ଅମ୍ପନ ଉଜାଡ଼ିଲା ସୁନ୍ଦରବନ

ଭୁବନେଶ୍ବର: ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁସାରେ ସାମୁଦ୍ରିକ ମହାବାତ୍ୟା ଅମ୍ପନ ବୁଧବାର ଅପରାହ୍ଣରେ ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଛି। ଆଗାମୀ ୧୦ଘଣ୍ଟା ଯାଏ ଅମ୍ପନ ପଶ୍ଚିମବଙ୍ଗରେ ତା’ର ପ୍ରଭାବ ଜାରି ରଖିବ ଏବଂ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ସୁଦ୍ଧା ବାଂଲାଦେଶ ଆଡ଼କୁ ଗତି କରିବ ବୋଲି ଆକଳନ କରାଯାଇଛି। ଅମ୍ପନ ପ୍ରଭାବରେ ପଶ୍ଚିମ ବଙ୍ଗର ୩ଟି ଜିଲାରେ ୬ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଯିବାବାଟରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବିଶେଷକରି ଓଡ଼ିଶା ଉପକୂଳର ୬ଟି ଜିଲାରେ ପ୍ରବଳ ବର୍ଷା ଓ ପବନରେ ହଜାର ହଜାର ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ହଜାର ହଜାର ହେକ୍ଟର ଜମିରେ ହୋଇଥିବା ରବି ଫସଲ କ୍ଷତିଗ୍ରସ୍ତ ହୋଇଛି। ଏଥିସହିତ ବର୍ଷା ଓ ପବନରେ ଭଦ୍ରକ ଓ ବାଲେଶ୍ବର ଜିଲାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି, ଏହାର ତଦନ୍ତ ଚାଲିଛି।

ଦୀର୍ଘ ଏକ ସପ୍ତାହ ଧରି ବଙ୍ଗୋପସାଗରରେ ଘୂରିବୁଲିବା ପରେ ମହାବାତ୍ୟା ଅମ୍ପନ ଅତିଭୀଷଣ ସାମୁଦ୍ରିକ ଝଡ଼ ରୂପରେ ସ୍ଥଳଭାଗ ଛୁଇଁଛି। ଭାରତୀୟ ପାଣିପାଗ ବିଭାଗର ପ୍ରାକ ଆକଳନ ଅନୁସାରେ ଅମ୍ପନ ଆଜି ଅପରାହ୍ଣରେ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିଆ ଦ୍ବୀପ ମଧ୍ୟ ଦେଇ ସୁନ୍ଦରବନ ନିକଟରେ ସ୍ଥଳଭାଗକୁ ପ୍ରବେଶ କରିଥିଲା। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଥିଲା ଘଣ୍ଟା ପ୍ରତି ୧୫୫ରୁ ୧୬୫ କିମି ଏବଂ ମଝିରେ ମଝିରେ ପବନର ଘଣ୍ଟା ପ୍ରତି ବେଗ ୧୮୫କିମି ଅତିକ୍ରମ କରିଥିଲା। ସମ୍ପୂର୍ଣ୍ଣ ଭାବେ ସ୍ଥଳଭାଗରେ ପ୍ରବେଶ କରିବାକୁ ପ୍ରାୟ ୪ଘଣ୍ଟା ଲାଗିଥିଲା। ଏହାପରେ ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗରେ ବାଂଲାଦେଶ ମୁହାଁ ହୋଇଛି।

ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଏହାର ପରବର୍ତ୍ତୀ ଗତିବିଧି ସମ୍ପର୍କରେ ସୂଚନା ଦେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆଇଏମ୍‌ଡି ବାତ୍ୟାର ରୂପରେଖ ଓ ସମ୍ଭାବ୍ୟ ଗତିବିଧି ନେଇ ପୂର୍ବରୁ ଯାହା ଆକଳନ କରିଥିଲା ତାହା ନିର୍ଭୁଲ ପ୍ରମାଣିତ ହୋଇଛି। ବାତ୍ୟା ସମୟରେ ପବନ, ବର୍ଷା ଓ ସମୁଦ୍ର ଜୁଆର ଉଠିବା ସଂକ୍ରାନ୍ତରେ ଯାହାକିଛି ଭବିଷ୍ୟବାଣୀ କରାଯାଇଥିଲା ବାତ୍ୟା ଅତିକ୍ରମ କରିବା କାଳରେ ସେଥିରେ କିଛି ବ୍ୟତିକ୍ରମ ହୋଇ ନାହିଁ। ଉତ୍ତର ଓଡ଼ିଶାରେ ହିଁ ଏହାର ସବୁଠୁ ଅଧିକ ପ୍ରଭାବ ଅନୁଭୂତ ହୋଇଛି। ଗତକାଲି ରାତିରୁ ବାତ୍ୟାର ପ୍ରକୋପ ବଢ଼ିଥିଲା ଏବଂ ଆଜି ସକାଳେ ପାରାଦ୍ବୀପରେ ପବନର ବେଗ ସର୍ବାଧିକ ୧୦୬ କିମିରେ ପହଞ୍ଚିଥିବା ରେକର୍ଡ଼ ହୋଇଛି। ବାଲେଶ୍ବରରେ ଘଣ୍ଟା ପ୍ରତି ୯୧କିମି ଏବଂ ଚାନ୍ଦବାଲିରେ ୭୪ କିମି ବେଗରେ ପବନ ବହିଛି। ସେହିପରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ଗତ ୨୪ଘଣ୍ଟା ଭିତରେ ପ୍ରବଳ ବର୍ଷା ମଧ୍ୟ ହୋଇଛି। ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ କମ୍‌ ବର୍ଷା ହୋଇଛି।

ପଶ୍ଚିମବଙ୍ଗର ଦିଘା ଓ ବାଂଲାଦେଶର ହାତିଆ ଦ୍ବୀପ ମଝିରେ ସୁନ୍ଦରବନ ଦେଇ ସ୍ଥଳଭାଗ ଛୁଇଁଥିବାବେଳେ ବାତ୍ୟା ଉତ୍ତର-ଉତ୍ତରୂପର୍ବ ଦିଗରେ ଗତି କରିଛି ଏବଂ ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଚବିଶ ପ୍ରଗଣା, ପୂର୍ବ ମେଦିନାପୁରରେ ୧୬୦ କିମିରୁ ଅଧିକ ବେଗରେ ପବନ ବହିଛି। ବାତ୍ୟା ଅତିକ୍ରମ କରିବା ସମୟରେ କଲକାତା, ହୁଗୁଳି, ହାୱଡ଼ାରେ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ବେଗରେ ପବନ ବହିଥିଲା ଏବଂ ମଝିରେ ମଝିରେ ପବନର ବେଗ ୧୩୫କିମି ଟପିଯାଇଥିଲା। ବାତ୍ୟାର ଆଖି ପ୍ରାୟ ୪୦ କିମି ବ୍ୟାସାର୍ଦ୍ଧ ଭିତରେ ରହିଥିଲା। ବାହ୍ୟ ଭାଗ ୧୨୦କିମି ପର୍ୟ୍ୟନ୍ତ ପ୍ରଭାବ ବିସ୍ତାର କରିଥିଲା।

ଅମ୍ପନର କମ୍ପନରେ ଉପକୂବର୍ତ୍ତୀ ଜିଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲା ଅଧିକ ପ୍ରଭାବିତ ହୋଇଛି। ପାରାଦ୍ବୀପ, ଏରସମା, ଢିଙ୍କିଆ ସମେତ କେନ୍ଦ୍ରାପଡ଼ା ଜିଲାର ତାଳଚୁଆ, ରାଜନଗର, ମହାକାଳପଡ଼ା, ସାତଭାୟା, ଭଦ୍ରକର ଚାନ୍ଦବାଲି, ତିହିଡ଼ି, ଭୋଗରାଇ ଆଦି ଉପକୂଳବତ୍ତର୍ତ୍ତୀ ଅଞ୍ଚଳରେ ବାତ୍ୟାର ଭୀଷଣ ପ୍ରଭାବ ପରିଲକ୍ଷିତ ହୋଇଛି। କେଉଁଠି ଫସଲ ଉଜୁଡ଼ିଯାଇଛି ତ କେଉଁଠି ରାସ୍ତାଘାଟରେ ବଡ଼ ବଡ଼ ଗଛ, ବିଦ୍ୟୁତ୍‌ ଖୁଣ୍ଟି ଉପୁଡ଼ିପଡ଼ିଛି। ଢିଙ୍କିଆ ଓ ଅନ୍ୟାନ୍ୟ ସ୍ଥାନରେ ପାନବରଜ ନଷ୍ଟ ହୋଇଛି, ଉଦ୍ୟାନକୃଷି ବ୍ୟାପକ ଭାବେ ପ୍ରଭାବିତ ହୋଇଛି।

ଗତ ୨୪ଘଣ୍ଟା ଭିତରେ ବାତ୍ୟା ପ୍ରଭାବରେ ପାରାଦ୍ବୀପରେ ସର୍ବାଧିକ ୩୦୩ ମିମି ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ବାଲେଶ୍ବରରେ ୧୧୯, ଚାନ୍ଦବାଲିରେ ୧୧୨, କଟକରେ ୪୫, ଭୁବନେଶ୍ବରରେ ୮୬, ପୁରୀରେ ୧୦୫, ବାରିପଦାରେ ୧୫୪, କେନ୍ଦୁଝରରେ ୫୫, ନୟାଗଡ଼ ଓ ଛତ୍ରପୁରରେ ୨୦ମିମି ଲେଖାଏଁ ବର୍ଷା ହୋଇଛି।

Comments are closed.