ବିକଳ୍ପ ପଦ୍ଧତିରେ ପାଠପଢ଼ା ପାଇଁ ଚିନ୍ତନ

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପଦ୍ଧତିରେ ଚାଲିଥିବା ପାଠ ପଢାରୁ ବହୁ ବିଦ୍ୟାର୍ଥୀ ବଞ୍ଚିତ ହେଉଛନ୍ତି।
ମୋବାଇଲ ନେଟୱାର୍କ ସମସ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ବିକଳ୍ପ ପଦ୍ଧତିରେ ଶିକ୍ଷା ଦେବାକୁ ବିଭାଗ ପକ୍ଷରୁ ଚିନ୍ତନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଏସସିଇଆରଟି ନିର୍ଦେଶାଳୟ ପକ୍ଷରୁ ରାଜ୍ୟରେ ତାଲିମ ନେଉଥିବା ପ୍ରମାଣନ ଶିକ୍ଷକ (ସିଟି) ଶିକ୍ଷାନୁଷ୍ଠାନର ପ୍ରାୟ ଦଶ ହଜାର ସିଟି ତାଲିମଧାରୀଙ୍କୁ ଗ୍ରାମକୁ ପଠାଯିବ। ତାଲିମଧାରୀଙ୍କର ଏହା ପ୍ରଶିକ୍ଷଣ(ଇଣ୍ଟନସିପ୍‌) ଭାବେ ଗଣନା କରାଯିବ। ଶିକ୍ଷାନବିସ ଗ୍ରାମକୁ ଯାଇ କିଭଳି କରୋନା କଟକଣାରେ ପାଠ ପଢାଇବେ ତାକୁ ଗୁରୁତ୍ବ ଦେଇଛି ବିଭାଗ। ଏନେଇ ଅଧିକାରୀଙ୍କୁ ଅବଗତ କରାଯାଇଥିବାବେଳେ ସଠିକ୍‌ ଭାବେ ଯେଭଳି କରୋନା ନିୟମ ପାଳନ ହେବ ସେନେଇ ନିର୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଗ୍ରାମକୁ ଯାଇ ଶିକ୍ଷକ ପାଠ ପଢାଇବା ସମ୍ବନ୍ଧରେ କିଛି ଦିନ ପୂର୍ବେ ଆଲୋଚନା ହୋଇଥିଲେ ମଧ୍ୟ ଏଯାବତ୍‌ କୌଣସି ନିଷ୍ପତ୍ତି ନିଆଯାଇନି। ରାଜ୍ୟରେ ଏଯାବତ୍‌ ସବୁ ଶିକ୍ଷକ କରୋନା ଟିକା ନେଇ ନ ଥିବାବେଳେ ସଂକ୍ରମଣ ନିୟନ୍ତ୍ରଣକୁ ଆସିନି। ସେଥିଯୋଗୁଁ ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ହୋଇ ନଥିବାବେଳେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇନି। ଶିକ୍ଷକ ବର୍ତ୍ତମାନ ସ୍ଥିତିରେ ଗ୍ରାମକୁ ଯାଇ ପାଠ ପଢାଇବା ନେଇ ଚାଲିଥିବା ପ୍ରଚାରକୁ ଖଣ୍ଡନ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ବିକଳ୍ପ ସମ୍ବନ୍ଧରେ ଆଲୋଚନା କରାଯାଉଛି। ତେବେ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ବାହାରିପାରିନି।

Comments are closed.