ଆନ୍ଧ୍ର-ଓଡିଶା ଆଲୋଚନା ଶେଷ, ଗଠନ ହେବ ଉଚ୍ଚସ୍ତରୀୟ କମିଟି

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନମୋହନ ରେଡ୍ଡୀ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଜି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି। ଏହି ବୈଠକରେ ଉଭୟ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦ ନେଇ ଆଲୋଚନା ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ଭୁବନେଶ୍ୱର ଲୋକସେବା ଭବନର ଅତିଥି ଭବନରେ ପ୍ରାୟ ୪୦ ମିନିଟ ଧରି ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିଥିଲେ। ଆଲୋଚନା ଶେଷରେ ବାହାରିଥିବା ନିଷ୍କର୍ସ ଅନୁଯାୟୀ, ଉଭୟ ରାଜ୍ୟ ମଧ୍ୟରେ ବିଭିନ୍ନ ସମୟରେ ଉପୁଜିଥିବା ସମସ୍ୟାଗୁଡିକର ପ୍ରତିକାର ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ଉଭୟ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନମୋହନ ରେଡ୍ଡୀ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମତି ପ୍ରକାଶ କରିଛନ୍ତି।

ବୈଠକରେ ଜଳ ସମସ୍ୟା, ସୀମା ବିବାଦ ଓ ନକ୍ସଲ ମୁକାବିଲା ନେଇ ଆଲୋଚନା ହୋଇଛି। ବିଶେଷ କରି କୋଟିଆ, ନେରେଡ଼ି, ଝଂଜାବତି, ପୋଲଭରମ, ବାହୁଦା ଜଳ, ବାଲିମେଳା, ସିଲେରୁ ଜଳ ସମସ୍ୟା ନେଇ ଆଲୋଚନା ହୋଇଛି। ଦୁଇ ରାଜ୍ୟ ମିଳିମିଶି ମାଓ ଦମନ ଓ ଗଂଜେଇ ଚାଷ ରୋକିବା ଦିଗରେ କାର୍ଯ୍ୟ କରିବାକୁ ଉଭୟ ରାଜ୍ୟ ରାଜି ହୋଇଛନ୍ତି। ଅନ୍ୟପକ୍ଷରେ ଦୁଇ ରାଜ୍ୟର ଦୁଇଟି ବିଶ୍ୱବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା ପାଇଁ ମଧ୍ୟ ସହମତି ପ୍ରକାଶ ପାଇଛି। ଆନ୍ଧ୍ରର ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ଏବଂ ଓଡ଼ିଶାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତେଲୁଗୁ ଚେୟାର ପ୍ରତିଷ୍ଠା ହେବ ବୋଲି ବୈଠକରୁ ଜଣାପଡିଛି। ଏହାଛଡା ଉଭୟ ରାଜ୍ୟର ସୀମାନ୍ତରେ ଥିବା ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଯେଭଳି ସୁବିଧାରେ ନିଜ ମାତୃଭାଷା ପଢିପାରିବେ ସେ ନେଇ ଉଭୟ ମୁଖ୍ୟମନ୍ତ୍ରୀ ସେହି ସୀମାନ୍ତ ବିଦ୍ୟାଳୟ ଗୁଡିକରେ ଖୁବ ଶୀଘ୍ର ଶିକ୍ଷକ ନିଯୁକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି।

ଗଠିତ ହେବାକୁ ଥିବା ଉଚ୍ଚସ୍ତରୀୟ କମିଟିରେ ଉଭୟ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ପ୍ରତିନିଧିତ୍ବ କରିବେ ଓ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ନିମନ୍ତେ ଉପାୟ ବାହାର କରିବେ। କମିଟି ଗଠନ ପାଇଁ ଓଡିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି। ଆଜିର ବୈଠକ ଉଭୟ ମୁଖ୍ୟମନ୍ତ୍ରୀ ମିଳିତ ବିବୃତି ଦେଇଛନ୍ତି।

Comments are closed.