ମୋ ପିଲା ଦିନେ କଟକ ଷ୍ଟେସନ ଦେଇ ଚାଲୁଥିଲା ସମସ୍ତ ଟ୍ରେନ : ଭେଙ୍କିଆ

ନୂଆଦିଲ୍ଲୀ : ମୋ ପିଲା ଦିନେ କଲିକତା ଅଭିମୁଖେ ଯାଉଥିବା ସମସ୍ତ ଟ୍ରେନ କଟକ ରେଳଷ୍ଟେସନ ମଧ୍ୟ ଦେଇ ଚଳାଚଳ କରୁଥିଲା ବୋଲି ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆନାଇଡୁ ଟିପ୍ପଣୀ କରିଛନ୍ତି। ଭୁବନେଶ୍ୱରରୁ ପଶ୍ଚିମଓଡ଼ିଶା ଏବଂ ଗୁଜୁରାଟ ଭଳି ରାଜ୍ୟକୁ ଚଳାଚଳ କରୁଥିବା ଟ୍ରେନଗୁଡ଼ିକ କଟକ ସହର ଦେଇ ଚଳାଚଳ କରିବାକୁ ରାଜ୍ୟସଭାରେ ସାଂସଦ ସୁବାସଚନ୍ଦ୍ର ସିଂଙ୍କ ଦାବି ଉପସ୍ଥାପନା ପରେ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡୁ ଏଭଳି ମନ୍ତବ୍ୟ ଦେଇଥିଲେ। ଆଜି ଶୂନ୍ୟକାଳରେ କଟକ ରେଳଷ୍ଟେସନ ମଧ୍ୟ ଦେଇ କେତେକ ଟ୍ରେନ ଚଳାଚଳ ନ କରିବା ଦ୍ୱାରା ଯାତ୍ରୀ ଭୋଗୁଥିବା ଅସୁବିଧା ବିଷୟରେ ଉତ୍ଥାପନ କରିଥିଲେ। ସେ କହିଥିଲେ ଯେ କଟକ ଓଡ଼ିଶାର ପୁରୁଣା ରାଜଧାନୀ ଏବଂ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର। ଏଠାରେ ହାଇକୋର୍ଟ ସମେତ ଏସସିବି ଭଳି ଏମ୍ସପ୍ଲସ ସ୍ୱାସ୍ଥ୍ୟସେବା ଉପଲବ୍ଧ ରହିଛି। ରାଜ୍ୟ ସମେତ ପଡୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ରୋଗୀ ଏଠାକୁ ଆସୁଛନ୍ତି। ରେଳ ସମୟ ସାରଣୀରେ ବହୁ ଗୁରୁତ୍ୱପୂର୍ଣ୍ଣ ଟ୍ରେନ ରହଣିରୁ କଟକ ରେଳଷ୍ଟେସନ ବାଦ୍‍ ପଡ଼ୁଛି। କଟକର ଦ୍ୱିତୀୟ ରେଳଷ୍ଟେସନ ଭାବେ ଘୋଷିତ ନରାଜ ରେଳଷ୍ଟେସନର କୌଣସି ବିକାଶ ହେଉ ନାହିଁ। କଟକ ରେଳଷ୍ଟେସନର ନବୀକରଣ, ନରାଜ ଷ୍ଟେସନର ବିକାଶ ଓ କଟକ ସହର ମଧ୍ୟ ଦେଇ ସମସ୍ତ ଟ୍ରେନ ଚଳାଇବାକୁ ସାଂସଦ ଶ୍ରୀ ସିଂ ଦାବି କରିଥିଲେ।

Comments are closed.