ମୋଦୀ ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ, କୌଣସି କମ୍ପାନୀ ଚାଷୀଙ୍କଠାରୁ ସେମାନଙ୍କ ଜମି ନେଇ ପାରିବେ ନାହିଁ : ଅମିତ ଶାହା

ଏମଏସପି ବ୍ୟବସ୍ଥା ଜାରି ରହିବ ଏବଂ ମଣ୍ଡି ବନ୍ଦ ହେବ ନାହିଁ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର କହିଛନ୍ତି, ଯେ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ରହିବେ ସେ ପର୍ଯ୍ୟନ୍ତ କୌଣସି କମ୍ପାନୀ ଚାଷୀଙ୍କଠାରୁ ସେମାନଙ୍କ ଜମି ଛଡ଼ାଇ ନେଇ ପାରିବେ ନାହିଁ।  ସେ ଆହୁରି ମଧ୍ୟ କହିଛନ୍ତି ଯେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବ୍ୟବସ୍ଥା ଜାରି ରହିବ ଏବଂ ମଣ୍ଡି ବନ୍ଦ ହେବ ନାହିଁ।
ଜାତୀୟ ରାଜଧାନୀର କିଶନଗଡ ଗ୍ରାମରେ ଲୋକଙ୍କୁ ସମ୍ବୋଧିତ କରି ଶାହା କହିଛନ୍ତି ଯେ, ଯଦି କୃଷକ ସଂଗଠନ ଭାବନ୍ତି ଯେ ନୂତନ କୃଷି ଆଇନର କୌଣସି ବ୍ୟବସ୍ଥା ସେମାନଙ୍କ ସ୍ୱାର୍ଥ ବିରୁଦ୍ଧ ଅଟେ ତେବେ କେନ୍ଦ୍ର ସରକାର ଏନେଇ ଆଲୋଚନା କରିବାକୁ ଏବଂ ଖୋଲା ମନରେ ଚିନ୍ତା କରିବାକୁ ପ୍ରସ୍ତୁତ ଅଛନ୍ତି।

ଶ୍ରୀ ଶାହା କହିଛନ୍ତି ଯେ ମୋଦୀଙ୍କ ନେତୃତ୍ୱାଧୀନ  ସରକାର ୨୦୧୪-୧୯ କାର୍ଯ୍ୟକାଳ ମଧ୍ୟରେ ଫସଲର ଏମଏସପି ଦେଢଗୁଣ ବୃଦ୍ଧି କରିବାର ବର୍ଷ ବର୍ଷ ଧରି ପୁରୁଣା ଦାବିକୁ କାର୍ଯ୍ୟକାରୀ କରିଛନ୍ତି। ଗୃହମନ୍ତ୍ରୀ କିଶନଗଡ ଗାଁର ଗୋଶାଲା ଠାରେ ଆୟୋଜିତ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ରାଜ୍ୟରୁ ଆସିଥିବା ଚାଷୀଙ୍କ ସହ ଆଲୋଚନା ଶୁଣିଥିଲେ । ଶ୍ରୀ ଶାହାଙ୍କ ସହ ବହୁ ବିଜେପି ନେତା ଏଥିରେ ଯୋଗ ଦେଇଥିଲେ।

Comments are closed.