ଗୋପବନ୍ଧୁ କନିଷ୍ଠ ମହିଳା କଲେଜରେ ଅମୃତ ମହୋତ୍ସବ

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ କନିଷ୍ଠ ମହିଳା ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସର ମିଳିତ ଆନୁକୁଲ୍ୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ବୁଧବାର ପାଳନ କରାଯାଇଛି । ଜାତୀୟ ସେବା ସଂସ୍ଥାର ସଂଯୋଜିକା ଅଧ୍ୟାପିକା ସ୍ମିତା ମହାପାତ୍ର ଓ ରେଡକ୍ରସ ପରାମର୍ଶ ଦାତ୍ରୀ ଅଧ୍ୟାପିକା ପୁଷ୍ପମଞ୍ଜରୀ ଦାସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଛାତ୍ରୀମାନେ ହାତରେ ତ୍ରିରଙ୍ଗା ଧରି ସହର ପରିକ୍ରମା କରିଥିଲେ। କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ଉପସ୍ଥିତରେ ଉପଜିଲ୍ଲାପାଳ ତଥା ପରିଚାଳନା ପରିଷଦର ସଭାପତି ହେମନ୍ତ କୁମାର ସ୍ୱାଇଁ ଏହି ଶୋଭାଯାତ୍ରାକୁ ପତାକା ଦେଖାଇ ଉଦ୍‍ଘାଟନ କରିବା ସହିତ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଶ୍ରୀ ସ୍ୱାଇଁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନର ଉଦ୍ଦେଶ୍ୟ, ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ଏବଂ ଗାନ୍ଧିଜୀଙ୍କ ଅହିଂସା ନୀତି ସଂପର୍କରେ କହିବା ସହ ଦେଶର ବିକାଶ ପାଇଁ ସମସ୍ତଙ୍କର ସହଯୋଗ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ପରେ ପରେ ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷା ମମତା ମିଶ୍ର ସ୍ୱାଧୀନୋତ୍ତର ଭାରତର ଅନୁଚିନ୍ତା ବିଷୟରେ ବିସ୍ତୃତ ଆଲୋଚନା କରିବା ସହ ଏକ କବିତା ପାଠ କରିଥିଲେ। ଅଧ୍ୟାପକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭାରତୀୟ ଗଣତନ୍ତ୍ରର ମୂଳମନ୍ତ୍ର ସଂପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପିକା ପ୍ରମୋଦିନି ଜେନା ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହେବା ପାଇଁ ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପିକା ପୁଷ୍ପମଞ୍ଜରୀ ଦାସ ଧନ୍ୟବାଦ ଅର୍ପଣ କରିବା ପରେ ଛାତ୍ରୀମାନେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Comments are closed.