ଓଡ଼ିଶା-ଆନ୍ଧ୍ର ସୀମା ବିବାଦ : ନେତାଙ୍କ କଥା ଶୁଣିଲେନି ଆନ୍ଧ୍ର ଜନତା

ପଟ୍ଟାଙ୍ଗି : କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଆନ୍ଧ୍ର ସୀମାନ୍ତ ସମ୍ବାଇ ପଞ୍ଚାୟତ ସୁନାବେଡ଼ା ଓ ଜାମୁଗୁଡା ଦୁଇ ଗ୍ରାମବାସୀଙ୍କ ସହ ଆନ୍ଧ୍ରର ବିଶାଖାପାଟଣା ଜିଲା ଅନ୍ତର୍ଗତ ଡୁମୁରିଗୁଡା ବ୍ଲକର ବିଟ୍ରୁ ଗାଣ୍ଡା, କର୍ଲାପୁଟ, ଡେକାପାର, ବଡଲାମ୍ବଗୁଡା ଓ ନିଟାଆମ୍ବ ପ୍ରମୁଖ ୫ଖଣ୍ଡ ଗ୍ରାମବାସୀଙ୍କ ମଧ୍ୟରେ ଚାଷଜମିକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନା ଧରୁ ନାହିଁ। ମଙ୍ଗଳବାର ଉକ୍ତ ଗ୍ରାମବାସୀଙ୍କ ନିକଟରେ ଦୁଇ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ରାଜନେତା ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଦୁଇ ରାଜ୍ୟର ଗ୍ରାମବାସୀଙ୍କୁ ବୁଝାସୁଝା କରି ଫେରିଛନ୍ତି।

ସୂଚନା ଅନୁଯାୟୀ ଆନ୍ଧ୍ର ରାଜ୍ୟର ଉପରୋକ୍ତ ଗ୍ରାମବାସୀ ଓଡିଶାର ସୁନାବେଡା ଗ୍ରାମବାସୀଙ୍କ ଚାଷଜମିକୁ ନିଜ ଅକ୍ତିଆରକୁ ନେବା ସହ ସୀମା ଅତିକ୍ରମ କରି ନିଜ ଉପସ୍ଥିତି ଜାହିର କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି। ଏହି ବିିିବାଦକୁ ଦୃଷ୍ଟିରେ ରଖି କଂଗ୍ରେସର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକ୍ର୍ରା ଖରା, ଗୋବିନ୍ଦ ଖରା, ସମ୍ବାଇ ପଞ୍ଚାୟତର ସରପଞ୍ଚ ପିଲକ ଗୁଣ୍ଠା, ପୂର୍ବତନ ସରପଞ୍ଚ ତ୍ରିନାଥ ପାଙ୍ଗିଙ୍କ ସମେତ ବିଜେପିର ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ବିଜେପିର ରାଜ୍ୟ ସ୍ଥାୟୀ ସଦସ୍ୟ ଗୌତମ ସାମନ୍ତରାୟ, ବିଜୁ ଦଳେଇ ଓ ପଟ୍ଟାଙ୍ଗି ମଣ୍ଡଳ ସଭାପତି ବଲୁ ଚପାଡି, ବଳରାମ ବାରିକ, ପ୍ରତାପ ଚୌଧୁରୀ ପ୍ରମୁଖ ନେତା ବିିିବାଦୀୟ ସ୍ଥାନରେ ଆଜି ପହଞ୍ଚିଥିଲେ।

ଉଭୟ ରାଜ୍ୟର ସୀମାନ୍ତ ଗ୍ରାମବାସୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସମାଧାନ ନ ହେବା ଯାଏଁ ନିଜ ନିଜ ମଧ୍ୟରେ କୌଣସି ଗଣ୍ଡଗୋଳ ନ କରି ଉଭୟେ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେମାନେ ବୁଝାସୁଝା କରିଥିଲେ। କିନ୍ତୁ ଦୁଇ ଦଳର ରାଜନେତାଙ୍କ ଏହିପରି ବୁଝାମଣାକୁ ନେଇ ଆନ୍ଧ୍ରର ବଡ଼ଲାମ୍ବଗୁଡା, ଡେକାପାର ଓ କର୍ଲାପୁଟ ପ୍ରମୁଖ ତିନି ଗ୍ରାମବାସୀ ବୁଝିବାକୁ ରାଜି ନ ହୋଇ ଓଲଟା ଯୁକ୍ତିତର୍କ କରିଥିଲେ। ସୀମାନ୍ତରେ ଦୁଇପାର୍ଶ୍ବର ଗ୍ରାମବାସୀଙ୍କ ମଧ୍ୟରେ ବିବାଦକୁ ନେଇ ଉତ୍ତେଜନା ବୃୃଦ୍ଧି ପାଉଛି। ଜିଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଏ ନେଇ ରିପୋର୍ଟ କରିବା ସହ ବିଶାଖାପାଟଣା ଜିଲାପାଳଙ୍କୁ ଚିଠି କରିଥିଲେ ହେଁ ଗ୍ରାମବାସୀ ଜିଲା ପ୍ରଶାସନ ନୀରବ ରହୁଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ।

Comments are closed.