ନିଆଁ ଝାସରେ ପୋଡ଼ିଗଲେ ବୃଦ୍ଧ ବନ ଜଗୁଆଳି

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡା ବନାଞ୍ଚଳରେ ଅଭାବନୀୟ କାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଦେଶ ବିଶ୍ୱ ବନ ଦିବସ ପାଳନ କରୁଥିବା ବେଳେ ଜଙ୍ଗଲ ନିଆଁରେ ମୃତ୍ୟୁବରଣ କରିଛନ୍ତି ଜଡିବିଲ ଗ୍ରାମର ବୃଦ୍ଧ ଯଦୁମଣି ମହାନ୍ତ (୬୫)। ଯଦୁମଣି ଦୁଇ ବର୍ଷ ହେଲା ବୃକ୍ଷରୋପଣ ସ୍ଥାନରେ ଜଗୁଆଳି କାର୍ଯ୍ୟ କରି ଆସୁଥିଲେ । ଜଡିବିଲ ସଂରକ୍ଷିତ ଜଙ୍ଗଲକୁ ଲାଗି ଲୋକଙ୍କ ଜମିରେ ଥିବା ମହୁଲ ଗଛରୁ ପଡୁଥିବା ମହୁଲ ଫୁଲ କୁ ସଂଗ୍ରହ କରିବାକୁ ଲୋକେ ମହୁଲ ଗଛ ମୂଳରେ ପଡିଥିବା ଶୁଖିଲା ପତ୍ର କୁ ନିଆଁ ଲଗାଇ ଥିଲେ। ଖଣ୍ଡିଆ ଭୂତ ଯୋଗୁଁ ନିଆଁ ଉଡ଼ି ନିକଟରେ ଥିବା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଯାଇଥିଲା । ଫଳରେ ବୃକ୍ଷରୋପଣ ସ୍ଥାନକୁ ନିଆଁ ନ ଯାଉ ସେଥିପାଇଁ ଯଦୁମଣି ସମେତ ବନ କର୍ମଚାରୀ ଓ ସୁରକ୍ଷା କର୍ମୀ ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ । ମାତ୍ର ଯଦୁମଣିଙ୍କ ଲୁଗାରେ ନିଆଁ ଲାଗିବା ତଥା ନିଆଁ ଝାସ ଓ ଧୂଆଁରେ ସେ ଅଣନିଶ୍ଵାସୀ ହୋଇ ପଡ଼ିଥିଲେ । ଫଳରେ ତଳେ ପଡ଼ିଯାଇ ନିଆଁରେ ପୋଡି ହୋଇ ସେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ଅନ୍ୟ କର୍ମଚାରୀ ଏଭଳି ଘଟଣା ସମ୍ପର୍କରେ ଜାଣି ପାରିନଥିଲେ । ଜାଣିବା ବେଳକୁ ଯଦୁମଣିଙ୍କ ପ୍ରାଣବାୟୁ ଉଡିଯାଇଥଲା । ଯଦୁମଣିଙ୍କ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା ଲାଗିରହିଛି ।

ପରେ ସ୍ଥାନୀୟ ଲୋକ ଓ ବନକର୍ମଚାରୀମାନେ ପହଞ୍ଚି ଜଙ୍ଗଲ ନିଆଁ କୁ ଲିଭାଇଥିଲେ। ମୃତ ଜଗୁଆଳିଙ୍କ ପୁଅ ଏସମ୍ପର୍କରେ ଠାକୁରମୁଣ୍ଡା ଥାନାରେ ଜଣାଇବା ପରେ କେଶ ନଂ ୩୨/୨୦୨୧ ମାମଲା ରୁଜ୍ଜୁ କରି ଥାନା ଅଧିକାରୀ ନିରୋଜ ସାମଲ, ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ, ଫୋରେଷ୍ଟର ତପନ କୁମାର ମହାନ୍ତ ସମେତ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଘଟଣାର ଗୁରୁତର ଦେଖି ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା ପଠେଇ ଦେଇଥିବା ବେଳେ କେନ୍ଦୁଜିଆଣୀ ପଞ୍ଚାୟତ ପକ୍ଷରୁ ତାଙ୍କ ପରିବାରକୁ ହରିଶଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଦେଇଛନ୍ତି। ତେବେ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି ଯେ ଯାହା ସରକାରୀ ଯୋଜନା ରେ ଅଛି ସମସ୍ତ ସୁବିଧା ପରିବାରଙ୍କୁ ଯୋଗାଇ ଦିଆଯିବ। ତେବେ ଜଙ୍ଗଲରେ ନିଆଁ ଲଗାଇ ଅଭିଯୋଗରେ ସେହି ଗ୍ରାମର ଦୁଇ ଜଣକୁ ଠାକୁରମୁଣ୍ଡା ପୁଲିସ ଅଟକ ରଖିଥିବା ଥାନା ଅଧିକାରୀଙ୍କ ଠାରୁ ପ୍ରକାଶ।

Comments are closed.