ଗାଈଗାରୁ ବାହାରିଲେ ପରଙ୍ଗ

ସୁଆଣ୍ଡୋ :  ପ୍ରତିବର୍ଷ ବର୍ଷା ଦିନରେ ଗୋପାଳକ ମାନେ ଗାଈଗୋରୁ ମାନଙ୍କୁ ପରଙ୍ଗ ନେଇଥାନ୍ତି। ଶ୍ରାବଣ ମାସରେ ଧାନବିଲରେ ପାଣି। ଲୋକମାନେ ଦଣ୍ଡା ଗୋଚର ଗୁଡିକ ଜବରଦଖଲ କରି ସାରିଲେଣି। ଉପକୂଳବର୍ତ୍ତୀ ଅଞ୍ଚଳରେ ଗୋରୁ ମାନଙ୍କ ଚାରଣଭୂମିର ଘୋର ଅଭାବ ଲାଗି ରହିଛି। ପୁରୀ ଜିଲା ସତ୍ୟବାଦୀ, ଗୋପ ଓ ପୁରୀ ସଦର ବ୍ଲକର ଗୋପାଳକମାନେ ଶ୍ରାବଣ ମାସରେ ନିଜ ନିଜର ଗାଈଗୋଠକୁ ସାଙ୍ଗରେ ନେଇ ପାହାଡିଆ ଅଞ୍ଚଳକୁ ଯାଇଥାନ୍ତି । ବିଶେଷ କରି ବିଶ୍ୱନାଥ ମୁଣ୍ଡିଆ ପାଖାପାଖି ଅଞ୍ଚଳର ପଡା ଗ୍ରାମ ମାନଙ୍କରେ ଗୋପାଳକ ନିଜେ ଭଡା ଘରେ ରହିବା ସହିତ ଗାଈଗୋରୁଙ୍କ ପାଇଁ ଅସ୍ଥାୟୀ ଚାଳିଆ ମଧ୍ୟ ଭଡାରେ ନେଇଥାନ୍ତି। ବର୍ଷା ଚାରିମାସ ସେଠାରେ ରହି ପୁଣି ମାର୍ଗଶିର ମାସ ବେଳକୁ ଗାଁକୁ ଫେରି ଆସନ୍ତି। ଏ ସମ୍ପର୍କରେ ନାରାୟଣ ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ଫଗୁ ବେହେରା କହନ୍ତି ପ୍ରତିବର୍ଷ ଆମେ ଗାଈଗୋରୁ ମାନଙ୍କୁ ନେଇ ପରଙ୍ଗ ଯାଇଥାଉ। ସେଠାରେ ଗୋରୁ ଚରିବା ପାଇଁ ଘାସ ଲଟା ପ୍ରଚୁର ପରିମାଣରେ ମିଳିଥାଏ । ଏଇ ଚାରିମାସ ଆମର ପରଙ୍ଗ ଦ୍ୱିତୀୟ ଘର ହୋଇଯାଏ। ପରିବାରର ଲୋକମାନଙ୍କର ଏଠାକୁ ଯିବା ଆସିବା ଲାଗି ରହିଥାଏ । ଗାଈଗୋରୁ ଆମର ପରିବାରର ସଦସ୍ୟ ବୋଲି ସେମାନେ କହନ୍ତି ।

Comments are closed.