୨୨ ବର୍ଷ ପରେ ଅଭିଯୁକ୍ତକୁ ଚିହ୍ନଟ କରିବେ ଅଞ୍ଜନା, ଆଜି ହେବ ପରେଡ୍

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବାରଙ୍ଗ ଗଣବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ୍‌ ବିବେକାନନ୍ଦ ବିଶ୍ବାଳକୁ ଗତ ଫେବୃଆରୀ ୨୨ରେ କମିସନରେଟ୍‌ ପୁଲିସ ଗିରଫ କରିଥିଲା। ବିବନର ଆସନ୍ତାକାଲି ଝାରପଡ଼ାସ୍ଥିତ ସ୍ବତନ୍ତ୍ର କାରାଗାରରେ ବିବନର ଟିଆଇ(ଚିହ୍ନଟ ପ୍ରକ୍ରିୟା) ହେବ। ସ୍ଥାନୀୟ ସ୍ବତନ୍ତ୍ର ସିଜେଏମ୍‌(ସିବିଆଇ)ଙ୍କ କୋର୍ଟରେ ସିବିଆଇ ପକ୍ଷରୁ କରାଯାଇଥିବା ଆବେଦନକୁ ଅନୁମତି ଦିଆଯାଇଛି। ଝାରପଡ଼ା ଜେଲ୍‌ରେ ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ଜେଏମ୍‌ଏଫ୍‌ସି ସୁଜାଲିନ୍ ମହାନ୍ତିଙ୍କ ଉପସ୍ଥିତିରେ ଏହି ଚିହ୍ନଟ ପ୍ରକ୍ରିୟା ଅନୁଷ୍ଠିତ ହେବ। ପୀଡ଼ିତା ଅଞ୍ଜନା ମିଶ୍ର ଜେଲ୍‌କୁ ଯାଇ ଜେଏମ୍‌ଏଫ୍‌ସିଙ୍କ ଉପସ୍ଥିତିରେ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ବିବନକୁ ଚିହ୍ନଟ କରିବେ।

ସେହିପରି କଲକାତା ସିବିଆଇର ତଦନ୍ତକାରୀ ଅଧିକାରୀ ସୁଜିତ ପାଉଲ୍‌ ଏହି ୨୨ ବର୍ଷ ତଳର ମାମଲାର ପୁନର୍ବାର ତଦନ୍ତ କରିବା ଲାଗି କୋର୍ଟଙ୍କ ଅନୁମତି ନେବା ସହିତ ଗଣବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ପଚରାଉଚରା କରିବା ଲାଗି ହେପାଜତରେ ନେବାକୁ ସ୍ବତନ୍ତ୍ର ସିଜେଏମ୍‌(ସିବିଆଇ)ଙ୍କ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଗୋଟିଏ ଦିନ ପାଇଁ ବିବନକୁ ହେପାଜତରେ ନେବାକୁ ଅନୁମତି ଦେଇଛନ୍ତି। ଆସନ୍ତା ୪ ତାରିଖ ପୂର୍ବାହ୍ନରୁ ବିବନକୁ ସିବିଆଇ ହେପାଜତରେ ନେବ ଏବଂ ୫ ତାରିଖ ଅପରାହ୍ଣ ସୁଦ୍ଧା କୋର୍ଟରେ ହାଜର କରିବା ଲାଗି ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି। ତେବେ ଏହି ସମୟରେ ବିବନର ସୁରକ୍ଷା ବ୍ୟବସ୍ଥା ଏବଂ କୋଭିଡ୍‌ ନିୟମାବଳୀ ଅନୁଯାୟୀ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ଲାଗି ଅଧିକ ଧ୍ୟାନ ଦେବାକୁ କୁହାଯାଇଛି। ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏନେଇ ସତର୍କତା ସହିତ ଅବଲମ୍ବନ କରିବାକୁ କୁହାଯାଇଛି। ସିବିଆଇ ପକ୍ଷରୁ ୫ ଦିନ ପାଇଁ ହେପାଜତରେ ନେବା ଲାଗି କୋର୍ଟରେ ଆବେଦନ କରାଯାଇଥିଲା।

Comments are closed.