ମହାକାଶରେ ରେକର୍ଡ କଲେ କ୍ରିଷ୍ଟିନା

ଆମେରିକୀୟ ମହାକାଶ ସଂସ୍ଥା ନାସାର ଜନୈକ ମହାକାଶଚାରୀ ହେଲେ କ୍ରିଷ୍ଟିନା କୋଚ୍। ଜଣେ ମହିଳା ଭାବେ ‘ସ୍ପେସ୍‌ ଷ୍ଟେସନ୍‌’ରେ ସର୍ବାଧିକ ସମୟ ଅତିବାହିତ କରି ସେ ରେକର୍ଡ ସ୍ଥାପନ କରିଛନ୍ତି। ଏବେ ମଧ୍ୟ ସେ ମହାକାଶରେ ଅଛନ୍ତି। ଫେବୃଆରୀ ଶେଷ ପର୍ଯ୍ୟନ୍ତ କ୍ରିଷ୍ଟିନା ରହିବାକୁ ଉଦ୍ୟମ ଚଳାଇଥିବାବେଳେ, ଏଥିରେ ସଫଳ ହେଲେ ମହାକାଶରେ ତାଙ୍କ ଅବଧି ୩୨୮ଦିନ ହେବ। ଏହା ସହ ସେ ‘ସ୍ପେସ୍‌ ଷ୍ଟେସନ୍‌’ର ପୂର୍ବ କମାଣ୍ଡର ପେଗୀ ହ୍ବିଟସନ୍‌ଙ୍କ ରେକର୍ଡ ଭାଙ୍ଗିବେ। ପେଗୀ ମହାକାଶରେ ୨୮୮ଦିନ ଅତିବାହିତ କରି ୨୦୧୭ରେ ବିଶ୍ବସ୍ତରରେ ରେକର୍ଡ ସ୍ଥାପନ କରିଥିଲେ। ୪୦ ବର୍ଷୀୟା କ୍ରିଷ୍ଟିନା ବୃତ୍ତିରେ ଇଲେକ୍ଟ୍ରିକାଲ୍ ଇଂଜିନିୟର୍, ୨୦୧୯ ମାର୍ଚ୍ଚ ୧୪ରେ ତାଙ୍କର ମହାକାଶ ଯାତ୍ରା ଆରମ୍ଭ ହୋଇଥିଲା। ନାସା ପ୍ରାଥମିକ ପର୍ଯ୍ୟାୟରେ ମାତ୍ର ୬ ମାସ ପାଇଁ କ୍ରିଷ୍ଟିନାଙ୍କୁ ମହାକାଶ ପ୍ରେରଣ କରିଥିଲା। ପରବର୍ତ୍ତୀ ସମୟରେ ଅଧିକ ଗବେଷଣାକୁ ଦୃଷ୍ଟିରେ ରଖି ତାଙ୍କ ସମୟସୀମା ବୃଦ୍ଧି କରାଯାଇଥିଲା। ଡିସେମ୍ବର ୨୮ରେ ଜଣେ ମହିଳା ଭାବେ କ୍ରିଷ୍ଟିନା ମହାକାଶରେ ସର୍ବାଧିକ ସମୟ(୨୮୯ଦିନ) ରହିଥିବାର ରେକର୍ଡ ସ୍ଥାପନ କରିଥିଲେ। ୨୦୧୯ ଅକ୍ଟୋବରରେ ସାଥି ମହାକାଶଚାରୀ ଜେସିକା ମିର୍‌ଙ୍କ ସହ ସ୍ପେସ୍‌ ୱାକ୍‌ କରି ମଧ୍ୟ କ୍ରିଷ୍ଟିନା ଚର୍ଚ୍ଚା ପରିସରକୁ ଆସିଥିଲେ। ଯାନ ବାହାରକୁ ଆସି ୭ଘଣ୍ଟା କାଳ କ୍ରିଷ୍ଟିନା ଓ ତାଙ୍କ ସାଥି ଏକ ଯନ୍ତ୍ରର ମରାମତି କରି ପୁଣି ସୁରକ୍ଷିତ ଭାବେ ଯାନକୁ ପ୍ରବେଶ କରିଥିଲେ।

Comments are closed.