ପଶାଣିଆ ପାଲଟିଛି ଦେଶୀମଦ ପସ୍ତୁତକାରୀଙ୍କ ଚରାଭୂଇଁ, ପୁଣି ୧୮ ଶହ ଲିଟର ଦେଶୀ ପୋଚ ଜବତ

ବାଙ୍କୀ(ଡମପଡ଼ା) : ବାଙ୍କୀ ଉପଖଣ୍ଡରେ ଦିନକୁ ଦିନ ଦେଶୀମଦ କାରବାର ବୃଦ୍ଧି ପାଉଥିବାବେଳେ ଏହାର ପ୍ରଭାବ ସିଧା ସଳଖ ଭାବେ ଯୁବକମାନଙ୍କ ଉପରେ ପଡୁଥିବା ଦେଖିବାକୁ ମିଳୁଛି । କମ୍ ଦାମ୍‌ରେ ନିମ୍ନମାନର ମଦ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଥିବାବେଳେ ନିଶାଡିମାନେ ଆରାମରେ ଗାଁ ଗଣ୍ଡାର ବିଭିନ୍ନ ସ୍ଥାନରେ କ୍ରୟ କରି ପାରୁଛନ୍ତି ।  ବାଙ୍କୀରେ ସମ୍ପୂର୍ଣ୍ଣ ରୂପେ ମଦ ବିକିବା ବନ୍ଦ ପାଇଁ ବହୁଦିନରୁ ବୁଦ୍ଧିଜୀବୀମାନେ ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନର ଦାବି ପ୍ରତି ନିଘା ନଥିବାବେଳେ ଦେଶୀ ମଦ ପ୍ରସ୍ତୁତକାରୀଙ୍କ ପାଇଁ ବାଙ୍କୀ ଏବେ ପାଲଟିଛି ଚରାଭୂଇଁ । ବାଙ୍କୀ ବ୍ଲକ ଅନ୍ତର୍ଗତ ପଶାଣିଆ ଗ୍ରାମର ଜଙ୍ଗଲ ଅଞ୍ଚଳ ଏବେ ଏହାର ମୁଖ୍ୟ ପେଣ୍ଠସ୍ଥଳୀ ପାଲଟିଥିବା ଦେଖାଯାଉଛି । ବାରମ୍ବାର ଅବକାରୀ ବିଭାଗ ପୁଲିସ୍ ସହାୟତାରେ ଚଢ଼ାଉ କରୁଥିଲେ ମଧ୍ୟ ଦେଶୀମଦ ପ୍ରସ୍ତୁତକାରୀ ଚତୁରତାର ସହ ଖସି ଯାଉଥିବାବେଳେ କେବଳ ଅବାକରୀ ବିଭାଗ ହାତରେ ପଡୁଛି ଲିଟର ଲିଟର ପ୍ରସ୍ତୁତ ହେବାକୁ ଯାଉଥିବା ଦେଶୀ ପୋଚ । ପ୍ରତିଥର ପ୍ରସ୍ତୁତକାରୀମାନେ ପୁଲିସ୍ ବା ଅବକାରୀ ବିଭାଗକୁ ଚକମା ଦେଇ ଖସିଯାଉଥିବା ବେଳେ ବିଭାଗର ପାରିବା ପଣିଆ ପ୍ରତି ଜନସାଧାରଣମାନେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।  ଆଜି ମଧ୍ୟ ପଶାଣିଆ ଗ୍ରାମରେ ଚଢ଼ଉ କରାଯାଇ ୧୮ ଶହ ଲିଟର ଦେଶୀପୋଚକୁ ନଷ୍ଟ କରାଯାଇଥିବାବେଳେ  ଖସିଯିବାରେ ସକ୍ଷମ ହୋଇଛନ୍ତି ପ୍ରସ୍ତୁତକାରୀ । ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ଅବକାରୀ ବିଭାଗ ଅଧିକାରୀ ତେଲେସ୍ଫର ଲାକ୍ରାଙ୍କ ନେତୃତ୍ୱରେ ଏ.ଏସ୍‌.ଆଇ ଦୀପକ କୁମାର ସାମଲ, କନେଷ୍ଟବଳ ସଂଜୟ କୁମାର ରାଉତ, ସନ୍ତୋଷ କୁମାର ମହାରଣା, ଦୁଷ୍ମନ୍ତ କୁମାର ବସନ୍ତରା, ପଶାଣିଆ ଗ୍ରାମରେ ସ୍ଥାନୀୟ ପୁଲିସ ସହାୟତାରେ ଚଢ଼ାଉ କରିଥିଲେ ମଧ୍ୟ ପ୍ରସ୍ତୁତକାରୀମାନେ ଫେରାର ହୋଇଯାଇଥିବାବେଳେ ଦେଶୀପୋଚକୁ ଜବତ କରି ନଷ୍ଟ କରାଯାଇଥିବା ସୂଚନା ମିଳିଛି ।

ସୂଚନା ଥାଉକି, ଗତ ମାସ ୩୦ ତାରିଖ ଏବଂ ଚଳିତ ମାସ ୭ ତାରିଖରେ ସମାନ ଜାଗାରେ ଚଢ଼ାଉ କରି ଜବତ କରାଯାଇଥିଲେ ମଧ୍ୟ ଦେଶୀ ମଦ ପ୍ରସ୍ତୁତକାରୀମାନେ ବେଧଡକଭାବେ ସମାନ ଜାଗାରେ ରନ୍ଧା କାର୍ଯ୍ୟ ଜାରି ରଖିଛନ୍ତି।

Comments are closed.