ଅମରିନ୍ଦରଙ୍କ ଘୋଷଣା- ଗଢିବେ ନୂଆ ରାଜନୈତିକ ଦଳ

ଚଣ୍ଡିଗଡ: ସମସ୍ତ କଳ୍ପନା ଜଳ୍ପନାର ପରିସମାପ୍ତି ଘଟାଇ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଧୁଙ୍କ ସହିତ ଦୀର୍ଘଦିନ ବିବାଦ ଲାଗିରହିବା ପରେ ଅମରିନ୍ଦର ଗତ ସେପ୍ଟେମ୍ବର ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଅମରିନ୍ଦର କହିଛନ୍ତି ଯେ ସେ ନିଜର ନୂଆ ରାଜନୈତିକ ଦଳର ନାମ ଓ ଚିହ୍ନଟ ସ୍ଥିର କରିସାରିଛନ୍ତି ଏବଂ ତାହାକୁ ଅନୁମୋଦନ ନିମନ୍ତେ ଭାରତର ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଛି ।
ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅମରିନ୍ଦର ନିଜ ମୁଖ୍ୟମନ୍ତ୍ରିତ୍ୱ ସମୟର ସଫଳତାର ହିସାବ ଫର୍ଦ୍ଦ ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତୀ ଭାବରେ ସାଢେ ଚାରିବର୍ଷ ରହିବା ଅବସରରେ ସେ କଣ କରିଛନ୍ତି ଏବଂ କଂଗ୍ରେସର ଇସ୍ତାହାର କଣ ରହିଥିଲା, ତାହା ସେ ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରିଥିଲେ । ଅମରିନ୍ଦର କହିଥିଲେ, ଜଣେ ସୈନିକ ଭାବରେ ସେ ମୂଳ ତାଲିମ ନେଇଛନ୍ତି । ତାଲିମ ସମୟରୁ ନେଇ ସେନା ଚାକିରୀ ଛାଡିବା ପର୍ଯ୍ୟନ୍ତ ୧୦ ବର୍ଷ କାଳ ସେ ସେନାବାହିନୀରେ ରହିଥିଲେ । ତେଣୁ ସେ ମୂଳକଥା ଜାଣିଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ପଞ୍ଜାବର ଗୃହମନ୍ତ୍ରୀ ଭାବରେ ସେ ସାଢେ ୯ ବର୍ଷ କାମ କରିଛନ୍ତି । ଅଥଚ ଜଣେ ମାସେ ଗୃହମନ୍ତ୍ରୀ ରହିଥିବା ବ୍ୟକ୍ତି ତାଙ୍କଠାରୁ ଅଧିକ ଜାଣିଥିବା କହୁଛନ୍ତି । ପଞ୍ଜାବରେ ଅଶାନ୍ତ ପରିସ୍ଥିତି କେହି ଚାହାଁନ୍ତି ନାହିଁ । ପଞ୍ଜାବରେ ସମସ୍ତେ ଅତ୍ୟନ୍ତ ଜଟିଳ ପରିସ୍ଥିତି ଦେଇ ଗତିକରୁଛନ୍ତି, ଏକଥା ବୁଝିବା ଦରକାର । ରାଜ୍ୟର ଦୁଇ ଥର ମୁଖ୍ୟମନ୍ତ୍ରୀ ରହିଥିବା ଅମରିନ୍ଦର କହିଥିଲେ ଯେ କୃଷକମାନଙ୍କ ସମସ୍ୟାର ସମାଧାନ ଯଦି କରାଯାଏ ତେବେ ବିଜେପି ସହିତ ତାଙ୍କ ଦଳର ଆସନ ବୁଝାମଣା ନେଇ ସେ ଆଶାବାଦୀ ଅଛନ୍ତି ।

Comments are closed.