ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ବାତିଲ – ଭାରତୀୟ ରେଳବାଇ

ସମାଜ ପୋର୍ଟାଲ ଡେସ୍କ: ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ବିଭାଗ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦେଶର ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ବାତିଲ କରିଛନ୍ତି। ଆଜି ଭୋର ସମୟରୁ ଚାଲୁଥିବା ଟ୍ରେନ୍ ଏବଂ କୋଲକାତା ମେଟ୍ରୋ ରେଳର କିଛି ସେବା ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ। ରେଳ ମନ୍ତ୍ରଣାଳୟ ଏକ ପ୍ରେସ ବିବୃତ୍ତିରେ କହିଛି ଯେ ସମସ୍ତ ମେଲ୍, ଏକ୍ସପ୍ରେସ ଏବଂ ଇଣ୍ଟରସିଟି ଟ୍ରେନ୍ ଓ ଯାତ୍ରୀବାହୀ ଟ୍ରେନ୍ ମାର୍ଚ୍ଚ ୩୧ ମଧ୍ୟରାତ୍ରି ପର୍ଯ୍ୟନ୍ତ ବାତିଲ୍ ରହିବ। ମାର୍ଚ୍ଚ ୨୨ ଭୋର ୪ଟା ପୂର୍ବରୁ ଯେଉଁ ଟ୍ରେନ୍ ଗନ୍ତବ୍ୟ ସ୍ଥଳକୁ ଯାତ୍ରା ଆରମ୍ଭ କରିଛି ତାହା ସେଠାରେ ପହଂଚିବା ପର୍ଯ୍ୟନ୍ତ ଚାଲିବ।

ରେଳ ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ ଏହି ସମୟ ମଧ୍ୟରେ ମାଲ ପରିବହନ କାର୍ଯ୍ୟ ଜାରି ରହିବ। ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ଜୋନାଲ ରେଳବାଇକୁ ପରାମର୍ଶ ଦିଆଯାଇଛି ଏବଂ ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ବ୍ୟବସ୍ଥା କରିବାକୁ କୁହାଯାଇଛି। ଟ୍ରେନ ବାତିଲ ସମ୍ବନ୍ଧୀୟ ସୂଚନା ଏସଏମଏସ ମାଧ୍ୟମରେ ଯାତ୍ରୀଙ୍କୁ ଜଣାଇବାକୁ ରେଳ ମନ୍ତ୍ରଣାଳୟ କହିଛି। ଦେଶର ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବା ସୁନିଶ୍ଚିତ କରିବା ପାଇଁ ମାଲବାହୀ ଟ୍ରେନର ଚଳାଚଳ ଜାରି ରହିବ। ସମସ୍ତ ବାତିଲ ହୋଇଥିବା ଟ୍ରେନଗୁଡିକ ପାଇଁ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ୨୧ ଜୁନ୍ ପର୍ଯ୍ୟନ୍ତ ହେବ ବୋଲି ମନ୍ତ୍ରାଳୟ କହିଛି।

Comments are closed.