ବାଇଡେନଙ୍କ ସମୟରେ ଚୀନ ପ୍ରତି କଠୋର ରହିବ ଆମେରିକାର ନୀତି

ଟୋକିଓ: ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ଏସିଆ-ପାସିଫିକ(ପ୍ରଶାନ୍ତ ମହାସାଗର) ଅଞ୍ଚଳରେ ଆମେରିକାର ନୀତିରେ କି ପରିବର୍ତ୍ତନ ଆସିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ନିର୍ବାଚନ ଜିତିବା ପରେ ବାଇଡେନ କହିଥିଲେ ଯେ, ଆମେରିକା ଇଜ୍‌ ବ୍ୟାକ୍‌। ଅର୍ଥାତ ଡୋନାଲ୍ଡ ଟ୍ରମ୍ପଙ୍କ ଅସ୍ଥିର ନୀତିରେ ପରିଚାଳିତ ଆମେରିକା ପୁଣି ଥରେ ପୁରୁଣା ରୂପରେ ସାମ୍ନାକୁ ଆସିବ। ଆମେରିକା ନିଜର ସହଯୋଗୀ ଦେଶଗୁଡ଼ିକ ସହିତ ମିଶି ବିଶ୍ବରେ ପୁନର୍ବାର ନେତୃତ୍ବ ନେବ ବୋଲି ବାଇଡେନଙ୍କ ଟିମ୍‌ ଆଶ୍ବାସନା ଦେଇଥିଲେ। ବାଇଡେନଙ୍କ ସମୟରେ ଚୀନ ପ୍ରତି ଆମେରିକାର ନୀତି କଠୋର ହେବ ବୋଲି ଏବେ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି।

ବାଇନେଡ୍‌ ବିଭିନ୍ନ ନୀତି ନିର୍ଦ୍ଧାରଣ କରିବା ଲାଗି ଅନୁଭବୀ ଲୋକଙ୍କୁ ନେଇ ଟିମ୍‌ ଗଠନ କରିଛନ୍ତି। ଏଥିରେ ଅନେକ ଏସୀୟ ବିଶେଷଜ୍ଞ ରହିଛନ୍ତି। ଏସିଆ-ପାସିଫିକ୍‌ ଅଞ୍ଚଳ ପାଇଁ ବାଇଡେନ କୁର୍ଟ କ୍ୟାମ୍ପବେଲଙ୍କୁ ନିଜର ସ୍ବତନ୍ତ୍ର ଦୂତ ନିଯୁକ୍ତ କରିଛନ୍ତି। ଏହାକୁ ଜାପାନ ଏବଂ ଅଷ୍ଟ୍ରେଲିଆ ସ୍ବାଗତ କରିଛନ୍ତି। ଏହି ଦୁଇ ଦେଶ ଆମେରିକାର ଅତି ଘନିଷ୍ଠ ଏବଂ ଚୀନ ସହିତ ସେମାନଙ୍କର ସମ୍ପର୍କ ଅତ୍ୟନ୍ତ ତିକ୍ତ।

କୁର୍ତ୍ତ କ୍ୟାମ୍ପବେଲ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମୟରେ ପାଇଭୋଟ୍‌ ଅଫ ଏସିଆ ନୀତି ପ୍ରସ୍ତୁତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ନୀତିର ମୂଳ ଉଦ୍ଦେଶ୍ୟ ଥିଲା ଚୀନର ପ୍ରଭାବକୁ ସୀମିତ କରିବା। ତେଣୁ ବର୍ତ୍ତମାନ ପୁନର୍ବାର କ୍ୟାମ୍ପବେଲଙ୍କ ନିଯୁକ୍ତି ଘୋଷଣା କରାଯିବା ପରେ ଆମେିରକା ବିଦେଶ ନୀତି ବିଶେଷଜ୍ଞ ମାଇକେଲ ଗ୍ରୀନ କହିଛନ୍ତି, ଚୀନର ‘ଜୋର ଜବରଦସ୍ତି’ ବିରୋଧରେ ଓବାମା ପ୍ରଶାସନରେ କ୍ୟାମ୍ପବେଲଙ୍କର ମୁଖ୍ୟ ଭୂମିକା ରହିଥିଲା।

ବାଇଡେନ ଏସିଆ-ପାସିଫିକ ପ୍ରସଙ୍ଗ ଉପ​‌ରେ ନଜର ରଖିବା ଲାଗି ନିଜର ରାଷ୍ଟ୍ରୀୟ ସୁରକ୍ଷା ପରିଷଦରେ ବରିଷ୍ଠ ବିଶେଷଜ୍ଞମାନଙ୍କର ଏକ ଟିମ ନିଯୁକ୍ତ କରିବାକୁ ଘୋଷଣା କରିଛନ୍ତି। ଆମେରିକାର ବିଦେଶ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ସମନ୍ବୟ ରଖି ପ୍ରଶାନ୍ତ ଓ ହିନ୍ଦ୍‌ ମହାସାଗର ଅଞ୍ଚଳରେ ଆମେରିକାର ହିତକୁ ରକ୍ଷା କରିବା ପାଇଁ ଠିକ୍‌ ନୀତି ନିର୍ଦ୍ଧାରଣ କରିବା ହେଉଛି କ୍ୟାମ୍ପବେଲ୍‌ଙ୍କ ଦାୟିତ୍ବ।

ଆମେରିକାର ଜାତୀୟ ସୁରକ୍ଷା ପରିଷଦର ପୂର୍ବତନ ଡେପୁଟି ପରାମର୍ଶଦାତା ଏଲି ରାଟନର୍ ଏବଂ ବ୍ରୁକିଙ୍ଗସ୍ ଇନଷ୍ଟିଚ୍ୟୁଟର ନୀତି ବିଶ୍ଳେଷକ ଋଷ ଡୋଷୀଙ୍କୁ କ୍ୟାମ୍ପବେଲଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ନିକଟରେ କ୍ୟାମ୍ପବେଲ୍‌ ଏହି ଦୁଇଜଣଙ୍କ ସହିତ ମିଶି ଅନେକ ପ୍ରବନ୍ଧ ଲେଖିଥିଲେ, ଯାହା ଚୀନ୍ ପ୍ରସଙ୍ଗରେ ଡେମୋକ୍ରାଟିକ୍ ପାର୍ଟିର ବୈଦେଶିକ ନୀତି ସମ୍ବନ୍ଧୀୟ ପ୍ରମୁଖ କାଗଜପତ୍ର ବୋଲି ବିବେଚନା କରାଯାଏ। ଚୀନ୍‌ର ପ୍ରଭାବକୁ ନିୟନ୍ତ୍ରଣ କରିବାର ଉପାୟ ସମ୍ପର୍କରେ ଏହି ପ୍ରବନ୍ଧଗୁଡ଼ିକରେ ଆଲୋଚନା କରାଯାଇଛି।

କ୍ୟାମ୍ପବେଲ ଏବଂ ତାଙ୍କର ଦୁଇ ସହଯୋଗୀ ଏକ ପ୍ରବନ୍ଧରେ ଦର୍ଶାଇଛନ୍ତି ଯେ, ଚୀନର ଆର୍ଥିକ ଶକ୍ତି ବୃଦ୍ଧି ଯୋଗୁ ଏସିଆ-ପାସିଫିକ ଅଞ୍ଚଳରେ ସନ୍ତୁଳନ ବିଗିଡ଼ି ଯାଇଛି। ଏହା ଦ୍ବାରା ଚୀନର ଆଞ୍ଚଳିକ ଦୁଃସାହସକୁ ପ୍ରୋତ୍ସାହନ ମିଳିଛି। ଯଦି ଚୀନର ବ୍ୟବହାରକୁ ଅନିୟନ୍ତ୍ରିତ ଛାଡ଼ି ଦିଆଯିବ, ତେବେ ଏହି ଅଞ୍ଚଳର ଶାନ୍ତି ବିପଦରେ ପଡ଼ିପାରେ। ତେବେ ଜୋ ବାଇଡେନ୍‌ ଆନ୍ଥୋନୀ ବ୍ଲିଙ୍କେନଙ୍କୁ ବିଦେଶ ମନ୍ତ୍ରୀ, ଲଏଡ ଅଷ୍ଟିନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଜ୍ୟାକ୍‌ ସୁଲିଭାନଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି। ଚୀନ ପ୍ରସଙ୍ଗରେ କ୍ୟାମ୍ପବେଲ ଏବଂ ଏହି ତିନି ଜଣଙ୍କ ରାୟ ମଧ୍ୟରେ ସାମଞ୍ଜସ୍ୟ ରହିଥାଏ।

Comments are closed.