍ବାଧିକ ଯାତ୍ରୀ ଆସିଥିଲା ବେଳେ ୨୦୨୦ମସିହା ଶେଷ ଦିନରେ କୋଭିଡ୍ କଟକଣା ଲାଗୁ ହେବାପରେ ପର୍ଯ୍ୟଟକଙ୍କ ସଂଖ୍ୟା କମି ୭୬୪ଜଣ ଥିବା ଜଣାପଡିଛି। ସେହିପରି ଅଂଶୁପାରେ ଉପଲବ୍ଧ ଥିବା ଶୀତଳ ଜଳରାଶିରେ ମଟର ଚାଳିତ ଡଙ୍ଗାରେ ୧୩୪୧ଜଣ ଏବଂ ପେଡାଲ ଦ୍ୱାରା ମାନବ ଚାଳିତ ଡଙ୍ଗାରେ ୯୧୫ଜଣ ପର୍ଯ୍ୟଟକ ନୌକା ବିହାରର ମଜା ନେଇଛନ୍ତି। ଦେୟବାବଦକୁ ୭୪ହଜାର ୮୨୫ଟଙ୍କା ଆଦାୟ ହୋଇଥିବା ଜଣାପଡିଛି। କୋଭିଡ୍ କଟକଣା ହେତୁ ଅଂଶୁପା କୂଳବର୍ତ୍ତୀ ଅଞ୍ଚଳରେ ପୂର୍ବବର୍ଷ ପରି ବଣଭୋଜିର ସୁବିଧା ଉପଲବ୍ଧ ନୁହେଁ ବରଂ ଚଳିତ ବର୍ଷ ସରକାରୀ କଟକଣା ହେତୁ ବଣଭୋଜିକୁ ନିଶେଦ୍ଧ କରାଯାଇଥିବାରୁ ବଣଭୋଜୀ ପ୍ରେମୀ ପର୍ଯ୍ୟଟକମାନେ ନିରାଶ ହୋଇଥିଲା ବେଳେ ଅଂଶୁପା କୂଳସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଥିବା ବଣଭୋଜି ପାଇଁ ଉଦ୍ଦିଷ୍ଟ ୩୫ଟି ପିଣ୍ଡି ଖାଲି ପଡିଛି। ମାଳବିହାରପୁର ଗ୍ରାମର ଦାୟିତ୍ୱରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଏହାଦ୍ୱାରା ପ୍ରଭାବିତ ହୋଇ ଗୋଷ୍ଠୀ ଭିତ୍ତିକ ରୋଜଗାର ହରାଇଥିବା ଗୋଷ୍ଠୀର ସଭାପତି, ସମ୍ପାଦିକା ଓ ବରିଷ୍ଠ ସଦସ୍ୟା ମାନେ କହିଛନ୍ତି। ସେପଟେ ସକାଳ ୮ଟାରୁ ଅପରାହ୍ନ ୫ଘଟିକା ପର୍ଯ୍ୟନ୍ତ ସିଡିଏ ତତ୍ୱାବଧାନରେ ଚାଲିଥିବା ପ୍ରାକୃତିକ ଉଦ୍ୟାନ ଓ ଅଂଶୁପାରେ ନୌକା ବିହାର ପର୍ଯ୍ୟଟକ ମାନଙ୍କ ମନ କିଣିଛି। ଆଗାମୀ ଦିନରେ ସରକାରୀ କଟକଣା ହଟିଲେ ଅଂଶୁପାରେ ରାଜ୍ୟର ବିଭିନ୍ନଅଞ୍ଚଳରୁ ପର୍ଯ୍ୟଟକ ମାନେ ଶୀତକାଳୀନ ପର୍ଯ୍ୟଟନର ମଜା ନେବେ ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମାନେ କହିଛନ୍ତି। ନୂଆବର୍ଷ ଅବସରରେ ସକାଳେ ପର୍ଯ୍ୟଟନ ସ୍ଥଳୀ ଖାଁଖାଁ ଲଗିଥିଲା ବେଳେ ଅପରାହ୍ନରେ ପ୍ରାୟ ୧୬୦୦ରୁ ଅଧିକ ପର୍ଯ୍ୟଟକ ଅଂଶୁପା ପରିଦର୍ଶନରେ ଆସିଥିବା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି। ପ୍ରବେଶ ଦ୍ୱାରରେ ପର୍ଯ୍ୟଟକଙ୍କୁ ସାନିଟାଇଜର ବ୍ୟବସ୍ଥା କରାଯାଇଛି।

Comments are closed.