ବିସ୍ଫୋରକ ଇଂଲଣ୍ଡର ସହଜ ବିଜୟ

ଲଣ୍ଡନ୍ : ଆସନ୍ତା କ୍ରିକେଟ ବିଶ୍ବକପ୍ରେ ଆୟୋଜକ ଇଂଲଣ୍ଡକୁ କାହିଁକି ଟାଇଟଲ ପାଇଁ ଫେଭରିଟ୍ ଭାବେ ଗଣନା କରାଯାଉଛି; ତାହାର ଝଲକ ସୋମବାର ଦେଖାଇଛି ଇଂଲଣ୍ଡ ଦଳ। ଏକ ଅଭ୍ୟାସ ମ୍ୟାଚ୍ରେ ଆଫ୍ଗାନିସ୍ତାନକୁ ୯ ୱିକେଟରେ ପରାସ୍ତ କରିଛି। ସବୁଠାରୁ ବଡ଼ କଥା ହେଉଛି ୧୬୧ ରନ୍ର ବିଜୟଲକ୍ଷ୍ୟକୁ ଇଂଲଣ୍ଡ ମାତ୍ର ୧୭.୩ ଓଭରରେ ପିଛାକରିଛି। ଏପରି ପ୍ରଦର୍ଶନ ବଳରେ ବିଶ୍ବକପ୍ର ଅନ୍ୟ ୯ଟି ଦଳଙ୍କୁ ଚେତାବନୀ ଦେଇଛି ଇଂଲଣ୍ଡ।
ଫାଷ୍ଟବୋଲର ଜୋଫ୍ରା ଆର୍ଚର ଓ କାମଚଳା ସ୍ପିନର ଜୋ ରୁଟ୍ ୩ଟି ଲେଖାଏଁ ୱିକେଟ ନେବାରୁ ପ୍ରଥମେ ବ୍ୟାଟିଂ କରିଥିବା ଆଫ୍ଗାନିସ୍ତାନ ୩୮.୪ ଓଭରରେ ୧୬୦ ରନ୍କରି ଅଲ୍ଆଉଟ ହୋଇଥିଲା। ଆଫ୍ଗାନିସ୍ତାନ ୯୨ ରନ୍ରେ ୮ଟି ୱିକେଟ ହରାଇବା ସତ୍ତ୍ବେ ତଳଅର୍ଡର ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଯୋଗଦାନ ବଳରେ ଆଫ୍ଗାନିସ୍ତାନ ଦେଢ଼ଶହ ରନ୍ ଅତିକ୍ରମ କରିଥିଲା। ପରେ ଜେସନ୍ ରୟ ମାତ୍ର ୪୬ ବଲ୍ରୁ ଅପରାଜିତ ୮୯ ରନ୍ କରିବାରୁ ଇଂଲଣ୍ଡ ୧୭.୩ ଓଭରରେ ୧ ୱିକେଟ ହରାଇ ବିଜୟୀ ହୋଇଥିଲା। ଟସ୍ ଜିତି ଇଂଲଣ୍ଡ ଫିଲ୍ଡିଂର ନିଷ୍ପତ୍ତି ନେଇଥିଲା। ହଜ୍ରତୁଲ୍ଲା ଜାଜାଇ ୧୧ ରନ୍କରି ଆଉଟ ହେବା ପରେ ଅନ୍ୟ ଓପ୍ନର ନୁର୍ ଅଲୀ ୩୪ ବଲ୍ରୁ ୫ଟି ଚୌକା ସହ ୩୦ ରନ୍ କରିଥିଲେ। ପରେ ମଧ୍ୟକ୍ରମ ବିଫଳ ହୋଇଥିଲା। ରହମତ୍ ଶାହା ୩, ହସ୍ମତୁଲ୍ଲା ସାହିଦି ୧୯, ଅସ୍ଗର ଆଫ୍ଗାନ ୧୦, ନଜିବୁଲ୍ଲା ଜାଦ୍ରାନ୍ ୧ ଓ ଅଧିନାୟକ ଗୁଲ୍ବାଦିନ ନାଇବ୍ ୧୪ ରନ୍କରି ବିଦାୟ ନେଇଥିଲେ। ୯୨ ରନ୍ରେ ଆଫ୍ଗାନିସ୍ତାନ ୮ଟି ୱିକେଟ ହରାଇଥିଲା। ୯ମ ୱିକେଟ ପାଇଁ ମହମ୍ମଦ ନବି ଓ ଆଫ୍ତାବ ଆଲମ୍ ୩୫ ରନ୍ ଯୋଡ଼ିଥିଲେ। ଆଲମ୍ ୬ ରନ୍ କରିଥିଲେ। ଆଫ୍ଗାନିସ୍ତାନ ପାଇଁ ଶେଷ ୱିକେଟ ସବୁଠାରୁ ଫଳପ୍ରସୂ ହୋଇଥିଲା। ମହମ୍ମଦ ନବି ଓ ଦୱଲତ ଜାଦ୍ରାନ୍ ୩୩ ରନ୍ ଯୋଡ଼ିଥିଲେ। ଜାଦ୍ରାନ୍ ୧୭ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୦ ରନ୍କରି ଅପରାଜିତ ଥିଲେ। ନବି ୪୨ ବଲ୍ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୪୪ ରନ୍ କରିଥିଲେ। ଜୋଫ୍ରା ଆର୍ଚର ଓ ଜୋ ରୁଟ୍ ୩ଟି ଲେଖାଏଁ ୱିକେଟ ନେଇଥିଲେ। ଆଶା ଅନୁସାରେ ଇଂଲଣ୍ଡର ଓପ୍ନର ବିସ୍ଫୋରକ ଢଙ୍ଗରେ ୧୬୧ ରନ୍ର ପିଛା ଆରମ୍ଭ କରିଥିଲେ। ମାତ୍ର ୭ ଓଭରରେ ଘରୋଇ ଓପ୍ନର ୭୭ ରନ୍ ଯୋଡ଼ିବା ପରେ ଫର୍ମରେ ଥିବା ଜନି ବେୟାରଷ୍ଟୋ ୨୨ ବଲ୍ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ଦ୍ରୁତ ୩୯ ରନ୍କରି ଆଉଟ ହୋଇଥିଲେ। ପରେ ଅନ୍ୟ ଓପ୍ନର ଜେସନ୍ ରୟ ତାଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିବା ବେଳେ ଜୋ ରୁଟ୍ କଳାତ୍ମକ ବ୍ୟାଟିଂ କରିଥିଲେ। ଅବିଭାଜିତ ୨ୟ ୱିକେଟ ପାଇଁ ରୟ ଓ ରୁଟ୍ ୧୦ ଓଭରରେ ୮୪ ରନ୍ ଯୋଡ଼ି ଦଳକୁ ଜିତାଇଥିଲେ। ରୟ ବିସ୍ଫୋରକ ବ୍ୟାଟିଂକରି ୪୬ ବଲ୍ରୁ ୪ଟି ଛକା ଓ ୧୧ଟି ଚୌକା ସହ ୮୯ ରନ୍କରି ଅପରାଜିତ ଥିଲେ। ରୁଟ୍ ୩୭ ବଲ୍ରୁ ୩ଟି ଚୌକା ସହ ୨୯ ରନ୍ରେ ଅପରାଜିତ ଥିଲେ।