ପଛଘୁଞ୍ଚା ଦେଲେ ଆନ୍ଧ୍ର ଅଧିକାରୀ, କୋଟିଆ ଜଗିଲା କୋରାପୁଟ ପ୍ରଶାସନ

ପଟାଙ୍ଗି: ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଆଜି ଆନ୍ଧ୍ରର ନାମ ଫଳକ ପୋତିବା, ଚକ୍ଷୁ ଶିବିର ଯୋଜନା ପଣ୍ଡ ହୋଇଛି। କୋରାପୁଟ ଜିଲା ପ୍ରଶାସନର କଡ଼ା ପହରା ପରେ ଆନ୍ଧ୍ରର ଅଧିକାରୀମାନେ ପଛଘୁଞ୍ଚା ଦେଇଛନ୍ତି। କୋରାପୁଟ ଜିଲା ପଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତର ବିବାଦୀୟ ଗ୍ରାମପୁଞ୍ଜରେ ଆନ୍ଧ୍ର ପ୍ରଶାସନ ବାରମ୍ବାର ଅନୁପ୍ରବେଶ କରୁଛି। ଏହାକୁ ପ୍ରତିରୋଧ କରିବାକୁ କୋରାପୁଟ ଜିଲା ପ୍ରଶାସନ ଅଣ୍ଟା ଭିଡିଛି। ଆନ୍ଧ୍ର ପ୍ରଶାସନ ପକ୍ଷରୁ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମପୁଞ୍ଜରେ ଆନ୍ଧ୍ର ନାମ ଫଳକ ଲାଗିବା ଏବଂ ତଳଗଞ୍ଜେଇପଦରରେ ଚକ୍ଷୁ ଶିବିର କାର୍ଯ୍ୟକ୍ରମ ରହିଥିଲା। ସୂଚନା ପାଇ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଅଦ୍ଦାଲ ଏମ.ଅଖତାରଙ୍କ ନିର୍ଦେଶକ୍ରମେ ଉପଜିଲାପାଳ ଲଳିତମୋହନ କହଁରଙ୍କ ନେତୃତ୍ବରେ କୋରାପୁଟ ତହସିଲଦାର ଭୀମ ମାନସେଠ, ନନ୍ଦପୁର ତହସିଲଦାର ନରସିଂହ ଗାଦବା, ପଟାଙ୍ଗି ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା ଏବଂ ସେମିଳିଗୁଡା ଅତିରିକ୍ତ ତହସିଲଦାର ଦେବବ୍ରତ କରାଟି ପ୍ରମୁଖ ମାଜିଷ୍ଟ୍ରେଟ୍‌ ଦାୟିତ୍ବରେ ବିଭିନ୍ନ ଗ୍ରାମପୁଞ୍ଜରେ ନିୟୋଜିତ ହୋଇଥିଲେ। ସେଠାରେ ଓଡ଼ିଶା ପ୍ରଶାସିନକ ଅଧିକାରୀମାନେ ପଇଁତରା ମାରିଥିଲେ। ଏଥିସହ ସୁନାବେଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ (ଏସଡିପିଓ) ମନୋଜ ବେହେରାଙ୍କ ନେତୃତ୍ବରେ ଦାମନଯୋଡି ଥାନା ଅଧିକାରୀ ସମ୍ବିତ ବେହେରା, ପଟାଙ୍ଗି ଥାନା ଅଧିକାରୀ କୈବଲ୍ୟ ସେଠ୍‌ ଏବଂ ସୁନାବେଡ଼ା ଥାନା ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମହାପାତ୍ରଙ୍କ ସମେତ ଦୁଇ ପ୍ଲାଟୁନ ପୁଲିସ ନିୟୋଜିତ କରାଯାଇଥିଲା।

ଜିଲା ପ୍ରଶାସନର ନିର୍ଦେଶ କ୍ରମେ ନିୟୋଜିତ ପ୍ରଶାସନିକ ଅଧିକାରୀ ଏବଂ ପୁଲିସ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ତଦାରଖ କରିଥିଲେ। ଆନ୍ଧ୍ର ପ୍ରଶାସନ ପକ୍ଷରୁ ପାର୍ବତୀପୁରମ ଏପିଡି ତଥା ୱେଲୁଗୁ ଓ ଆଇଡବ୍ଲ୍ୟୁଏନପି ଯୋଜନା ଅଧିକାରୀ ସତ୍ୟମ ନାଇଡୁଙ୍କ ସହ ଅନ୍ୟ ଅଧିକାରୀ ତଳଗଞ୍ଜେଇପଦର ଅଭିମୁଖେ ଆସୁଥିଲେ। ଉପରସେମ୍ବିଠାରେ ଓଡ଼ିଶା ଅଧିକାରୀମାନେ ତାଗିଦ୍‌ କରିବା ପରେ ସେମାନେ ଫେରିଯାଇଥିବା ଜଣାପଡିଛି। ଆନ୍ଧ୍ର ପକ୍ଷରୁ ତେଲୁଗୁ ଫଳକ ଲଗାଇବା ପାଇଁ ଅନ୍ୟ କୌଣସି ଅଧିକାରୀ ଆସି ପାରି ନ ଥିବା ଜଣାପଡିଛି।

Comments are closed.