ଆଇପିଏଲ୍‍ ପାର୍ଟିରେ କୋକେନ୍‍ ସେବନ କରାଯାଏ

ବଲିଉଡ୍‍ ଅଭିନେତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ

ମୁମ୍ବଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‍ରେ ନିଶା କାରବାର ମାମଲା ପଦାରେ ପଡ଼ିଛି। ଏହି ମାମଲାରେ ନାର୍କୋଟିକ୍‍ସ କଣ୍ଟ୍ରୋଲ୍‍ ବୋର୍ଡ (ଏନ୍‍ସିବି) ବଲିଉଡ୍‍ ସହ ସମ୍ପୃକ୍ତ ପାଖାପାଖି ୨୫ ଜଣଙ୍କୁ ଗିରଫ କରି ସାରିଲାଣି। ଏପରି ସମୟରେ ଏକ ଚାଞ୍ଚଲ୍ୟକର ବୟାନ୍‍ ଦେଇଛନ୍ତି ବଲିଉଡ୍‍ ଅଭିନେତ୍ରୀ ସେର୍ଲିନ୍‍ ଚୋପ୍ରା। ଏକ ଗଣମାଧ୍ୟମକୁ ସେର୍ଲିନ୍‍ କହିଛନ୍ତି, ଆଇପିଏଲ୍‍ ମ୍ୟାଚ୍‍ ପରେ ରାତିରେ ହେଉଥିବା ପାର୍ଟିରେ କୋକେନ୍‍ ପରି ଡ୍ରଗ୍‍ସ ସେବନ କରାଯାଏ। କଲକାତାରେ ଏକ ଆଇପିଏଲ୍‍ ମ୍ୟାଚ୍‍ ପରେ କ୍ରିକେଟରଙ୍କ ପତ୍ନୀ ଏବଂ ଫିଲ୍ମ କଳାକାର କୋକେନ୍‍ ସେବନ କରିବା ସେ ନିଜେ ଦେଖିଛନ୍ତି। ଏହାସହ ସେର୍ଲିନ୍‍ ଚୋପ୍ରା କହିଛନ୍ତି ଯେ ଯଦି ଏନ୍‍ସିବି ତାଙ୍କୁ ପଚରା ଉଚୁରା ପାଇଁ ସମନ୍‍ ଜାରିକରେ; ସେ ଏହା ବିଷୟରେ ସବିଶେଷ ତଥ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି।
ଚଳିତବର୍ଷର ଆଇପିଏଲ୍‍ ୟୁଏଇରେ ହେଉଥିବା ବେଳେ ବିଗତ ବର୍ଷମାନଙ୍କରେ ଭାରତରେ ଆୟୋଜନ ହୋଇଥିିବା ଆଇପିଏଲ୍‍ ମ୍ୟାଚ୍‍ ବିଷୟରେ ସେର୍ଲିନ୍‍ ଚୋପ୍ରା କହିଥିଲେ। ସେର୍ଲିନ୍‍ଙ୍କ ଭାଷାରେ, କଲକାତାରେ ହୋଇଥିବା ଏକ ଆଇପିଏଲ୍‍ ମ୍ୟାଚ୍‍ ଦେଖିବାକୁ ମୋତେ ଆମନ୍ତ୍ରଣ କରା ଯାଇଥିଲା। ମୁଁ ମ୍ୟାଚ୍‍ ଦେଖିଥିଲି। ମ୍ୟାଚ୍‍ ପରେ ଏକ ପଞ୍ଚତାରକା ହୋଟେଲରେ ରାତିରେ ହୋଇଥିବା ପାର୍ଟିରେ ଯୋଗଦେବାକୁ ମଧ୍ୟ ମୋତେ ଅନୁରୋଧ କରାଗଲା। ମୁଁ ଏଥିରେ ଯୋଗ ଦେଇଥିଲି। ବହୁ ଲୋକପ୍ରିୟ କ୍ରିକେଟର ଓ ସେମାନଙ୍କ ପତ୍ନୀଙ୍କ ସହ କିଛି ବଲିଉଡ୍‍ କଳାକାର ମଧ୍ୟ ଏଥିରେ ଯୋଗ ଦେଇଥିଲେ। ଚମତ୍କାର ପାର୍ଟି ଥିଲା ଏବଂ ଏହାକୁ ଖୁବ୍‍ ଉପଭୋଗ କରିଥିଲି। ନୃତ୍ୟ କରି ଥକି ଯାଇଥିଲି। ପରେ ମହିଳାଙ୍କ ଶୌଚାଳୟକୁ ଯାଇଥିଲି। ସେଠାରେ ଯାହା ଦେଖିଲି; ତାହା ମୋତେ ଅତ୍ୟନ୍ତ ଚକିତ କରିଥିଲା। ଉକ୍ତ ଶୌଚାଳୟରେ ତାରକା କ୍ରିକେଟରଙ୍କ ପତ୍ନୀ ଏବଂ କିଛି ବଲିଉଡ୍‍ ଅଭିନେତ୍ରୀ ନାକ ଦ୍ୱାରା କୋକେନ୍‍ ଶୋଷୁଥିଲେ। ସେମାନେ ମୋତେ ଦେଖି ହସି ଦେଇଥିଲେ ଏବଂ ମୁଁ ମଧ୍ୟ ହସିଥିଲି। ତୁରନ୍ତ ବାହାରକୁ ଚାଲିଆସିଲି। ଭାବିଲି ଭୁଲ୍‍ ସ୍ଥାନକୁ ଚାଲିଆସିଛି। ପାର୍ଟି ପୂରା ଦମ୍‍ରେ ଚାଲିଥିଲା। ପରେ ଜାଣିବାକୁ ପାଇଲି ଯେ ଆଇପିଏଲ୍‍ ମ୍ୟାଚ୍‍ ପରେ ଏପରି ଡ୍ରଗ୍‍ସ ପାର୍ଟି ଗୋଟିଏ ପରେ ଗୋଟିଏ ଚାଲିଥାଏ। ମୁଁ ନିଶ୍ଚିତ ଯେ ଯଦି ପୁରୁଷ ଶୌଚାଳୟକୁ ଯାଇଥାଆନ୍ତି; ସେଠାରେ ମଧ୍ୟ ତାରକାମାନଙ୍କୁ ଡ୍ରଗ୍‍ସ ସେବନ କରିବା ଦେଖିଥାଆନ୍ତି। ସୂଚନାଯୋଗ୍ୟ; ବଲିଉଡ୍‍ରେ ଡ୍ରଗ୍‍ସ ଲିଙ୍କ୍‍ର ଖୋଳତାଡ଼ କରୁଥିବା ଏନ୍‍ସିବି ବଲିଉଡ୍‍ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‍, ସାରା ଅଲୀ ଖାଁ, ଶ୍ରଦ୍ଧା କପୁର, ରାକୁଲ ପ୍ରୀତ୍‍ ସିଂହ ଓ ଡିଜାଇନର ସିମୋନ୍‍ ଖମ୍ବାଟାଙ୍କୁ ହାଜରହେବା ପାଇଁ ସମନ୍‍ ଜାରିକରିଛି।

Comments are closed.