କଂଗ୍ରେସ ବିରୁଦ୍ଧରେ ମାନହାନି ମାମଲା ପ୍ରତ୍ୟାହାର କରିବେ ଅନିଲ ଅମ୍ବାନୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ଏବଂ ନେସନାଲ ହରାଲଡ ବିରୁଦ୍ଧରେ ଅନିଲ ଅମ୍ବାନୀ ମାଲିକାନାରେ ଥିବା ରିଲାୟାନ୍ସ କମ୍ପାନୀ ଆଣିଥିବା ୫ହଜାର କୋଟି ଟଙ୍କାର ମାନହାନି ମାମଲା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି। ରାଫେଲ ଯୁଦ୍ଧ ବିମାନ କିଣା ନେଇ ବୟାନ ଦେବା ଓ ଏକ ଲେଖା ଛାପିବା ଉପରେ ଆପତ୍ତି ଜଣାଇ ରିଲାୟାନ୍ସ କମ୍ପାନୀ ମାନହାନି ମାମଲା ଦାୟର କରିଛି। ରିଲାୟାନ୍ସ କମ୍ପାନୀ ଓକିଲ ରା଼ରେଶ ପାରୀଖ କହିଛନ୍ତି, ଅହମଦାବାଦ ସିଭିଲ ଏବଂ ଜଜ କୋର୍ଟ ଶୁଣାଣି ଚାଲିଥିବା ଏହି ମାମଲାରେ ସେମାନେ ମାମଲା ପ୍ରତ୍ୟାହାର ବିଷୟ କୋର୍ଟଙ୍କୁ ଅବଗତ କରିଛନ୍ତି।

ରିଲାୟାନ୍ସ ଡିଫେନ୍ସ, ରିଲାୟାନ୍ସ ଇନ୍ଫ୍ରାଷ୍ଟ୍ରକ୍ଚର ଏବଂ ରିଲାୟାନ୍ସ ଏରୋଷ୍ଟ୍ରକ୍ଚର ଦ୍ୱାରା କଂଗ୍ରେସ ନେତା ସୁନୀଲ ଜାଖଡ଼, ରଣଦୀପ ସିଂହ ସୁରଜେୱାଲା, ଓମାନ ଚାଣ୍ଡି, ଅଶୋକ ଚୌହାନ, ଅଭିଷେକ ମନୁ ସିଂଭୀ, ସଞ୍ଜୟ ନିରୁପମ ଏବଂ ଶକ୍ତିସିଂହ ଗୋହିଲ, କିଛି ସାମ୍ବାଦିକ ଏବଂ କଂଗ୍ରେସ ପାର୍ଟି ସହ ଜଡିତ ନେସନାଲ ହରାଲଡ ସମ୍ବାଦପତ୍ର ବିରୁଦ୍ଧରେ ମାନହାନି ମୋକଦ୍ଦମା ରୁଜ୍ଜୁ କରାଯାଇଥିଲା। ପ୍ରଥମ ମାନହାନି ମାମଲା ନେସନାଲ ହରାଲଡ ସମ୍ବାଦପତ୍ରର ପ୍ରକାଶକ, ଆସୋସିଏଟେଡ଼ ଜର୍ଣ୍ଣାଲସ ଲିମିଟେଡ଼, ମୁଖ୍ୟ ସମ୍ପାଦକ ଏବଂ ସମ୍ବାଦଦାତା ବିଶ୍ୱ ଦୀପକଙ୍କ ବିରୁଦ୍ଧରେ ଦାୟର ହୋଇଥିବା ବେଳେ, ଦ୍ଵିତୀୟ ମାମଲା ଆସୋସିଏଟେଡ଼ ଜର୍ଣ୍ଣାଲସ ଲିମିଟେଡ଼ ଏବଂ ଜଣେ ସମ୍ବାଦଦାତାଙ୍କ ବିରୁଦ୍ଧରେ ଦାୟର କରାଯାଇଥିଲା। ରାଫେଲ ଯୁଦ୍ଧ ବିମାନ କିଣାରେ ସରକାରଙ୍କ ଠାରୁ ଅନୁଚିତ ଅନୁଗ୍ରହ ପାଇଥିବା ସମ୍ବାଦ ପ୍ରକାଶିତ ହେବ ପରେ ମାନହାନି ମାମଲା ଦାୟର କରାଯାଥିଲା।

Comments are closed.