ଆବର୍ଜନା ଫିଙ୍ଗୁଛନ୍ତି ଏଲିଅନ୍ !

ପୃଥିବୀରେ ଏଲିଅନ୍‌ଙ୍କ ଉପସ୍ଥିତିକୁ ନେଇ ସବୁବେଳେ ପ୍ରଶ୍ନ ସୃଷ୍ଟି ହୋଇଥାଏ। ବିଶ୍ବର ବିଭିନ୍ନ ଅଞ୍ଚଳରେ ଉଡନ୍ତା ଥାଳିଆ, ମନୋଲିଥ୍‌ ଆଦିକୁ ନେଇ ଏଲିଅନ୍‌ ଥିବାର ପ୍ରମାଣ ବି ଦିଆଯାଇଛି। ନିକଟରେ ଭାରତର ଅହମ୍ମଦାବାଦସ୍ଥିତ ଏକ ପାର୍କରେ ମଧ୍ୟ ମନୋଲିଥ୍‌ ଦେଖାଯାଇଛି। ତେବେ କେହି ପ୍ରକୃତରେ ଏଲିଅନ୍‌ଙ୍କୁ ଦେଖିନାହାନ୍ତି। ଏପରି ସ୍ଥିତିରେ ସମସ୍ତ ବୈଜ୍ଞାନିକ ସୂତ୍ର କୌଣସି ପରିଣତି ଦେଇପାରିନାହିଁ। ଏହା ମଧ୍ୟରେ ହାଭାର୍ଡ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ଏକ ଅଦ୍ଭୁତ ଦାବି କରିଛନ୍ତି। ତାଙ୍କ କହିବା ଅନୁସାରେ, ଏଲିଅନ୍‌ମାନେ ପୃଥିବୀ ଉପରକୁ ଅଳିଆ ଆବର୍ଜନା ଫିଙ୍ଗୁଛନ୍ତି। ପୃଥିବୀ ଆଡକୁ ଆସୁଥିବା ଉଳ ପଥରଖଣ୍ଡ, କ୍ଷୁଦ୍ର ଗ୍ରହ ତଥା ଉଲ୍‌କାପିଣ୍ଡ ଆପେ ଆସିନଥାଏ, ଏଗୁଡିକୁ ଏଲିଅନ୍‌ ଫିଙ୍ଗନ୍ତି ବୋଲି ହାଭାର୍ଡ ବିଶ୍ବବିଦ୍ୟାଳୟର ଆଷ୍ଟ୍ରୋନୋମି ବିଭାଗର ପ୍ରଫେସର ଅବି ଲୋଏବ୍‌ କହିଛନ୍ତି। ଏହାକୁ ମହାକାଶର ଆବର୍ଜନା ବା ସ୍ପେସ୍‌ ଗାର୍ବେଜ୍‌ କୁହାଯାଏ। ପ୍ରଫେସର ଲୋଏବ୍‌ ତାଙ୍କ ପୁସ୍ତକ ‘ଏକ୍ସଟ୍ରାଟେରେଷ୍ଟ୍ରିଆଲ୍‌: ଦି ଫାଷ୍ଟ ସାଇନ୍‌ ଅଫ୍ ଇଣ୍ଟେଲିଜେଣ୍ଟ ଲାଇଫ୍‌ ବିୟଣ୍ଡ ଆର୍ଥ’ରେ ଜଣାଇଛନ୍ତି ଯେ ୨୦୧୭ରେ ଏଲିଅନ୍‌ମାନେ ମହାକାଶରୁ ପୃଥିବୀକୁ ଆବର୍ଜନା ଫିଙ୍ଗିଥିଲେ। ପୃଥିବୀର ବୈଜ୍ଞାନିକମାନେ ଏହାକୁ ମହାଜାଗତିକ ପିଣ୍ଡ ଭାବି ଗବେଷଣା କରିଥିଲେ ବି ପ୍ରକୃତରେ ଏଲିଅନ୍‌ମାନେ ଏହାକୁ ଫିଙ୍ଗିଥିଲେ ଏବଂ ଏହି ପଥର ସମଗ୍ର ସୌରମଣ୍ଡଳର ଯାତ୍ରା କରିଥିଲା। ଏଭଳି ଆବର୍ଜନା ସମଗ୍ର ମହାକାଶରେ ଘୂରି ବୁଲୁଛି ଏବଂ ପ୍ରମାଣ କରୁଛି ପୃଥିବୀ ବ୍ୟତୀତ ଅନ୍ୟତ୍ର ଜୀବନର ସତ୍ତା ରହିଛି। ପ୍ରଫେସର ଲୋଏବଙ୍କ କହିବା ଅନୁସାରେ, ୨୦୧୭ ସେପ୍ଟେମ୍ବର ୬ତାରିଖରେ ପୃଥିବୀଠାରୁ ୨୫ଆଲୋକବର୍ଷ ଦୂରରେ ଥିବା ଷ୍ଟାର ଭେଗା ନକ୍ଷତ୍ରରୁ ଏକ ବସ୍ତୁ ବାହାରିଥିଲା। ଏହା ସୌରମଣ୍ଡଳରେ ପ୍ରବେଶ କରି ସେପ୍ଟେମ୍ବର ୯ତାରିଖରେ ସୂର୍ଯ୍ୟଙ୍କ ପାଖ ଦେଇ ବାହାରି ଆସିଲା ଏବଂ ଶୁକ୍ରଗ୍ରହ ପାଖରେ ଘଣ୍ଟା ପ୍ରତି ୯୪୭୯୦ କିଲୋମିଟର ବେଗରେ ଗତି କରି ପେଗାସସ୍‌ ନକ୍ଷତ୍ର ଦିଗରେ ଯାଇ ଅନ୍ଧାରରେ ହଜିଗଲା। ଅକ୍ଟୋବର ୭ତାରିଖ ଦିନ ପୁଣି ଏହି ବସ୍ତୁଟି ପୃଥିବୀକୁ ପ୍ରଦକ୍ଷିଣ କରି କୁଆଡେ ଚାଲିଗଲା।

ମହାକାଶରୁ ଆସିଥିବା ଏହି ବସ୍ତୁକୁ ନାସା ପକ୍ଷରୁ ୧ଆଇ/୨୦୧୭ୟୁ୧ ବା ‘ଓଉମୁଆମୁଆ’ ନାମ ଦିଆଯାଇଥିଲା। ଏହା ଦେଖିବାକୁ ପ୍ରାୟ ୩୦୦ଫୁଟ ଲମ୍ବା ପଥର ଭଳି। ଏହାକୁ ଏପରି ପ୍ରଥମ ମହାକାଶ ପର୍ଯ୍ୟଟକ କୁହାଯାଉଛି ଯିଏ ମହାକାଶରେ ଥିବା ଆଉ ଏକ ଦୁନିଆରୁ ଆସି ଆମ ସୌରମଣ୍ଡଳକୁ ପ୍ରଦକ୍ଷିଣ କରି ପୁଣି ଫେରିଗଲା। କେତେକ ବୈଜ୍ଞାନିକଙ୍କ ମତରେ ଏପରି ବସ୍ତୁ ଆମ ସୌରମଣ୍ଡଳରେ ଆସିବା ପରେ ସୂର୍ଯ୍ୟର ମହାକର୍ଷଣ ଶକ୍ତି ବି କାମ କରିପାରିନଥିଲା। ପ୍ରଫେସର ଲୋଏବଙ୍କ କହିବା ଅନୁସାରେ, ସେ ଏଯାବତ୍ କେବଳ ମହାକାଶରୁ ଆସିଥିବା ପଥର ଉପରେ ଗବେଷଣା କରିଛନ୍ତି। ହେଲେ ଏହି ଓଉମୁଆମୁଆ କୌଣସି ସାଧାରଣ ପଥର ଅପେକ୍ଷା ଭିନ୍ନ। ଚଉଡାଠାରୁ ଏହା ଦଶଗୁଣ ଅଧିକ ଲମ୍ବା ହୋଇଥାଏ। ଓଉମୁଆମୁଆର ଜିଓମେଟ୍ରି ମଧ୍ୟ ଅନ୍ୟ ଆଷ୍ଟେରଏଡ୍‌ ବା ଉଲ୍‌କାପିଣ୍ଡଠାରୁ ଅଲଗା। ଏହାର ଉଳତା ମଧ୍ୟ ଅନ୍ୟ ଉଲ୍‌କାପିଣ୍ଡ ବା ମହାଜାଗତିକ ବସ୍ତୁଠାରୁ ପ୍ରାୟ ୧୦ଗୁଣ ଅଧିକ। n

Comments are closed.