ବଜାରକୁ ଆସୁଛି ଅମିତ ଶାହା ଆମ୍ବ

ଲକ୍ଷ୍ନୌ : ବିଜେପି ସଭାପତି ତଥା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନାମରେ ବଜାରକୁ ଆସୁଛି ସ୍ବତନ୍ତ୍ର ଆମ୍ବ । ଭାରତର ‘ଆମ୍ବ ମାନବ’ ଭାବେ ପରିଚିତ ଉତ୍ତରପ୍ରଦେଶର ହାଜି କଲିମୁଲ୍ଲା ଖାଁଙ୍କ ମଲିହାବାଦସ୍ଥିତ ବଗିଚାରେ ଏହି ନୂଆ ପ୍ରଜାତିର ଆମ୍ବ ଫଳିଛି। କଲିମୁଲ୍ଲା ତାଙ୍କ ବଗିଚାରେ ପ୍ରାୟ ୩୦୦ ପ୍ରଜାତିର ଆମ୍ବ ଫଳାଇ ରେକର୍ଡ ସୃଷ୍ଟି କରିଛନ୍ତି । ଗୋଟିଏ ଗଛରୁ ସେ ଏକାଧିକ ପ୍ରକାର ଆମ୍ବ ଉତ୍ପାଦନ କରି ସମସ୍ତଙ୍କୁ ଚମତ୍କୃତ କରିଛନ୍ତି । ବିଭିନ୍ନ ଆମ୍ବର ନାମକରଣ ସେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ନାମାନୁସାରେ କରିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ମଧ୍ୟ ଏକ ଆମ୍ବ ବଜାରକୁ ଛାଡ଼ିଛନ୍ତି। ସମ୍ପ୍ରତି ଅମିତ ଶାହାଙ୍କ ନାମରେ ଯେଉଁ ଆମ୍ବ ସେ ଫଳାଇଛନ୍ତି ତାହା କଲକାତାର ‘ହସନ୍‌-ଇ-ଆରା’ ଓ ଉତ୍ତରପ୍ରଦେଶର ‘ଦସେରୀ’ କିସମର ମିଶ୍ରଣ ବୋଲି କଲିମୁଲ୍ଲା କହିଛନ୍ତି । ଏହାକୁ ସେ ‘ଶାହା ଆମ୍ବ’ ବୋଲି କହୁଛନ୍ତି। ଏହି ଆମ୍ବ ବେଶ୍‌ ସ୍ବାଦିଷ୍ଟ ଓ ଏହାର ଓଜନ କମ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.