ଅମରନାଥରେ ଫସିଛନ୍ତି ରାୟଗଡ଼ାର ୪ ଯାତ୍ରୀ

କୋଲନାରା: ଅମରନାଥରେ ଏବେ ବି ଫସି ରହିଛନ୍ତି ରାୟଗଡ଼ା ଜିଲାର ଚାରିଜଣ ଯାତ୍ରୀ। ସେମାନେ ଯଦିଓ ନିରାପଦ ଅଛନ୍ତି ତଥାପି ସେଠାରେ ସେମାନଙ୍କୁ ଖାଦ୍ୟପେୟ ଏପରିକି ପିଇବା ପାଣି ମଧ୍ୟ ଠିକ୍ ଭାବେ ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ ରାୟଗଡ଼ା ଓ ଗଜପତି ଜିଲାର ୧୭ଜଣ ଯାତ୍ରୀ ଅମରନାଥ ଅଭିମୁଖେ ଯାତ୍ରା କରିଥିଲେ। ୫ତାରିଖ ଦିନ ତାଙ୍କର ଦର୍ଶନ କରିବା ପାଇଁ ସ୍ଥିର ହୋଇଥିଲା। ସେମାନେ ଚାରି ତାରିଖ ଦିନ ସେଠାରେ ପହଞ୍ଚିଥିଲେ। ତେବେ ବର୍ଷା ଯୋଗୁଁ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥିଲା। ୮ତାରିଖ ପର୍ଯ୍ୟନ୍ତ ସେମାନେ ସେଠାରେ ଫସି ରହିଥିଲେ। ସୌଭାଗ୍ୟବଶତଃ ସେମାନେ ଦର୍ଶନ ସାରି ଫେରୁଥିବା ବେଳେ ବାଦଲ ଫଟା ବର୍ଷା ହୋଇଥିଲା। ସେମାନେ ଜୀବନ ବଞ୍ଚାଇ ଫେରି ଆସିଥିଲେ ହେଁ ମାଟି ଅତଡ଼ା ଧସିବାରୁ ସେଠାରେ ଶହଶହ ଯାତ୍ରୀ ଫସି ରହିଥିଲେ। ସେମାନଙ୍କ ସହ ରାୟଗଡ଼ାର ୪ଜଣ ଯାତ୍ରୀ ଫସି ରହିଛନ୍ତି।

ରାୟଗଡ଼ାରୁ ଯାଇଥିବା ‘ସମାଜ’ ସାମ୍ବାଦିକ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ସେମାନେ ନିରାପଦ ଥିବା ସୂଚନା ଦେଇଥିଲେ ହେଁ ସେମାନଙ୍କୁ ଠିକ ଭାବେ ଖାଦ୍ୟପେୟ, ପାନୀୟ ଜଳ ମିଳୁ ନ ଥିବା ପ୍ରକାଶ କରିଛନ୍ତି। ଜୀବନ ବଞ୍ଚାଇ ଫେରି ଆସିଥିଲେ ହେଁ ଜମ୍ମୁରେ ସେମାନଙ୍କ ସମସ୍ତ ଜିନିଷପତ୍ର ରହି ଯାଇଥିବା ବେଳେ ସେଠାକୁ ଯିବା ପାଇଁ ସରକାରୀ ସହାୟତା ପ୍ରଦାନ କରିବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି।

Comments are closed.