ଏଲେକ୍ସ ଏଲିସ ଭାରତରେ ବ୍ରିଟେନର ନୂଆ ଉଚ୍ଚାୟୁକ୍ତ ନିଯୁକ୍ତ

ନୂଆଦିଲ୍ଲୀ: ବ୍ରିଟେନର ରଣନୀତି ବିଶେଷଜ୍ଞ ଏଲେକ୍ସ ଏଲିସଙ୍କୁ ଭାରତରେ ନୂଆ ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ବ୍ରିଟେନର ବୈଦେଶିକ, ରାଜ୍ୟଗୋଷ୍ଠୀ ଏବଂ ଉନ୍ନୟନ କାର୍ଯ୍ୟାଳୟ (ଏଫସିଡିଓ) ପକ୍ଷରୁ ମଙ୍ଗଳବାର ଏ ନେଇ ଘୋଷଣା କରାଯାଇଛି। ୫୩ ବର୍ଷୀୟ ଏଲେକ୍ସ ବର୍ତ୍ତମାନ କୂଟନୀତି ଉପରେ ସରକାରୀ ସମୀକ୍ଷା ଲାଗି ବ୍ରିଟେନ କ୍ୟାବିନେଟ ଅଫିସରେ ଡେପୁଟି ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି।

ପୂର୍ବରୁ ଫିଲିପ ବାର୍ଟନ ଭାରତରେ ବ୍ରିଟେନ ଉଚ୍ଚାୟୁକ୍ତ ଥିଲେ। କିନ୍ତୁ ନୂତନ ଭାବେ ବିସ୍ତାରିତ ହୋଇଥିବା ଏଫସିଡିଓରେ ଅଣ୍ଡର ସେକ୍ରେଟାରୀ ପଦବୀରେ ଯୋଗଦେବା ଲାଗି ଫିଲିପ ଗତବର୍ଷ ବ୍ରିଟେନ ଫେରିଯାଇଥିଲେ। ତାଙ୍କ ସ୍ଥାନରେ ଏଲେକ୍ସଙ୍କୁ ନିଯୁକ୍ତ କରାଯାଇଛି। ସୁରକ୍ଷା ପ୍ରସଙ୍ଗରେ ଏଲେକ୍ସ ଜଣେ ଦକ୍ଷ ଅନୁଭବୀ ଏବଂ ସେ ବ୍ରିଟେନ ଓ ୟୁରୋପୀୟ ସଂଘ ପାଇଁ ସୁରକ୍ଷା ଭାଗିଦାରୀ, ଆଭ୍ୟନ୍ତରୀଣ ଚୁକ୍ତି ଏବଂ ବ୍ରେକ୍‌ଜିଟ ପାଇଁ ମହାନିର୍ଦେଶକ ଭାବେ ଦାୟିତ୍ବ ତୁଲାଇଥିଲେ।

ଏହା ପୂର୍ବରୁ ୨୦୧୩ରୁ ୨୦୧୭ ମଧ୍ୟରେ ଏଲେକ୍ସ ବ୍ରାଜିଲ ପାଇଁ ଏବଂ ୨୦୦୭ରୁ ୨୦୧୦ ମଧ୍ୟରେ ପର୍ତ୍ତୁଗାଲ ପାଇଁ ବ୍ରିଟିଶ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିସାରିଛନ୍ତି।

Comments are closed.