ଚିର ନିଦ୍ରାରେ ତିଗିରିଆ ଗଡ଼ଜାତର ରାଣୀ ରାସ ମଞ୍ଜରୀ ଦେବୀ

ତିଗିରିଆ: ଚିର ନିଦ୍ରାରେ ତିଗିରିଆ ଗଡଜାତର ଶେଷ ମହାରାଣୀ ତଥା ଆଠଗଡ଼ ତିଗିରିଆ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ରାଣୀ ରାସ ମଞ୍ଜରୀ ଦେବୀ। ରବିବାର ରାତି ୯ଟା ସମୟରେ ତାଙ୍କର ୯୬ ବର୍ଷ ବୟସରେ ପରଲୋକ ହୋଇଛି। ଏହି ଖବରରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଅସୁସ୍ଥ ରହିଥିଲେ। ସେ ନିଜିଗଡ଼ ପଞ୍ଚାୟତ ନିଜିଗଡ଼ ଗ୍ରାମରେ ନିଜ ଘରେ ରହି ଚିକିତ୍ସାଧୀନ ଥିଲେ।

ସେ ବିଜୁ ଜନତା ଦଳର ଜଣେ ଦୃଢ଼ ସଙ୍ଗଠକ ରହିଥିଲେ। ସ୍ବର୍ଗତ ରାସମଞ୍ଜରୀ ଦେବୀ ୧୯୨୭ ମସିହା ନଭେମ୍ବର ମାସ ୧୯ ତାରିଖରେ ସୋନପୁର ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ମହାରାଜ କୁମାର ଯଶୋବନ୍ତ ସିଂ ଦେଓ ଓ ମାତା ତ୍ରିଦେଶଶ୍ୱରୀ ଦେବୀଙ୍କ ଏକମାତ୍ର କନ୍ୟା ଥିଲେ ରାସମଞ୍ଜରୀ। ସେ ଥିଲେ ତିଗିରିଆ ଗଡ଼ଜାତ ର ଶେଷ ସ୍ୱାଧୀନ ରାଜା ସ୍ଵର୍ଗତ ରାଜାଶ୍ରୀ ବ୍ରଜରାଜ କ୍ଷତ୍ରିୟ ବୀରବର ଚମ୍ପତି ସିଂହ ମହାପାତ୍ରଙ୍କ ଧର୍ମପତ୍ନୀ ଥିଲେ।

ସ୍ବର୍ଗତ ରାସ ମଞ୍ଜରୀ ୧୯୬୯ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ ।୧୯୭୦ ମସିହା ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇ ସେ ତିଗିରିଆ ପଞ୍ଚାୟତ ସମିତିର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ଆସନ ଅଳଙ୍କୃତ କରିଥିଲେ l୧୯୭୭ ମସିହାରେ ସାଧାରଣ ନିର୍ବାଚନରେ ବିଜୟୀ ହୋଇ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ୨୦୦୨ ପଞ୍ଚାୟତ ନିର୍ବାଚନରେ ତିଗିରିଆ ଜୋନ ୧୪ରୁ ଜିଲା ପରିଷଦ ସଭ୍ୟା ଭାବେ ବିଜୟୀ ହୋଇ ଜିଲା ପରିଷଦ ଉପାଧକ୍ଷ ହୋଇଥିଲେ।

ମୁତ୍ୟୁ ଶଯ୍ୟା ନିକଟରେ ପୁଅ ବୀର ପ୍ରତାପ ସିଂହଦେଓ, ବିକ୍ରମ ପ୍ରତାପ ସିଂଦେଓ, ବିଜୟ ପ୍ରତାପ ସିଂହଦେଓ ଓ ସାନ ଝିଅ ମମତା ସିଂ ଦେଓ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ କୃଷି ମତ୍ସ୍ୟ ପଶୁସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାଗୀରଥୀ ନନ୍ଦ ଆଇନଜୀବୀ ପ୍ରଶାନ୍ତ ପଟ୍ଟନାୟକ, ବ୍ଲକ ବିଜେଡି ସଭାପତି ଅଜିତ ଧିର, ଲଲିତ କୃଷ୍ଣ ଦାସ, ପୂର୍ବତନ ସାଂସଦ ସୁବାସ ମହାନ୍ତି ପ୍ରମୁଖ ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ଗ୍ରାମବାସୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

ରାଣୀଙ୍କ ଶେଷ ଦର୍ଶନ ପାଇଁ ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟିଛି। ଆସନ୍ତା କାଲି (ସୋମବାର) ରାଜ ପରିବାରର ପାରମ୍ପରିକ ନୀତିରେ ତିଗିରିଆରେ ଅନ୍ତ୍ୟେଷ୍ଟିକ୍ରିୟା ଅନୁଷ୍ଠିତ ହେବ ବୋଲି ରାଜ୍ୟ ପରିବାର ସୂତ୍ରରୁ ଜଣା ପଡ଼ିଛି।

Comments are closed.