ଆମ୍ବୁଲାନ୍ସ ଧକ୍କାରେ ବ୍ୟବସାୟୀ ମୃତ

ନୀଳଗିରି: ବାଲେଶ୍ବର ଜିଲା ଅଧୀନ ନୀଳଗିରି-ମିତ୍ରପୁର ପୂର୍ତ୍ତ ରାସ୍ତାର ପଣ୍ଡା ଅଫିସ ଛକ ନିକଟରେ ନିଶାଶକ୍ତ ଆମ୍ବୁଲାନ୍ସ ଚାଳକ ଜଣେ ବ୍ୟବସାୟୀଙ୍କୁ ଧକ୍କା ଦେବାରୁ ଦୁର୍ଘଟଣା ସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ନୀଳଗିରି ସହରର ଭକ୍ତଲୋଚନ ସାହୁ ଓରଫ ବାପି (୩୭) ଏକ ବାଇକରେ ତାଙ୍କ ଫାର୍ମ ହାଉସକୁ ଯାଉଥିଲେ। ଅପର ପଟରୁ ଏକ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇ ପ୍ରାୟ ୫୦ମିଟର ଦୂର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ଆମ୍ବୁଲାନ୍ସ ଚାଳକ ଜଣକ ପ୍ରଚୁର ନିଶା ଖାଇଥିବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିଲା।

 

ସ୍ଥାନୀୟ ଲୋକେ ଭକ୍ତଲୋଚନଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ପୁଲିସ ଏନେଇ ଆମ୍ବୁଲାନ୍ସ ଚାଳକ ଓ ତାଙ୍କ ସହଯୋଗୀଙ୍କୁ ଥାନାରେ ଅଟକ ରଖିଛି। ଆମ୍ବୁଲାନ୍ସ ଭିତରୁ କିଛି ନିଶାଦ୍ରବ୍ୟ ପୁଲିସ ଜବତ କରିଛି। ତେବେ ଏହି ଆମ୍ବୁଲାନ୍ସରେ ରୋଗୀବୁହା ନୁହଁ, ବରଂ ନିଶାଦ୍ରବ୍ୟ ଚାଲାଣ ହେଉଥିଲା ବୋଲି ଅଭିଯୋଗ ଉଠିବା ପରେ ପୁଲିସ ଏହି ଦିଗ ଉପରେ ତଦନ୍ତ ଆରମ୍ଭ କରିଛି।

Comments are closed.