ପୁଅ ଉପରେ ରାଗ, କୁକୁର ନାମରେ ସମ୍ପତ୍ତି କରିଦେଲେ ବାପା

ଭୋପାଳ: ପୁଅ ଉପରେ ରାଗ ରଖି ଜଣେ ବ୍ୟକ୍ତି ନିଜର ଦୁଇ ଏକର ଜମି ପୋଷା କୁକୁର ନାମରେ ‘ୱିଲ’ କରିଦେଇଛନ୍ତି। ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲା ଅନ୍ତର୍ଗତ ବରିବଡ଼ା ଗ୍ରାମରୁ ଏଭଳି ଖବର ମିଳିଛି। ସ୍ଥାନୀୟ କୃଷକ ଓମ୍ ନାରାୟଣ ବର୍ମା(୫୦) ଘରୋଇ କଳିକୁ ନେଇ ଏଭଳି ପଦକ୍ଷେପ ନେଇଛନ୍ତି। ଅବଶିଷ୍ଟ ଜମିକୁ ପତ୍ନୀ ଚମ୍ପା(୪୭)ଙ୍କ ନାମରେ ଲେଖି ଦେଇଛନ୍ତି।

ଏ ସମ୍ପର୍କିତ ସତ୍ୟପାଠରେ ସେ ଉଲ୍ଲେଖ କରିଛନ୍ତି ଯେ ଚମ୍ପା ଓ ୧୧ମାସର ଦେଶୀ କୁକୁର ଜ୍ୟାକି ହିଁ ତାଙ୍କର ବିଶ୍ବସ୍ତ ଓ ସେମାନଙ୍କ ସେବାରେ ସେ ସନ୍ତୁଷ୍ଟ। ତାଙ୍କ ପରେ ଯେମିତି ଏ ଦୁଇ ଜଣ କଷ୍ଟ ନ ପାଆନ୍ତି ସେଥିପାଇଁ ନିଜ ନାମରେ ଥିବା ଜମିକୁ ସେମାନଙ୍କ ନାମରେ ଲେଖିଦେଇଛନ୍ତି। ପୁଅ ତାଙ୍କୁ ହଇରାଣ ହରକତ କରୁଥିବା ଓ ତାଙ୍କ କଥା ବୁଝୁ ନ ଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ସରପଞ୍ଚ ଯମୁନା ପ୍ରସାଦ ବର୍ମା ମାମଲାରେ ହସ୍ତକ୍ଷେପ ପୂର୍ବକ ମାମଲାର ସମାଧାନ କରିଛନ୍ତି। ନାରାୟଣଙ୍କୁ କ୍ରୋଧବଶତଃ କରିଥିବା ଏହି ୱିଲ୍ ବାତିଲ କରିବା ପାଇଁ ସେ ବୁଝାସୁଝା କରିଛନ୍ତି। ଏଥିରେ ନାରାୟଣ ରାଜି ହୋଇଥିବା ସେ କହିଛନ୍ତି।

Comments are closed.