ବୁର୍ଲା ମହାନଦୀ ପୋଲରେ ଆମ୍ବୁଲାନସ ଦୁର୍ଘଟଣା, ୬ ଘଣ୍ଟା ପରେ ୩ ଉଦ୍ଧାର

ସମ୍ବଲପୁର (ସିଟି)/ବୁର୍ଲା: ସମ୍ବଲପୁର ଦେଇ ଯାଇଥିବା ଜାତୀୟ ରାଜପଥ ନଂ ୫୩ରେ ମହାନଦୀ ବ୍ରିଜ ଉପରେ ୫-୬ ତାରିଖ ମଧ୍ୟ ରାତ୍ରିରେ ଆମ୍ବୁଲାନ୍ସ ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବାର ଜଣାପଡିଛି। ସୂଚନାନୁଯାୟୀ, ରାଉରକେଲାରୁ ଏକ ୧୦୮ ଜନନୀ ଆମ୍ବୁଲାନ୍ସ (ଓଡି-୧୪-ଟି-୩୮୫୬) ଯୋଗେ ଜଣେ ମହିଳା ଗର୍ଭବତୀ ରୋଗୀଙ୍କୁ ୫ ତାରିଖ ବିଳମ୍ବିତ ରାତ୍ରିରେ ବୁର୍ଲା ଭିମସାରକୁ ନିଆଯାଇଥିଲା। ବୁର୍ଲାରେ ରୋଗୀକୁ ପହଂଚାଇବା ପୂର୍ବରୁ ରାତ୍ର ପ୍ରାୟ ୨ଟା ସମୟରେ ଆମ୍ବୁଲାନ୍ସଟି ଫେରିବା ସମୟରେ ଜାତୀୟ ରାଜପଥ ନଂ ୫୩ ଠାରେ ପିସି ବ୍ରିଜରେ ଆମ୍ବୁଲାନ୍ସ (ବୋଲେରୋ) ଓ ଏକ ଟ୍ରକ (ଓଆର-୦୭-ଜେଡ-୦୯୦୫) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରକ ଓ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହେବା ପରେ ପଛରୁ ଆସୁଥିବା ଆଉ ଏକ ଟ୍ରକ ମଧ୍ୟ ଭାରସାମ୍ୟ ହରାଇ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସଟି ଦୁଇ ଟ୍ରକ ମଧ୍ୟରେ ଚାପି ହୋଇଯାଇଥିବା ବେଳେ ଏହାର ଛାତଟି ଉଡି ଯାଇଥିଲା।

୧୦୮ ଆମ୍ବୁଲାନ୍ସରେ ସୌଭାଗ୍ୟ ବସତଃ କୌଣସି ରୋଗୀ ନ ଥିବା ବେଳେ ସେଥିରେ ରହିଥିବା ତିନିଜଣ ବ୍ୟକ୍ତି ଦୀର୍ଘ ୬ ଘଣ୍ଟା ସମୟ ଧରି ଚାପି ହୋଇ ରହିଯାଇଥିଲେ। ଖବର ପାଇଁ ବୁର୍ଲା ପୁଲିସ, ଅଗ୍ନିଶମ ବାହୀନି ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ମଧ୍ୟରେ ଚାପିହୋଇ ରହି ଯାଇଥିବା ୩ ଜଣ ଆହତଙ୍କୁ ଅକ୍ଲାନ୍ତ ପରିଶ୍ରମ କରି ଗ୍ୟାସ କଟର ସାହାଯ୍ୟରେ କାଟି ଉଦ୍ଧାର କରି ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ପଠାଇ ଥିଲେ। ତିନିଜଣ ଗୁରୁତର ଆହତଙ୍କ ମଧ୍ୟରେ ଆଶୁତୋଷ ପାଠକ (୩୧) ମୁକେଶ ଖାଲକୋ(୨୭) ଏବଂ ଅମିୟ କୁମାର ପରିଡା (୪୦) ସମସ୍ତେ ରାଉରକେଲା ଅଞ୍ଚଳର ବୋଲି ଜଣାପଡିଛି।

Comments are closed.