ଯୁବକର ଆତ୍ମାହୂତି ଉଦ୍ୟମ

ତିଗିରିଆ :  ତିଗିରିଆ ଥାନା ସମ୍ମୁଖରେ ସୋମବାର ଅପରାହ୍ଣରେ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୂତି ଉଦ୍ୟମ କରିଥିଲେ। ପୁଲିସ ଯୁବକ ଜଣଙ୍କୁ କାବୁ କରିନେଇଥିବାରୁ ଏକ ବଡ଼ ଅଘଟଣକୁ ରୋକାଯାଇ ପାରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ଯୁବକ ଜଣଙ୍କ ଘର ଏହି ଥାନା ଅନ୍ତର୍ଗତ ପୁରୁଣା ତିଗିରିଆ ଗ୍ରାମର ଓ ନାମ ସୌମ୍ୟରଞ୍ଜନ ଜେନା । ତାଙ୍କର ଜଣେ ନାବାଳିକା ଭଉଣୀଙ୍କୁ ଏହି ପୁରୁଣା ତିଗିରିଆ ପଞ୍ଚାୟତର ଜଣେ ଯୁବକ ଅପହରଣ କରିନେଇଥିବା ଯୁବକର ପିତା ଗତ ୩ଦିନ ତଳେ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଏହି ଘଟଣାରେ ଯୁବକ ଜଣଙ୍କ ସୋମବାର ଅପରାହ୍ଣରେ ହଠାତ୍ ଥାନା ସମ୍ମୁଖରେ ପହଞ୍ଚି ତାଙ୍କ ଭଉଣୀ ମାମଲାରେ କେହି କିଛି ବୁଝୁନାହାଁନ୍ତି କି ଅପହରଣକାରୀକୁ ଧରୁ ନାହାଁନ୍ତି କହି ଆତ୍ମାହୂତି ଉଦ୍ୟମ କରିଥିଲେ ବୋଲି ସ୍ଥାନୀୟ ଜନସାଧାରଣଙ୍କ ଆଲୋଚନାରୁ ଜଣାପଡ଼ିଛି। ଏହି ଆତ୍ମାହୂତି ଉଦ୍ୟମ ଘଟଣା ପରେ ଯୁବକ ଜଣଙ୍କୁ ତିଗିରିଆ ପୁଲିସ ନିଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହିତ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କର ପରିବାରକୁ ଖବର ଦିଆଯାଇଥିବା ଥାନା ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ଥାନା ଅଧିକାରୀ ସୁଚିତ୍ରା ଜେନାଙ୍କୁ ଯୋଗାଯୋଗ କରିବାରେ ନିଖୋଜ ନାବାଳିକାଙ୍କ ପିତାଙ୍କ ଅଭିଯୋଗକୁ ଆଧାର କରି ଥାନାରେ ମାମଲା ରୁଜୁ ହେବା ସହିତ ନାବାଳିକାକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି ।

Comments are closed.