ସବୁ ଦଳ ରାଜି; ଅଟକିବନି ନିର୍ବାଚନ

କରୋନାବେଳେ ବିଧାନସଭା ନିର୍ବାଚନ ନେଇ ଇସିଙ୍କ ଆଲୋଚନା

ନୂଆଦିଲ୍ଲୀ : କରୋନା ତଥା ଓମିକ୍ରନ୍‌ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଆସନ୍ତା ଫେବୃଆରୀ-ମାର୍ଚ୍ଚରେ ପ୍ରସ୍ତାବିତ ୫ ବିଧାନସଭା ନିର୍ବାଚନକୁ ନେଇ ସୃଷ୍ଟି ହୋଇଥିବା ସଂଶୟ ଅନେକ ମାତ୍ରାରେ ଟଳିଯାଇଛି। ନିର୍ବାଚନ ଆୟୋଗ (ଇସି) ଗୁରୁବାର ଉତ୍ତର ପ୍ରଦେଶ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିବା ସହ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ବୈଠକ ପରେ ଏଭଳି ଆଶଙ୍କାକୁ ଖଣ୍ଡନ କରିଛନ୍ତି। କୌଣସି ଦଳ ନିର୍ବାଚନ ଘୁଞ୍ଚାଇବା ସପକ୍ଷରେ ନାହାନ୍ତି; ତେଣୁ ଧାର୍ଯ୍ୟ ସମୟରେ ହିଁ ଏହା ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଘୋଷଣା କରିଛନ୍ତି। କରୋନା ମାର୍ଗଦର୍ଶିକା ଆଧାରରେ ନିର୍ବାଚନ ହେବ ବୋଲି କହିଛନ୍ତି ସୁଶୀଲ। ନିର୍ବାଚନ ପ୍ରକ୍ରିୟାରେ ସାମିଲ ସମସ୍ତ ରାଜନୈତିକ ଦଳ ପ୍ରଚାର ସମୟ​‌େ​‌ର କରୋନା କଟକଣା ମାନିବାକୁ ବାଧ୍ୟ ହେବେ ବୋଲି ସେ ଚେତାବନୀ ଶୁଣାଇଛନ୍ତି। ଉତ୍ତର ପ୍ରଦେଶରେ ନିର୍ବାଚନ ହେବାକୁ ଥିବାବେଳେ ଏଠାରେ ସଂକ୍ରମଣ ହାର ଅଧିକ ନାହିଁ। ସେହିପରି ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆରେ ସ୍ଥିତି ଅପେକ୍ଷାକୃତ ଭଲ ରହିଛି।
ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ କହିବାନୁସାରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଅଧିକ ୧୧ହଜାର ମତଦାନ କେନ୍ଦ୍ର ସ୍ଥାପନ କରାଯିବ। ସମ୍ମୁଖ ଭାଗରେ ଥିବା ନିର୍ବାଚନ ପରିଚାଳନା କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ଟିକାକରଣ କରାଯିବା ସହ ସମସ୍ତ ମତଦାତା ଯେମିତି ଦୁଇ ପାନ ଟିକା ନେଇଥିବେ ସେଥିପ୍ରତି ଧ୍ୟାନ ଦିଆଯିବ। ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଅଧିକ ଆୟୁବର୍ଗର ମତଦାତାଙ୍କ ମତ ସେମାନଙ୍କ ଘରୁ ସଂଗ୍ରହ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ କହିଛନ୍ତି। ଏଥିସହିତ ନିର୍ବାଚନ କାର୍ଯ୍ୟସୂଚୀ ସମ୍ପର୍କରେ ଜାନୁୟାରୀ ୫ ପରେ ଘୋଷଣା କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ବୈଠକରେ ନିର୍ବାଚନ ପ୍ରଚାର ସଭାରେ ଲୋକ ଗହଳିକୁ ନେଇ ବିଭିନ୍ନ ଦଳଙ୍କ ପ୍ରତିନିଧି ଚିନ୍ତାବ୍ୟକ୍ତ କରିଥିବାବେଳେ ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ ମହିଳା କର୍ମଚାରୀ ନିଯୁକ୍ତି ନେଇ ଅନେକେ ମତ ଦେଇଥିବା ସୂଚନା ମିଳିଛି। ପୂର୍ବରୁ ପଶ୍ଚିମବଙ୍ଗ, ଆସାମ ଓ କେରଳରେ ଅନୁଷ୍ଠିତ ନିର୍ବାଚନବେଳେ କରୋନା ସଂକ୍ରମଣ ବୃଦ୍ଧି ଘଟିବାରୁ ଇସି ସମାଲୋଚିତ ହୋଇଥିଲେ। ଏତଦ୍‌ ବ୍ୟତୀତ ଗତ ସପ୍ତାହରେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ ଆବଶ୍ୟକ ପଡ଼ିଲେ ନିର୍ବାଚନ ଘୁଞ୍ଚାଇବାକୁ ଇସିଙ୍କୁ ପରାମର୍ଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଇସି ପ୍ରତ୍ୟକ୍ଷ ଭାବେ ସ୍ଥିତି ଅନୁଧ୍ୟାନ ସହ ବିଜେପି, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, କଂଗ୍ରେସ ଆଦିର ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ। କୌଣସି ଦଳ ନିର୍ବାଚନ ଘୁଞ୍ଚାଇବା ସପକ୍ଷରେ ନ ଥିବା ଏବଂ ଧାର୍ଯ୍ୟ ସମୟରେ କରୋନା ମୁକ୍ତ ନିର୍ବାଚନ କରାଇବାକୁ ପ୍ରତିଶ୍ରୁତି ଦେଇଥିବା ଇସି ଦର୍ଶାଇଛନ୍ତି।

Comments are closed.