ଏମ୍କେସିଜିରେ ଆଉ ଜଣେ କରୋନା ସନ୍ଦିଗ୍ଧ

ବ୍ରହ୍ମପୁର: ଏମ୍କେସିଜି ମେଡିକାଲ କଲେଜ ଓ ହସିପିଟାଲରେ ଆଉ ଜଣେ କରୋନା ସନ୍ଦିଗ୍ଧ ରୋଗୀ ସୋମବାର ଭର୍ତ୍ତି ହୋଇଛନ୍ତି। ଦିଗପହଣ୍ଡି ଅଞ୍ଚଳର ଏହି ୭୫ ବର୍ଷୀୟ ରୋଗୀ ଜଣକ ଗତ ମାସରେ ମାଉଣ୍ଟଆବୁ ଯାଇଥିଲେ। ସେଠାରେ ଥିବା ଏକ ଆଧ୍ୟାତ୍ମିକ ଶିବିରରେ ରହଣିକାଳରେ ତାଙ୍କୁ କାଶ ଓ ଜ୍ୱର ହୋଇଥିଲା। ସେଠାରୁ ସେ ୫ ଦିନ ତଳେ ଦିଗପହଣ୍ଡି ଫେରିଥିଲେ। ଆଉ ଏମକେସିଜିକୁ ଆସି ଚିକିତ୍ସିତ ହେଉଥିଲେ। ତେବେ ୪ ଦିନ ଚିକିତ୍ସା
ପରେ ମଧ୍ୟ ବୃଦ୍ଧାଙ୍କ କାଶ ନଛାଡିବାରୁ ଏମକେସିଜିର ଡାକ୍ତରମାନେ ତାଙ୍କୁ କରୋନା ୱାର୍ଡରେ ଭର୍ତ୍ତି ପାଇଁ ପରାମର୍ଶ ଦେଇଛନ୍ତି। ଏହି ବୃଦ୍ଧା ଜଣଙ୍କୁ ମିଶାଇ ଏମକେସିଜିରେ ବର୍ତ୍ତମାନ ୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି କରୋନା ୱାର୍ଡ ଦାୟିତ୍ୱରେ ଥିବା ଡା. ଉମାଶଙ୍କର ମିଶ୍ର କହିଛନ୍ତି। ଏପଟେ ଶନିବାର ଏମକେସିଜିରୁ ଫେରାର ହୋଇଥିବା କୃଷ୍ଣପ୍ରସାଦ ବ୍ଳକର ସନ୍ଦିଗ୍ଧ ଯୁବକ ରବିବାର ବିଳମ୍ବିତ ରାତିରେ ପୁଣିଥରେ ଏମକେସିଜିକୁ ଫେରି ଆସିଥିବା ଜଣାପଡ଼ିଛି।