କରୋନା ଅପଡେଟ – ଉହାନରୁ ଆସିଥିବା ସମସ୍ତ ଭାରତୀୟ ସୁସ୍ଥ

ସମାଜ ପୋର୍ଟାଲ ଡେସ୍କ: ଗୁରୁବାର ଅର୍ଥାତ ଆଜି ସୁଦ୍ଧା ୧ ହଜାର ୨୬୫ଟି ବିମାନରେ ଆସିଥିବା ୧ ଲକ୍ଷ ୩୮ ହଜାର ୭୫୦ ଜଣ ଯାତ୍ରୀଙ୍କର କରୋନା ଭୂତାଣୁ ପରୀକ୍ଷା କରାଯାଇଛି। ବର୍ତମାନ ସୁଦ୍ଧା ଅନ୍ୟ କେହି କରୋନା ଭୂତାଣୁ ସଂକ୍ରମିତ ହେବାର ସୂଚନା ନାହିଁ। ଚୀନର ଉହାନରୁ ଉଦ୍ଧାର ହୋଇଥିବା ସମସ୍ତ ୬୪୫ ଜଣ ଭାରତୀୟଙ୍କ ରକ୍ତ ନମୁନା ନେଗେଟିଭ ବାହାରିଛି। ସେମାନେ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ ଥିବା ସ୍ପଷ୍ଟ ହୋଇଛି। ୫୧୦ଟି ନମୁନା ଆଇସିଏମଆର ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିବା ବେଳେ କେବଳ ତିନୋଟି ପଜିଟିଭକୁ ବାଦ ଦେଲେ ଅନ୍ୟସବୁ ନେଗେଟିଭ ଆସିଛି। ତିନି ସଂକ୍ରମିତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସପି) ଜରିଆରେ ୬ ହଜାର ୫୫୮ ଲୋକଙ୍କର ଗୋଷ୍ଠୀ ନିରୀକ୍ଷଣ ଓ ଯାଞ୍ଚ କରାଯାଇଛି। ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୬ ଫେବୃଆରୀ, ୨୦୨୦ରେ ଯୁଗ୍ମ ଅନୁଧ୍ୟାନ ଗୋଷ୍ଠୀର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଚୀନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆବଶ୍ୟକ ଯାଞ୍ଚ ଅବଧି ବୃଦ୍ଧି ଆଦି ସମେତ ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନ୍ୟ କେନ୍ଦ୍ର ମନ୍ତ୍ରଣାଳୟ ଓ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି ଭାରତରେ ନୋଭେଲ କରୋନା ଭୂତାଣୁ ନିରାକରଣ ଦିଗରେ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିଛି।

ଜ୍ୱର, କଫ ଓ ନିମୋନିଆର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଉଛି। ନୋଭେଲ କରୋନା ଭୂତାଣୁ ୨୦୧୯ ସମ୍ପର୍କରେ ଅନ୍ୟ କୌଣସି ବୈଷୟିକ ସୂଚନା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ +୯୧-୧୧-୨୩୯୭୮୦୪୬ କିମ୍ବା ଇମେଲ ncov2019@gmail.comରେ ଯୋଗାଯୋଗ କରିବାକୁ କୁହାଯାଇଛି।

Comments are closed.