କେମିତି ବଞ୍ଚିବେ ଶ୍ରମିକ – ସରକାର ଓ ଶିଳ୍ପପତିଙ୍କୁ ଟ୍ରେଡ ୟୁନିଅନର ନିବେଦନ

ସମାଜ ପୋର୍ଟାଲ ଡେସ୍କ: ସାରା ବିଶ୍ୱ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ ଭାରତରେ ସମ୍ପୂର୍ଣ୍ଣ ଲକ ଡାଉନ ପରିସ୍ଥିତି ଯୋଗୁ ଶ୍ରମିକମାନଙ୍କ ଅସୁବିଧା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଶ୍ରମିକମାନଙ୍କ ଅସୁବିଧା ସମ୍ପର୍କରେ ବିଚାର କରିବା ନେଇ ଭାରତୀୟ ଟ୍ରେଡ଼ ୟୁନିଅନର ଅଧ୍ୟକ୍ଷ ଜନାର୍ଦନ ପତି ଉଭୟ ସରକାର ଓ ଶିଳ୍ପପତିମାନଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଏଭଳି ଅବସ୍ଥାରେ ଦିନ ମଜୁରୀଆଙ୍କ ପରିସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡିବ ଓ ସେମାନେ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ସକ୍ଷମ ହେବେ ନାହିଁ।
ଏଭଳି ପରିସ୍ଥିତିରେ ରାଜ୍ୟ ତଥା କେନ୍ଦ୍ର ସରକାର ଏକ ବିସ୍ତୃତ ଯୋଜନା ପ୍ରଣୟନ ପାଇଁ ସେ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ପରିସ୍ଥିତିର ମୁକାବିଲା ପାଇଁ ଶ୍ରମିକମାନଙ୍କୁ କାମକୁ ଯିବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ ଓ ପ୍ରତ୍ୟେକ ପରିବାରକୁ ୫ହଜାର ଟଙ୍କା ମୂଲ୍ୟର ସଉଦା ଓ ଅନ୍ୟାନ୍ୟ ଆବଶ୍ୟକ ଦ୍ରବ୍ୟ ଯୋଗାଇ ଦିଆଯିବ ଆବଶ୍ୟକ। ସେ ନିବେଦନ କରିଛନ୍ତି ଯେ ବଡ କିମ୍ବା ଛୋଟ ସମସ୍ତ ଇଣ୍ଡଷ୍ଟ୍ରିଆଲ୍ ହାଉସ୍ ମଜୁରୀ କାଟିବା ଉଚିତ୍ ନୁହେଁ। ଯେହେତୁ ଶ୍ରମିକମାନେ ଶିଳ୍ପର ମେରୁଦଣ୍ଡ ତେଣୁ ଏଭଳି ଗୁରୁତର ପରିସ୍ଥିତିରେ କେନ୍ଦ୍ର ସରକାର ସେମାନଙ୍କ ପାଇଁ ଏକ ପ୍ୟାକେଜ୍ ଘୋଷଣା କରିବା ଉଚିତ୍ ବୋଲି ସେ କହିଛନ୍ତି।