ୱୁହାନ୍‍ ସହରରୁ କରୋନା ଭୂତାଣୁ ଉତ୍ପତ୍ତି ତଦନ୍ତ ଆରମ୍ଭ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ୧୩ ଜଣିଆ ବିଶେଷଜ୍ଞ ଦଳ ଚୀନ୍‍ର ୱୁହାନ୍‍ ସହରରୁ କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ବିଷୟରେ ତଦନ୍ତ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ତଦନ୍ତକାରୀ ଦଳ ଚୀନରେ ପହଞ୍ଚିବା ପରେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ଆଜି କ୍ୱାରେଣ୍ଟାଇନ୍‍ ଅବଧି ଶେଷ ହୋଇଯିବା ପରେ ସେମାନେ କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ ଉପରେ ତଦନ୍ତ ଆରମ୍ଭ କରିବେ।

ଚୀନ୍‍ର ୱୁହାନ୍‍ ସହରରୁ କରୋନା ସମଗ୍ର ବିଶ୍ୱକୁ ବ୍ୟାପିଥିଲା। ସମଗ୍ର ବିଶ୍ୱର ନଜର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍‍ ଉପରେ କେନ୍ଦ୍ରୀଭୂତ ହୋଇଛି। ୨୦୧୯ ଶେଷ ଭାଗରେ କିଭଳି ଭୂତାଣୁ ସୃଷ୍ଟି ହୋଇଥିଲା, ସେ ସଂକ୍ରାନ୍ତରେ ଜାଣିବାକୁ ସମଗ୍ର ବିଶ୍ୱ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି। ହୁ ଟିମ୍‍ ଏହା ଉପରେ ତଦନ୍ତ ଆରମ୍ଭ କରିବେ। ସେଠାରେ ପହଞ୍ଚିବା ପରେ ଗତ ଦୁଇ ସପ୍ତାହ ଧରି ହୁ ଟିମ୍‍ ଚୀନ୍‍ର ବୈଜ୍ଞାନିକ ଓ ଅନ୍ୟ କର୍ମକର୍ତ୍ତାମାନଙ୍କ ସହ ଭିଡ଼ିଓ କଲ୍‍ ମାଧ୍ୟମରେ ଲଗାତାର ବିଚାର ବିମର୍ଶ କରିଆସୁଛନ୍ତି।

୨୦୨୦ ଫେବୃୟାରୀ ମାସରେ ‘ହୁ’ର ପ୍ରଥମ ଟିମ୍‍ ଚୀନ୍‍ ଗସ୍ତ କରିଥିଲା ଏବଂ ଆମେରିକା ଓ ଅଷ୍ଟ୍ରେଲିଆ ସମେତ ବିଶ୍ୱର ଅନେକ ଦେଶ କରୋନା ଭୂତାଣୁ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଚୀନ୍‍ ଅସାବଧାନତା ଅବଲମ୍ବନ କରିଥିବାର ଦୋଷାରୋପ କରିଆସୁଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଫଳପ୍ରଦ ପଦକ୍ଷେପ ନିଆଯାଇଥିଲେ ଏହି ଭୂତାଣୁ ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରିପାରି ନ ଥା’ନ୍ତା ବୋଲି ସେମାନେ କହିଆସୁଛନ୍ତି। ଏଥିପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‍ଡ୍‍ ଟ୍ରମ୍ପ୍‍ ମଧ୍ୟ ‘ହୁ’ର ତୀବ୍ର ସମାଲୋଚନା କରିଥିଲେ।

Comments are closed.