ଅଞ୍ଜୁମ୍‌ ଆଇଏସ୍‌ଆଇ ମୁଖ୍ୟ

ଇସଲାମାବାଦ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ମହାନିର୍ଦେଶକ ନିଯୁକ୍ତି ନେଇ ବିବାଦର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶନିବାର ସୁଦ୍ଧା ଏହି ପଦ ପାଇଁ ନାମ ଘୋଷଣା କରିବା ନିଶ୍ଚିତ ହୋଇଛି। ଲେଫ୍ଟନାଣ୍ଟ ଜେନେରାଲ ନଦିମ ଅହମଦ ଅଞ୍ଜୁମ୍‌ ଆଇଏସ୍‌ଆଇ ମୁଖ୍ୟ ନିଯୁକ୍ତ ହୋଇପାରନ୍ତି। ଇମ୍ରାନ ଶନିବାରଠାରୁ ତିନି ଦିନିଆ ସାଉଦିଆରବ ଗସ୍ତରେ ଯିବେ ଏବଂ ଏହା ପୂର୍ବରୁ ଉକ୍ତ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିବେ। ଅଞ୍ଜୁମ ସମ୍ପ୍ରତି କରାଚୀଠାରେ କର୍ପସ୍‌ କମାଣ୍ଡର ଭାବେ କାର୍ଯ୍ୟରତ। ବୁଧବାର ଇମ୍ରାନ ତାଙ୍କ ସହ ସାକ୍ଷାତ୍‌ ଆଲୋଚନା କରିଛନ୍ତି। ଏତଦ୍‌ ବ୍ୟତୀତ ସେନାମୁଖ୍ୟ ଜେନେରାଲ କାମାର ଜାଭେଦ ବାଜ୍‌ୱାଙ୍କ ସହିତ ମଧ୍ୟ ଅଞ୍ଜୁମଙ୍କର ସାକ୍ଷାତ୍‌ ଆଲୋଚନା ହୋଇଛି। ଆଇଏସ୍‌ଆଇ ମୁଖ୍ୟ ପଦରୁ ଲେଫ୍ଟନାଣ୍ଟ ଜେନେରାଲ ଫୈଜ୍‌ ହମିଦଙ୍କୁ ଚଳିତ ମାସ ୬ରେ ବିବାଦୀୟ ପରିସ୍ଥିତିରେ ହଟାଇ ଦିଆଯାଇଥିଲା। ତାଙ୍କୁ ପେଶୱାରଠାରେ କର୍ପସ୍‌ କମାଣ୍ଡର ପଦରେ ନିଯୁକ୍ତ କରାଯାଇଥିଲା। ସେନାଧିକାରୀ ଓ ସରକାରଙ୍କ ମଧ୍ୟରେ ବିବାଦ ଯୋଗୁଁ ଏଭଳି ଘଟିଥିଲା। ସେନା ମୁଖ୍ୟ ବାଜୱା ହଠାତ୍‌ ନିଜ ବାହିନୀର ଉଚ୍ଚସ୍ତରରେ କେତେକ ପରିବର୍ତ୍ତନ କରିଥିଲେ; ଯାହାକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିପାରି ନ ଥିଲେ। ସେତେବେଳେ ଅଞ୍ଜୁମଙ୍କ ନାମ ପ୍ରସ୍ତାବିତ ହୋଇଥିଲେ ମଧ୍ୟ ଏଥିନେଇ ସମ୍ମତି ପ୍ରକାଶ ପାଇ ନ ଥିଲା।

ପ୍ରଧାନମନ୍ତ୍ରୀ ଏହି ପଦ ପାଇଁ ସେନାଠାରୁ ତିନି ଜଣଙ୍କ ନାମ ପ୍ରସ୍ତାବ ସହ ସେମାନଙ୍କ ସମ୍ପର୍କିତ ବିଶଦ୍‌ ବିବରଣୀ ମଗାଇଥିଲେ। ବିବାଦ କାରଣରୁ ହମିଦଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦିଆ ନ ଯାଇ ଅଦ୍ୟାବଧି ଖାଲି ରଖାଯାଇଛି। ଗତ ୧୫ରେ ଇମ୍ରାନ ଓ ବାଜ୍‌ୱାଙ୍କ ମଧ୍ୟରେ ଅଚଳାବସ୍ଥା ଦୂର ନେଇ ଦୀର୍ଘ ବୈଠକ ବସି ବିବାଦର ସମାଧାନ ରାସ୍ତା ବାହାର କରାଯାଇଥିଲା। ହମିଦ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପ୍ରକ୍ରିୟାରେ ଅଧିକ ମୁଣ୍ଡ ଖେଳାଇବା ଓ ହକାନି ନେଟ୍‌ୱର୍କକୁ ଅଧିକ ପ୍ରାଧାନ୍ୟ ଦେବା ନେଇ ବିବାଦରେ ଛନ୍ଦି ହୋଇଥିଲେ। ତାଲିବାନ ମଧ୍ୟ ତାଙ୍କୁ ସମାଲୋଚନା କରିଥିଲା। ଏହା ପରେ ହମିଦଙ୍କୁ ପଦରୁ ହଟାଇ ଦିଆଯାଇଥିଲା।

Comments are closed.