କ୍ରିପ୍ଟୋ କରେନ୍ସି ଭୁଲ ହାତରେ ନପଡିବା ପାଇଁ ସବୁ ରାଷ୍ଟ୍ର ଏକତ୍ର କାର୍ଯ୍ୟ କରିବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ: ଡିଜିଟାଲ ଦୁନିଆଁ ଆମ ଚାରିପାଖରେ ସବୁକିଛିରେ ପରିବର୍ତ୍ତନ ଆଣୁଛି । ଏହା ରାଜନୀତି, ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥାର ସଂଜ୍ଞା ପୁନଃନିର୍ଦ୍ଧାରଣ କରିଛି । ଏହା ସାର୍ବଭୌମତା, ଶାସନ, ନୈତିକତା, ଆଇନ, ଅଧିକାର ଏବଂ ନିରାପତ୍ତା ଆଦି ଉପରେ ମଧ୍ୟ ନୂଆ ନୂଆ ପ୍ରଶ୍ନ ସୃଷ୍ଟି କରୁଛି । ଏହା ଆନ୍ତର୍ଜାତିକ ପ୍ରତିଦ୍ୱନ୍ଦ୍ୱିତା, ସାମର୍ଥ୍ୟ ଓ ନେତୃତ୍ୱକୁ ନୂଆ ରୂପ ଦେଉଛି । ଏହି ପରିସ୍ଥିତିରେ ଭାରତର ଆଇଟି ପ୍ରତିଭାମାନେ ବିଶ୍ୱ ଡିଜିଟାଲ ଅର୍ଥନୀତି ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି । ଏହା ମଧ୍ୟ ପ୍ରଯୁକ୍ତି ଓ ସେବାର ବିବର୍ତ୍ତନରେ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
ସିଡନି ଡାଏଲଗର ଉଦଘାଟନ ଅବସରରେ ବିଷୟଭିତ୍ତିକ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କ୍ରିପ୍ଟୋକରେନ୍ସି ସମ୍ପର୍କରେ ନିଜର ମତ ରଖିଥିଲେ । ସେ କହିଥିଲେ ଏହା ଉପରେ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ଏକତ୍ର କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ତାହାସହିତ ସେମାନେ ଜାତୀୟ ଅଧିକାରକୁ ସ୍ୱୀକୃତି ଦେବା, ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ଜନସାଧାରଣଙ୍କର ବୃହତ୍ତର ସ୍ୱାର୍ଥକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । କ୍ରିପ୍ଟୋକରେନ୍ସି ଯେଭଳି ଭୁଲ ହାତରେ ନପଡେ, ସେଥିପାଇଁ ବିଶ୍ୱର ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଏକତ୍ର କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତାହା ନହେଲେ ଏହା ଭୁଲ ହାତରେ ପଡିବ ଏବଂ ଆମ ଯୁବଗୋଷ୍ଠୀଙ୍କୁ ନଷ୍ଟ କରିଦେବ ବୋଲି ସେ ସତର୍କ କରାଇଦେଇଥିଲେ ।
ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଭାରତରେ ଘଟୁଥିବା ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ରୂପାନ୍ତରଣ ସମ୍ପର୍କରେ ଉଲ୍ଲେଖ କରିଥିଲେ । ପ୍ରଥମରେ ଭାରତ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଜନ ସୂଚନା ଭିତ୍ତିଭୂମି ସୃଷ୍ଟି କରୁଛି । ୧.୩ ବିଲିଅନରୁ ଅଧିକ ଭାରତୀୟଙ୍କର ଏକ ସ୍ୱତନ୍ତ୍ର ଡିଜିଟାଲ ପରିଚୟ ରହିଛି । ଦେଶ ୬ ଲକ୍ଷ ଗ୍ରାମକୁ ବ୍ରଡବ୍ୟାଣ୍ଡ୍‍ରେ ସଂଯୁକ୍ତ କରିବାକୁ କାର୍ଯ୍ୟ ଜାରି ରଖିଛି । ଦ୍ୱିତୀୟରେ ଭାରତ ସରକାର ଶାସନ, ଅନ୍ତର୍ଭୁକ୍ତି, ସଶକ୍ତିକରଣ, ସଂଯୋଗିକରଣ, ଜନସାଧାରଣଙ୍କ ନିକଟରେ ଫାଇଦା ପହଞ୍ଚାଇବାକୁ ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର କରି ଲୋକଙ୍କ ଜୀବନରେ ରୂପାନ୍ତରଣ ଆଣୁଛନ୍ତି । ତୃତୀୟରେ ଭାରତରେ ବିଶ୍ୱର ତୃତୀୟ ବୃହତ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ଷ୍ଟାର୍ଟଅପ ପରିବ୍ୟବସ୍ଥା ରହିଛି । ପ୍ରତି କେଇ ସପ୍ତାହ ମଧ୍ୟରେ ନୂଆ ୟୁନିକର୍ନ ସ୍ଥାପନ ହେଉଛି । ଚତୁର୍ଥରେ ଶିଳ୍ପ, ସେବା ଏବଂ କୃଷି କ୍ଷେତ୍ରରେ ବ୍ୟାପକ ଡିଜିଟାଲ ରୂପାନ୍ତରଣ ଘଟୁଛି । ସ୍ୱଚ୍ଛ ଇନ୍ଧନକୁ ରୂପାନ୍ତରିତ ହେବା, ସମ୍ବଳର ସଂରକ୍ଷଣ ଏବଂ ଜୈବ ବିବିଧତାର ସୁରକ୍ଷା ପାଇଁ ସରକାର ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର କରୁଛନ୍ତି । ଶେଷରେ ଭାରତକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବାକୁ ବିଶାଳ ପ୍ରୟାସ ହାତକୁ ନିଆଯାଉଛି । ସେଥିପାଇଁ ସରକାର ୫ଜି ଏବଂ ୬ଜି ଭଳି ଦୂରସଂଚାର ପ୍ରଯୁକ୍ତିରେ ସ୍ୱଦେଶୀ ସାମର୍ଥ୍ୟ ବିକାଶ କରିବାକୁ ପୁଞ୍ଜିନିବେଶ କରୁଛନ୍ତି । 

Comments are closed.