୭ ଘଣ୍ଟା ଧରି ୫ଟି ହସ୍ପିଟାଲ ବୁଲିଲା ଆମ୍ବୁଲାନ୍ସ, ବେଡ୍‌ ନ ମିଳିବାରୁ ରୋଗୀଙ୍କୁ ରାସ୍ତାରେ ଛାଡ଼ି ଚାଲିଗଲା

ନୂଆଦିଲ୍ଲୀ: କରୋନା ଭୂତାଣୁର ୨ୟ ତରଙ୍ଗ ଭୟଙ୍କର ରୂପ ନେଇଥିବାବେଳେ ହସ୍ପିଟାଲରେ ରୋଗୀଙ୍କୁ ବେଡ୍‌ ମିଳୁନାହିଁ। ଏଭଳି ସମୟରେ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ ୭ ଘଣ୍ଟା ଧରି ୫ଟି ହସ୍ପିଟାଲ ବୁଲିଲା। କିନ୍ତୁ କୌଣସି ହସ୍ପିଟାଲରେ ବେଡ୍‌ ନ ମିଳିବାରୁ ଆମ୍ବୁଲାନ୍ସଟି ରୋଗୀଙ୍କୁ ରାସ୍ତାରେ ଛାଡ଼ି ଚାଲିଯାଇଛି।

ରୋଗୀଙ୍କ ସ୍ତ୍ରୀ ଏବଂ ଝିଅ ଅନେକ ଗୁହାରି କରିବା ପରେ ବି ଆମ୍ବୁଲାନ୍ସ କର୍ମଚାରୀମାନେ କିଛି ଶୁଣି ନ ଥିଲେ। ବରଂ କହିଥିଲେ ଜଣେ ରୋଗୀଙ୍କୁ ଏତେ ସମୟ ଦେଇହେବ ନାହିଁ। ସେଣ୍ଟର ଫର ହୋଲିଷ୍ଟିକ ଡେଭେଲପମେଣ୍ଟର କାର୍ଯ୍ୟକାରୀ ନିର୍ଦେଶକ ସୁନୀଲ କୁମାର ଅଲେଡିଆ ଏ ସମ୍ପର୍କରେ ଜାଣିବା ପରେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ବ୍ୟବସ୍ଥା କରିଥିଲେ।

ସୁନୀଲ କୁମାର କହିଛନ୍ତି ଯେ, ଦିଲ୍ଲୀର ଶାହପୁର ଜାଟ୍‌ ନିବାସୀ ଜସପାଲ ଗତ ୧୪ ତାରିଖରେ କରୋନାରେ ସଂକ୍ରମିତ ହୋଇଥିବା ଜାଣିଥିଲେ। ଏହା ପରେ ସେ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ଗତ ଶନିବାର ଦ୍ବିପ୍ରହରରେ ସୁନୀଲ କାଶ୍ମୀର ଗେଟ୍‌ ନିକଟରେ ଜଣେ ମହିଳା ଆମ୍ବୁଲାନ୍ସ କର୍ମଚାରୀଙ୍କ ସାମ୍ନାରେ ହାତଯୋଡ଼ି କାନ୍ଦୁଥିଲେ ଏବଂ ଆମ୍ବୁଲାନ୍ସ ଭିତରେ ଜଣେ ରୋଗୀ ଥିଲେ। ସେ ସେଠାକୁ ଯାଇ ବୁଝିବାରୁ ଜାଣିବାକୁ ପାଇଥିଲେ ଯେ, ଆମ୍ବୁଲାନ୍ସଟି ଜଶପାଲଙ୍କୁ ସକାଳୁ ୫ଟି ହସ୍ପିଟାଲକୁ ନେଇ ଯାଇଥିଲା। କିନ୍ତୁ କୌଣସି ହସ୍ପିଟାଲରେ ବେଡ୍‌ ମିଳି ନ ଥିଲା। ତେଣୁ ସେ ଜଣେ ରୋଗୀଙ୍କୁ ଏତେ ସମୟ ଦେଇପାରିବ ନାହିଁ ବୋଲି କହି ରୋଗୀଙ୍କୁ ରାସ୍ତାରେ ଛାଡ଼ି ଚାଲିଯାଉଥିଲା।

ସୁନୀଲଙ୍କ ହସ୍ତକ୍ଷେପ ପରେ ଆମ୍ବୁଲାନ୍ସ ଡ୍ରାଇଭର କହିଥିଲେ ଯେ, ସେ ଆଉ ରୋଗୀଙ୍କୁ ଏଠାକୁ ସେଠାକୁ ନେଇପାରିବେ ନାହିଁ। ପ୍ରଥମେ କୌଣସି ହସ୍ପିଟାଲରେ ବେଡ୍‌ ଯୋଗାଡ଼ କରନ୍ତୁ, ପରେ ସେ ରୋଗୀଙ୍କୁ ନେଇ ସେଠାରେ ଛାଡ଼ିବେ। ଏହା ପରେ ସୁନୀଲ ଆମ୍ବେଡକର ନଗରସ୍ଥିତ ହସ୍ପିଟାଲକୁ ଫୋନ କରି ବୁଝିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ବେଡ୍‌ ଦେବାକୁ କହିଥିଲେ। ଶେରେ ଜଶପାଲଙ୍କୁ ସେହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Comments are closed.